Rupee: ଟଙ୍କା ମୂଲ୍ୟରେ ଐତିହାସିକ ହ୍ରାସ: ୧ ଡଲାର= ୯୩.୨୭ ଟଙ୍କା

ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ସମୁଦ୍ର ପଥରେ ତୈଳ ଓ ଗ୍ୟାସ୍‌ ପରିବହନକୁ ପ୍ରଭାବିତ କରିଥିବାରୁ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ବିବେଚିତ ହେଉଥିବା ଭାରତ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି।

ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ଆଜି ମୁଦ୍ରା ବିନିମୟ ବଜାର ଖୋଲିବାର କିଛି ସମୟ ପରେ ଏକ ଡଲାର ମୂଲ୍ୟ ୯୩ ଟଙ୍କାରୁ ଅଧିକ ହୋଇଯାଇଥିଲା। ବିଶେଷ କରି ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ସମୁଦ୍ର ପଥରେ ତୈଳ ଓ ଗ୍ୟାସ୍‌ ପରିବହନକୁ ପ୍ରଭାବିତ କରିଥିବାରୁ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ବିବେଚିତ ହେଉଥିବା ଭାରତ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି।

ଗତ ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୨ ଟଙ୍କା ୬୩ ପଇସା ଥିଲା। ଆଜି ତାହା ୯୩ ଟଙ୍କା ୨୭ ପଇସା ହୋଇଯାଇଛି। ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଡଲାର ତୁଳନାରେ ଟଙ୍କା ୨ ପ୍ରତିଶତରୁ ଅଧିକ ଦୁର୍ବଳ ହୋଇଛି।

ଅଧିକ ଦିନ ଯୁଦ୍ଧ ଲାଗି ରହିଲେ ଅଶୋଧିତ ତୈଳ ଦର ଓ ମୁଦ୍ରାସ୍ଫୀତି ବଢ଼ିବା ଓ ଦେଶର ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଯାଇଛି। ତେଲ ଦର ବଢ଼ୁଥିବାରୁ ବୈଦେଶିକ ନିବେଶକମାନେ ଭାରତୀୟ ଇକ୍ବିଟି ବଜାରରୁ ୮୦୦‌ କୋଟି ଡଲାର ପ୍ରତ୍ୟାହାର କରିଛନ୍ତି। ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ଦେଖାଯାଉନଥିବାରୁ ଭବିଷ୍ୟତରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୫ ଟଙ୍କା ସ୍ତର ଅତିକ୍ରମ କରିବା ଆଶଙ୍କା କରାଯାଉଛି।

ଟଙ୍କା ମୂଲ୍ୟ ୯୫ ଟଙ୍କା ସ୍ତର ଅତିକ୍ରମ କରିବା ଆଶଙ୍କା

ଗତକାଲି ଅଶୋଧିତ ତୈଳ ଦର ୧୨୦ ଡଲାର ପାଖାପାଖି ବୃଦ୍ଧି ପାଇଥିଲା। ଆଜି ସେଥିରେ ସୁଧାର ଘଟିଛି। ତେଲ ଦର ପୁଣି ଥରେ ୧୦୦ ଡଲାର ପାଖାପାଖି ହ୍ରାସ ପାଇଛି। ‌ସେଥିପାଇଁ ଭାରତୀୟ ଟଙ୍କା ବିଭିନ୍ନ ବୈଦେଶିକ ମୁଦ୍ରା ତୁଳନାରେ ଦୁର୍ବଳ ହୋଇପଡ଼ିଛି। ଟଙ୍କା ତୁଳନାରେ ୟୁରୋ, ବ୍ରିଟିସ୍‌ ପାଉଣ୍ଡ ଓ ଚୀନ୍‌ ୟୁଆନ୍‌ ଅଧିକ ଶକ୍ତିଶାଳୀ ହୋଇଛନ୍ତି। ବିନିମୟ ମୁଦ୍ରା ଦୁର୍ବଳ ହେବା ଦେଶର ଦରଦାମ୍‌ ସ୍ଥିତିକୁ ବିଗାଡ଼ିବା, ଆମଦାନି ବିଲ ବୃଦ୍ଧି, ମୁଦ୍ରାସ୍ଫୀତି ବୃଦ୍ଧି ଓ ଅଭିବୃଦ୍ଧି ହ୍ରାସ ଆଶଙ୍କା ସୃଷ୍ଟି କରିଛି।

ସୌଜନ୍ୟ ସମ୍ବାଦ

Exit mobile version