Sundargarh Road Accident ବାଇକକୁ ଧକ୍କା ଦେଇ ନାଳରେ ଖସିଲା ବୋଲେରୋ, ବାପ, ପୁଅ, ନାତି ମୃତ
ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ସବଡେଗା ପେଟ୍ରୋଲ ପମ୍ପ ନିକଟରେ ବାଇକ୍କୁ ବୋଲେରୋ ଧକ୍କା ଦେବା ପରେ ନାଳରେ ଖସିପଡ଼ିଥିଲା। ଦୁର୍ଘଟଣାରେ ବାପା, ପୁଅ ଓ ନାତିଙ୍କ ମୃତ୍ୟୁ ହୋଇଛି। ପୁଲିସ ତଦନ୍ତ ଜାରି ରଖିଛି।

ସୁନ୍ଦରଗଡ଼: ତଳସରା ଥାନା ସବଡେଗା ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁରୁବାର ରାତି ୮ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଯାଉଥିବା ଏକ ବୋଲୋରୋ ବାଇକକୁ ଧକ୍କା ଦେବା ସହ ଘୋଷାଡ଼ି ନେଇ ନାଳରେ ଖସି ପଡ଼ିଥିଲା। ଏଥିରେ ବାଇକରେ ଥିବା ବାପ, ପୁଅ ଓ ସମ୍ପର୍କୀୟ ନାତି ଗୁରୁତର ଆହତ ହୋଇଥିଲେ। ରାତିରେ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କ ମୃତ୍ଯୁ ହୋଇଯାଇଛି।
ମୃତକମାନେ ହେଲେ କିଞ୍ଜିରକେଲା ଥାନା ଅନ୍ତର୍ଗତ କୁକୁରିଡିହି ଗ୍ରାମର ଲିଙ୍ଗେଶ୍ବର ଲାରଙ୍ଗ (୬୦) ତାଙ୍କର ଏକମାତ୍ର ପୁତ୍ର ସମୀର ଲାରଙ୍ଗ (୨୮) ଓ ଲିଙ୍ଗେଶ୍ବରଙ୍କ ବନ୍ଧବାହାଲ ଗ୍ରାମର ସମ୍ପର୍କୀୟ ନାତି। ୩ ଜଣ ଏକ ବଜାଜ ପଲସର୍ ବାଇକରେ ଆସି ସବଡେଗା- ବାଲିଶଙ୍କରା ମୁଖ୍ଯ ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ପେଟ୍ରୋଲ ଭରି ରାସ୍ତା ଉପରକୁ ଆସୁଥିଲେ। ଏହି ସମୟରେ ବାଲିଶଙ୍କରା ପଟୁ ଆସୁଥିବା ଏକ ବୋଲେରୋ ବାଇକକୁ ଜୋରରେ ଧକ୍କା ଦେବା ସହ ଘୋଷାଡ଼ି ନେଇ ପାଖ ନାଳରେ ଖସି ପଡ଼ିଥିଲା।
ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ଏକସଙ୍ଗରେ ବାପ, ପୁଅ ଓ ନାତିଙ୍କ ମୃତ୍ଯୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।
ସୌଜନ୍ୟ ସମ୍ବାଦ




