Odia cinema: ଆଜି ଓଡ଼ିଆ ସିନେମାକୁ ୯୦ ବର୍ଷ: ଦର୍ଶକ, ନିର୍ମାତା ସମସ୍ତେ ପ୍ରସ୍ତୁତ, ତଥାପି ଉଠୁନି ଓଲିଉଡ୍

ଭୁବନେଶ୍ବର: କରୋନାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଣ୍ଟା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲା। ହେଲେ ୨୦୨୨ ମସିହା ଆସୁଆସୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ନୂତନ ସୂର୍ଯ୍ୟୋଦୟ ଘଟିଥିଲା। ‘ଦମନ’ ରେକର୍ଡ ପରେ ରେକର୍ଡ ଭାଙ୍ଗି ପ୍ରାୟ ୫ କୋଟି ଟଙ୍କା ଆୟ କଲା। ଖାଲି ବ୍ୟବସାୟିକ ଦୃଷ୍ଟିରୁ ନୁହେଁ, ସିନେ ସମୀକ୍ଷକ, ଦର୍ଶକ; ସମସ୍ତେ ଏହି ଚଳଚ୍ଚିତ୍ରର ପ୍ରଶଂସା କଲେ। ହିନ୍ଦୀ ଭାଷାରେ ଚଳଚ୍ଚିତ୍ର ଡବିଂ ହେଲା। ପରେ ଆସିଲା ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଏହା ମଧ୍ୟ ସଫଳ ହେଲା। ୨୦୨୪ ଦଶହରାରେ ଆସିଥିବା ଅନୁଭବ ମହାନ୍ତିଙ୍କ ଆକ୍ସନ ଥ୍ରିଲର୍ ‘କର୍ମ’ ସାଢ଼େ ୬ କୋଟିର ଆୟ କରି ରେକର୍ଡ ସୃଷ୍ଟି କରିଥିଲା। ହେଲେ ୨୦୨୫ ରଜରେ ମୁକ୍ତିଲାଭ କରିଥିବା ଭୌତିକ ଚଳଚ୍ଚିତ୍ର ‘ବୋଉ, ବୁଟୁ, ଭୂତ’ ଓଡ଼ିଆ ଚଳଚ୍ଚିତ୍ର ପାଇଁ ବେଞ୍ଚମାର୍କ ସୃଷ୍ଟି କରିଥିଲା। ୨୦ କୋଟି ଟଙ୍କାରୁ ଅଧିକ ଆୟ କରିବା ସହ ଏହା ଜାତୀୟସ୍ତରରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ସେହିବର୍ଷ ମୁକ୍ତିଲାଭ କରିଥିବା ସବ୍ୟସାଚୀ ମହାପାତ୍ରଙ୍କ ‘ଅନନ୍ତା’ ଚଳଚ୍ଚିତ୍ର ବି କିଛି କମ୍ କମାଲ୍ କରିନଥିଲା।
ଅର୍ଥାତ ଓଡ଼ିଶାରେ ଭଲ କାହାଣୀ, ସୃଜନଶୀଳତା, ଉପସ୍ଥାପନା, ଚଳଚ୍ଚିତ୍ରକୁ ଆଗକୁ ନେବାର ବୌଦ୍ଧିକ ବିଚାର, ଉଚ୍ଚମାନର ନିର୍ଦ୍ଦେଶନା ଶୈଳୀ ସବୁ ରହିଛି। ଭଲ କାହାଣୀ ହେଲେ ଦର୍ଶକ ବି ଭରପୂର ଭଲପାଇବା ଦେଉଛନ୍ତି। ହେଲେ ଏବେ ପ୍ରଶ୍ନ ଉଠୁଛି, ଭାରତର ଅନ୍ୟ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ଅପେକ୍ଷା ଓଡ଼ିଆ ଚଳଚ୍ଚିତ୍ର ଜଗତ ଆଜି ଏତେ ପଛରେ କାହିଁ ପଡ଼ିଯାଇଛି? ୭୦-୮୦ ଦଶକକୁ ଓଡ଼ିଆ ସିନେମାର ‘ସୁବର୍ଣ୍ଣ ଯୁଗ’ ବୋଲି କୁହାଯାଏ। ଉଚ୍ଚମାନର ସାମାଜିକ ପ୍ରସଙ୍ଗ, ଗ୍ରାମୀଣ ବିଷୟବସ୍ତୁ ଓ ଚିତ୍ତାକର୍ଷକ ସଙ୍ଗୀତ ଯୋଗୁଁ ଏହା ସାରା ଭାରତର ଚଳଚ୍ଚିତ୍ର ଶିଳ୍ପରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କାହାଣୀ, ସୁଟିଂ ସ୍ଥାନରେ ମୌଳିକତା ରହିଲା ନାହିଁ। ଫଳରେ ଦର୍ଶକମାନେ ନିଜକୁ ଚଳଚ୍ଚିତ୍ର ସହ ଯୋଡ଼ି ପାରିଲେନି। ୧୯୯୯ ମହାବାତ୍ୟାରେ ଭଗ୍ନସ୍ତୁପରେ ପରିଣତ ହୋଇଥିବା କଳିଙ୍ଗ ଷ୍ଟୁଡିଓ ଏବେ ଅତ୍ୟାଧୁନିକ ରୂପ ନେଇଛି। କାମ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ। ହେଲେ ଖୋଲିବ ଖୋଲିବ ହୋଇ ଷ୍ଟୁଡିଓ ଏଯାଏଁ ଠିକାସଂସ୍ଥାରୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍ଡିସି)କୁ ହସ୍ତାନ୍ତର ହୋଇପାରିନାହିଁ। ଏହି ଅହେତୁକ ବିଳମ୍ବର କାରଣ କ’ଣ, କାହା ପାଖରେ ଏହାର ଉତ୍ତର ନାହିଁ। ଅନ୍ୟପଟେ କଳିଙ୍ଗ ଷ୍ଟୁଡିଓ ଖୋଲିବା ପୂର୍ବରୁ ହିଁ ଏହାକୁ ନେଇ କେଁ ଦେଖାଗଲାଣି। ଏହା ଚଳଚ୍ଚିତ୍ର ସୁଟିଂ ଅପେକ୍ଷା ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ହେବ ବୋଲି ସିନେ ସମୀକ୍ଷକମାନେ ଏବେଠାରୁ କହିଲେଣି। ତେବେ କଳିଙ୍ଗ ଷ୍ଟୁଡିଓ ଖୋଲୁ ନ ଥିବାରୁ ଚଳଚ୍ଚିତ୍ର ନିର୍ମାତାମାନେ ସୁଟିଂ ପାଇଁ ହଇରାଣ ହେଉଛନ୍ତି।
ପ୍ରଚାର, ପ୍ରସାରରେ ବଜେଟ୍ କମ୍
ବ୍ୟବସାୟରେ ବଡ଼ ପ୍ରତିବନ୍ଧକ ହଲ୍ ଅଭାବ
ସରକାରୀ ଉଦାସୀନତା ବି ବାଟ ଓଗାଳୁଛି
ଓଡ଼ିଆ ସିନେମା ପାଇଁ ଏବେ କାଳ ହୋଇଛି ପ୍ରଚାରପ୍ରସାରର ଅଭାବ। ଚଳଚ୍ଚିତ୍ରର ବଜେଟ୍ କମ୍ ଥିଲେ ବି ଏହାର ପ୍ରାୟ ୨୫ରୁ ୩୦% ଚଳଚ୍ଚିତ୍ରର ହିରୋ/ ହିରୋଇନ୍ମାନେ ନେଇଯାଉଛନ୍ତି। ଅବଶିଷ୍ଟ ୭୦%ରେ ନିର୍ଦ୍ଦେଶକ, ଅନ୍ୟାନ୍ୟ କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଟେକ୍ନିକାଲ୍ ଟିମ୍ ଓ ସମ୍ପାଦନା ଟିମ୍ ସହ ପ୍ରଚାରପ୍ରସାର