ନୂଆଦିଲ୍ଲୀ: ସରକାରୀ ଆପ୍କୁ ଫୋନ୍ରେ ଆଗୁଆ ଇନଷ୍ଟଲ୍ କରାଇବାକୁ କେନ୍ଦ୍ର ସରକାର ଜୋରଦାର ଉଦ୍ୟମ କରୁଛନ୍ତି। ପ୍ରତି ଥର ତାହାକୁ କଡ଼ା ବିରୋଧ କରାଯିବା ପରେ ସରକାର ନିଷ୍ପତ୍ତି ପ୍ରତ୍ୟାହାର କରୁଛନ୍ତି। କିନ୍ତୁ ସେହି ଧାରା ବନ୍ଦ ହେଉନାହିଁ। ଆଉ ଏକ ସରକାରୀ ଆପ୍କୁ ଫୋନ୍ରେ ଆଗୁଆ ଇନଷ୍ଟଲ୍ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ତାହା ହେଉଛି ଆଧାର ଆପ୍। ସେହି ପ୍ରସ୍ତାବକୁ ଫୋନ୍ ନିର୍ମାତାମାନେ କଡ଼ା ବିରୋଧ କରୁଛି।
ଆଧାର ହେଉଛି ଦେଶର ବାୟୋମେଟ୍ରିକ୍ ପରିଚୟପତ୍ର। ଆଧାର କାର୍ଡ ଜାରି କରୁଥିବା ସଂସ୍ଥା ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପକ୍ଷରୁ ଗତ ଜାନୁଆରି ୧୩ରେ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ଏକ ପତ୍ର ଲେଖି ଫୋନ୍ଗୁଡ଼ିକରେ ଆଧାର ଆପ୍କୁ ଆଗୁଆ ଇନଷ୍ଟଲ୍ କରିବାର ସମ୍ଭାବନା ବିଷୟରେ ଗୁଗୁଲ୍, ଆପଲ୍ ଓ ଅନ୍ୟ ଅଗ୍ରଣୀ ଫୋନ୍ ନିର୍ମାତାଙ୍କ ସହ ଆଲୋଚନା କରିବାକୁ କୁହାଯାଇଥିଲା। ଯଦିଓ ଏହାର ଏକ ସିଧାସଳଖ ନିର୍ଦ୍ଦେଶ ନୁହେଁ, କିନ୍ତୁ ଗଳାବାଟରେ ସରକାର ଆଧାର ଆପ୍କୁ ଫୋନ୍ରେ ଭର୍ତ୍ତି କରିବାକୁ ଚାହୁଛନ୍ତି। ତାହା ଜରିଆରେ ସରକାର ଗୁଇନ୍ଦାଗିରି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। କିନ୍ତୁ, ଫୋନ୍ ନିର୍ମାତାମାନଙ୍କ ଅଲଗା ସମସ୍ୟା ରହିଛି। ସେମାନେ କହୁଛନ୍ତି ଯେ ଆଧାର ଆପ୍କୁ ଆଗୁଆ ଇନଷ୍ଟଲ୍ କଲେ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ବଢ଼ିଯିବ ଓ ଫୋନ୍ର କାର୍ଯ୍ୟଦକ୍ଷତା ହ୍ରାସ ପାଇବ।
ସେମାନେ କହିଛନ୍ତି ଯେଏହି ପ୍ରସ୍ତାବ ଫୋନ୍ ବ୍ୟବହାରକାରୀମାନଙ୍କ ବ୍ୟକ୍ତିଗତ ଗୋପନୀୟତା ସହ ସିଧାସଳଖ ସମ୍ପର୍କିତ ଥିବାରୁ ଆପଲ୍ ଓ ସାମସଙ୍ଗ ଉକ୍ତ ପ୍ରସ୍ତାବକୁ କଡ଼ା ବିରୋଧ କରୁଛନ୍ତି। କୌଣସି ଭାରତୀୟ ସରକାରୀ ଆପ୍କୁ ଫୋନ୍ରେ ଆଗୁଆ ଇନଷ୍ଟଲ୍ କରାଇବାର ଅର୍ଥ ହେଉଛି ସେଗୁଡ଼ିକୁ ଅଲଗା ତିଆରି କରିବା। ଯେଉଁ ବ୍ୟବସ୍ଥାରେ ରପ୍ତାନି ଉଦ୍ଦେଶ୍ୟରେ ଫୋନ୍ ନିର୍ମାଣ କରାଯାଉଛି, ସେଥିରେ ଏହି ଫୋନ୍ଗୁଡ଼ିକୁ ତିଆରି କରାଯାଇପାରିବ ନାହିଁ। ଭାରତ ସ୍ବତନ୍ତ୍ର ଫୋନ୍ ତିଆରି କରିବାକୁ ଅଲଗା ବ୍ୟବସ୍ଥା କରିବାକୁ ହେବ। ସେଥିପାଇଁ ବିପୁଳ ପୁଞ୍ଜିନିବେଶ ଦରକାର। ସେମାନେ ଏହା ମଧ୍ୟ କହିଛନ୍ତି ଯେ ରୁଷ ବ୍ୟତୀତ ବିଶ୍ବର ଅନ୍ୟ କୌଣସି ଦେଶ ସରକାରୀ ଆପ୍ ଆଗୁଆ ଇନଷ୍ଟଲ୍ କରିବାକୁ ନିର୍ଦ୍ଦେଶ ଦେଇନାହାନ୍ତି।
ଆଧାର ଆପ୍ ଉନ୍ମୋଚନ
ଜାନୁଆରି ମାସରେ ଆଧାର ଆପ୍ ଉନ୍ମୋଚନ କରାଯାଇଥିଲା। ତାହା ଜରିଆରେ ଗ୍ରାହକମାନେ ବ୍ୟକ୍ତିଗତ ବିବରଣୀ ଅପ୍ଡେଟ୍ କରିବା ଓ ନିଜର ବାୟୋମେଟ୍ରିକ୍ ତଥ୍ୟ ଲକ୍ କରିବାର ସୁବିଧା ପାଉଛନ୍ତି। ସେଥିପାଇଁ ଲୋକମାନଙ୍କୁ ସେହି ଆପ୍ ଡାଉନ୍ଲୋଡ୍ କରିବାକୁ ପଡ଼ିବ। ଆଧାର ହେଉଛି ଏକ ୧୨ ସଂଖ୍ୟା ବିଶିଷ୍ଟ ସ୍ବତନ୍ତ୍ର ପରିଚୟ ନମ୍ବର ଓ ସେଥିରେ ଟିପ ଚିହ୍ନ ଓ ନେତ୍ର ପିତୁଳାର ସ୍କାନ ଭଳି ବାୟୋମେଟ୍ରିକ୍ ତଥ୍ୟ ରହିଛି। ବ୍ୟାଙ୍କଠାରୁ ଆରମ୍ଭ କରି ଟେଲିକମ୍ ସେବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପ୍ରମାଣୀକରଣ କାର୍ଯ୍ୟରେ ତାହା ବ୍ୟବହାର କରାଯାଉଛି। ଆଧାର ଡାଟାବେସ୍ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସରକାର ଦାବି କରୁଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ସେହି ତଥ୍ୟ ଲିକ୍ ହେଉଥିବା ଖବର ସାମ୍ନାକୁ ଆସୁଛି।
ସରକାରୀ ଆପ୍କୁ ଫୋନ୍ରେ ଆଗୁଆ ଇନଷ୍ଟଲ୍ କରିବା ପ୍ରସ୍ତାବ ଦେବା କିଛି ନୂଆ କଥା ନୁହେଁ। ଗତ ଡିସେମ୍ବରରେ ସଞ୍ଚାର ସାଥୀ ଆପ୍କୁ ଇନଷ୍ଟଲ୍ କରିବାକୁ ସରକାର ଦେଇଥିବା ପ୍ରସ୍ତାବକୁ କଡ଼ା ବିରୋଧ କରାଯିବା ପରେ ସରକାର ସେହି ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ। ବିପର୍ଯ୍ୟୟ ଆଲର୍ଟ ସେବା ସଚେତ୍ ଆପ୍କୁ ମଧ୍ୟ ଆଗୁଆ ଇନଷ୍ଟଲ୍ କରିବାକୁ ନିର୍ଦ୍ଦେଶ ଦେଇ ସରକାର ପରେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ।
ସୌଜନ୍ୟ ସମ୍ବାଦ
