ୱାସିଂଟନ/ଜେରୁଜେଲମ/ତେହେରାନ: ‘ଅପରେସନ୍ ଏପିକ୍ ଫ୍ୟୁରି’ର ୧୪ତମ ଦିବସରେ ଇରାନ ଓ ଇସ୍ରାଏଲ ପରସ୍ପର ଉପରେ ଭୀଷଣ ଆକ୍ରମଣ କରିଛନ୍ତି। ଇରାନର ପରମାଣୁ ଭିତ୍ତିଭୂମିକୁ ଧ୍ୱଂସ ପାଇଁ ଇସ୍ରାଏଲ ଗତରାତିରେ ଶତାଧିକ ଯୁଦ୍ଧ ବିମାନ ବ୍ୟବହାର କରି ଭୟାନକ ଆକ୍ରମଣ କରିଛି। ୨୪ ଘଣ୍ଟାରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ୨୦୦ରୁ ଅଧିକ ଲକ୍ଷ୍ୟସ୍ଥଳରେ ଆକ୍ରମଣ କରି ଏହାକୁ ଧ୍ବସ୍ତ କରିଥିବା ନିଶ୍ଚିତ କରିଛି। ନାଟାଞ୍ଜ ଏବଂ ଫୋର୍ଡୋର ସୁରକ୍ଷିତ ପରମାଣୁ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରି ବଡ଼ଧରଣର ବଙ୍କର୍-ବଷ୍ଟର ବୋମାମାଡ଼ କରାଯାଇଛି। ଏହାର ଜବାବରେ ଇସ୍ରାଏଲ ଉପରେ ଇରାନ ଭୀଷଣ ଆକ୍ରମଣ ଜାରି ରଖିଛି। ତେଲ୍ ଅଭିଭ୍ ଉପରେ ଶତାଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଉପସାଗରୀୟ ଦେଶମାନେ ଆମେରିକାକୁ ସାମରିକ ସହଯୋଗ କରୁଥିବାରୁ ଇରାନ ଏହି ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ୍ କରି ଆକ୍ରମଣ ଚଳାଇଛି। ଏହି ସ୍ଥିତି ମଧ୍ୟପ୍ରାଚ୍ୟର ଭୂ ରାଜନୈତିକ ସଙ୍କଟକୁ ଆହୁରି ଜଟିଳ କରିଛି। ଏପଟେ ତେହେରାନ ବିସ୍ଫୋରଣରେ ଥରୁଛି।
ବଢ଼ୁଛି ବୈଶ୍ବିକ ସଙ୍କଟ
ଓମାନରେ ୨ ଭାରତୀୟ ମୃତ, ୧୦ ଆହତ
ଆମେରିକାର ବି-୨ ବୋମାବର୍ଷୀ ବିମାନ ଓ ଇସ୍ରାଏଲର ଏଫ୍-୩୫ ବିମାନଗୁଡ଼ିକ ଇରାନ ସେନାର କମାଣ୍ଡ ସେଣ୍ଟରକୁ ବ୍ୟବସ୍ଥିତ ଭାବେ ଧ୍ୱଂସ କରୁଛନ୍ତି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ମୋଜତବା ଖେମିନି ଏକ ସୁରକ୍ଷିତ ସ୍ଥାନରେ ରହିଛନ୍ତି ଏବଂ ‘ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ପ୍ରତିଶୋଧ’ ନେବାକୁ ଶପଥ ନେଇଛନ୍ତି। ଯୁଦ୍ଧ ଯୋଗୁଁ ପ୍ରାୟ ୩୨ ଲକ୍ଷରୁ ଅଧିକ ଇରାନ ନାଗରିକ ବାସହରା ହୋଇଛନ୍ତି।
ଇରାନର ଦୂରଗାମୀ ଆତ୍ମଘାତୀ ଡ୍ରୋନ୍ ଓ କ୍ରୁଜ୍ ମିସାଇଲଗୁଡ଼ିକ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଓ ବାହାରିନର ତୈଳ ଏବଂ ଜଳ ବିଶୋଧନ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି। ଓମାନର ଶିଳ୍ପ ସହର ସୋହାର୍ରେ ହୋଇଥିବା ଏକ ଡ୍ରୋନ୍ ଆକ୍ରମଣରେ ୨ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଅନେକ ପ୍ରମୁଖ ତୈଳ ପ୍ରକ୍ରିୟାକରଣ ଓ ପରିବହନ ବ୍ୟବସ୍ଥା ଉପରେ ଆକ୍ରମଣ ହୋଇଥିବାରୁ ବିଶ୍ୱ ବଜାରରେ ତୈଳ ଦର ବ୍ୟାରେଲ୍ ପିଛା ୧୦୦ ଡଲାରରୁ ଅଧିକ ହୋଇଯାଇଛି। ଇରାନ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ଷ୍ଟ୍ରେଟ୍ ମାର୍ଗରେ ଅତ୍ୟାଧୁନିକ ସ୍ମାର୍ଟ ମାଇନ୍ସ ଓ ଜାହାଜ ବିରୋଧୀ କ୍ଷେପଣାସ୍ତ୍ର ନିୟୋଜିତ କରିଛି, ଯାହା ଫଳରେ ବିଶ୍ୱର ୨୦% ପେଟ୍ରୋଲିୟମ ପରିବହନ ବାଧାପ୍ରାପ୍ତ ହୋଇଛି।
ସୌଜନ୍ୟ ସମ୍ବାଦ