ଆଦି କରିବାକୁ ପଡ଼ୁଛି। ଫଳରେ ଅଧିକ ଟଙ୍କା ପ୍ରଚାର ପ୍ରସାରରେ ଖର୍ଚ୍ଚ ହୋଇପାରୁନାହିଁ। ତେଣୁ ବଜେଟ୍ରେ ଏକ ଅସନ୍ତୁଳନ ଦେଖିବାକୁ ମିଳିଛି। ଫଳରେ ଚଳଚ୍ଚିତ୍ର ସମ୍ପର୍କରେ ଦର୍ଶକମାନେ ଅଧିକ ଜାଣିପାରୁ ନାହାନ୍ତି। ଆହୁରି ମଧ୍ୟ ଏବେ ବି ଅନେକ ଜିଲ୍ଲାରେ ସିନେମା ହଲ୍ ନାହିଁ। ଓଡ଼ିଆ ସିନେମା ବ୍ୟବସାୟ ବଢ଼ିବାରେ ଏହା ବଡ଼ ପ୍ରତିବନ୍ଧକ ସାଜିଛି।
ଏନେଇ ଅଭିନେତା ବାବୁସାନ୍ ମହାନ୍ତି କହିଛନ୍ତି, ଓଡ଼ିଶାରେ ବଜେଟ୍ କମ୍ ରହିଛି। କିନ୍ତୁ ପ୍ରତିଭା ନୁହେଁ। ଏଠାରେ ଭଲ କାହାଣୀ ସହ ସୁଟିଂ ପାଇଁ ସୁନ୍ଦର ସ୍ଥାନ ରହିଛି, ଯାହାକି ସୁଟିଂ ସ୍ଥାନ ସୃଷ୍ଟିର ଖର୍ଚ୍ଚ କମାଇଦିଏ। ତେବେ ଓଡ଼ିଆ ଚଳଚ୍ଚିତ୍ର କମ୍ ଆୟ କରିବାର କାରଣ ହେଉଛି ଆମର ଜନସଂଖ୍ୟା। ଏଣୁ ଆମେ ଏବେ ଚେଷ୍ଟା କରୁଛୁ, ଓଡ଼ିଆ ଚଳଚ୍ଚିତ୍ରକୁ ବିଭିନ୍ନ ଭାଷାରେ ଡବିଂ କରି ଜାତୀୟ ସ୍ତରୀୟ ଓଟିଟିରେ ଛାଡ଼ିବା ପାଇଁ। ଫଳରେ ଆମ ଚଳଚ୍ଚିତ୍ର ବି ଅନ୍ୟ ଭାଷାଭାଷୀ ଲୋକଙ୍କ ପାଖକୁ ପହଞ୍ଚିପାରିବ।
ଅନ୍ୟପଟେ ଓଡ଼ିଆ ଚଳଚ୍ଚିତ୍ରର ସର୍ବାଙ୍ଗୀନ ବିକାଶ, ବହୁଳ ପ୍ରଚାରପ୍ରସାର, ଚଳଚ୍ଚିତ୍ର ପୁରସ୍କାର ପ୍ରଦାନରେ ଶୃଙ୍ଖଳା ଆଦି ପ୍ରସଙ୍ଗକୁ ନେଇ ଗତ ବର୍ଷ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ବିଭାଗ ଅନୁକୂଲ୍ୟରେ ବୈଠକ ହେଲା। ବୈଠକରେ ଓଡ଼ିଆ ଚଳଚ୍ଚିତ୍ରକୁ ସଂସ୍କୃତି ବିଭାଗ ଅଧୀନକୁ ଆଣିବାକୁ ଦାବି କରାଗଲା। ଏହି ବୈଠକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସମସ୍ତ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ କଳାକାର ଯୋଗ ଦେଇଥିଲେ। ହେଲେ ଗୋଟିଏ ବୈଠକରେ ଏହି ମାନସ ମନ୍ଥନ ସୀମିତ ରହିଗଲା। ସରକାରୀ ଉଦାସୀନତା ଚଳଚ୍ଚିତ୍ର ଶିଳ୍ପର ବିକାଶ ଅନ୍ୟତମ ପ୍ରତିବନ୍ଧକ ବୋଲି ବହୁ ପ୍ରଯୋଜକ, ନିର୍ଦ୍ଦେଶକ ମତ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




