ମୁମ୍ବାଇ: ଓ୍ବେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ସ୍ବଦେଶ ବାହୁଡ଼ା ନେଇ ନିଜର ପ୍ରତିକ୍ରିୟା ରଖିଛି ଆଇସିସି। ଏ ନେଇ ପାତରଅନ୍ତର କରାଯାଉଥିବା ଅଭିଯୋଗକୁ ଦୃଢଭାବେ ଅସ୍ବୀକାର କରି ଆଇସିସି କହିଛି ଯେ ଖେଳାଳିଙ୍କ ନିରାପତ୍ତା ଓ ସୁବିଧା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ଏଣୁ ଏ ନେଇ ହେଉଥିବା ଅଭିଯୋଗ ଅମୂଳକ। ମଙ୍ଗଳବାର ରାତିରେ ଓ୍ବେଷ୍ଟଇଣ୍ଡିଜ୍ ଦଳର ନଅ ଜଣ ସଦସ୍ୟ ଫେରିଯାଇଛନ୍ତି ଓ ଆଉ ୧୬ ଜଣ ଆସନ୍ତା ୨୪ ଘଣ୍ଟାରେ ଭାରତ ଛାଡ଼ିବେ। ସେହିପରି ଦକ୍ଷିଣ ଆଫ୍ରିକା ଦଳ ବୁଧବାର ରାତିରେ ଭାରତ ଛାଡ଼ିବ। ଦଳର ସମସ୍ତ ସଦସ୍ୟ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଇସିସି କହିଛି। ମାର୍ଚ୍ଚ ୧ରେ ଭାରତଠାରୁ ହାରି ଓ୍ବେଷ୍ଟଇଣ୍ଡିଜ୍ ବିଶ୍ବକପରୁ ବିଦାୟ ନେଇଥିଲା।
ସେହିପରି ୪ ତାରିଖରେ ନ୍ୟୁଜିଲାଣ୍ଡଠାରୁ ହାରି ଦକ୍ଷିଣ ଆଫ୍ରିକା ବିଦାୟ ନେଇଥିଲା। ମାତ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ସୁରକ୍ଷା କାରଣରୁ ବିଭିନ୍ନ ଏୟାରଲାଇନ୍ସ ନିଜର ବିମାନ ବାତିଲ କରିଥିଲେ। ଫଳରେ ଏହି ଦୁଇ ଦଳର ଖେଳାଳିମାନେ ଏକ ସପ୍ତାହରୁ ଅଧିକ ସମୟ ଧରି ଭାରତରେ ଅଟକି ରହିଥିଲେ। କିନ୍ତୁ ଇଂଲଣ୍ଡ ଦଳ ସେମିଫାଇନାଲ୍ରେ ହାରିବା ପରେ ତୁରନ୍ତ ନିଜ ଦେଶକୁ ଫେରିଯାଇଥିଲା। ଏହାକୁ ନେଇ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଆଇସିସି ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଥିଲେ।
ସୌଜନ୍ୟ ସମ୍ବାଦ
