The MMDR issue: ଜୋର୍ ଧରୁଛି ଏମ୍ଏମ୍ଡିଆର ପ୍ରସଙ୍ଗ: ବିଧାନସଭା ଚାଲିବାର ସମ୍ଭାବନା କମ୍
ରାଜ୍ୟ ରାଜନୀତିରେ ଏବେ ବଡ଼ ପ୍ରସଙ୍ଗ ହୋଇଛି ଏମ୍ଏମ୍ଡିଆର ସଂଶୋଧନ ଆଇନ। ସରକାରଙ୍କୁ ଘେରିବା ପାଇଁ ସବୁଆଡ଼ୁ ସଣ୍ଡୁଆସୀ ଆକ୍ରମଣ କରୁଛନ୍ତି ବିରୋଧୀ। ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଚାରି ଦିନ ଆଦୌ ଚାଲି ନାହିଁ।

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଏବେ ବଡ଼ ପ୍ରସଙ୍ଗ ହୋଇଛି ଏମ୍ଏମ୍ଡିଆର ସଂଶୋଧନ ଆଇନ। ସରକାରଙ୍କୁ ଘେରିବା ପାଇଁ ସବୁଆଡ଼ୁ ସଣ୍ଡୁଆସୀ ଆକ୍ରମଣ କରୁଛନ୍ତି ବିରୋଧୀ। ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଚାରି ଦିନ ଆଦୌ ଚାଲି ନାହିଁ। ଏମ୍ଏମ୍ଡିଆର ପ୍ରସଙ୍ଗରେ ବିରୋଧୀ ଗୃହ କମ୍ପାଉଛନ୍ତି। ସୋମବାର ଓ ମଙ୍ଗଳବାର ଦିନ ବିଧାନସଭା ବାହାରେ ବିରୋଧୀ ବଡ଼ଧରଣର ବିକ୍ଷୋଭ ସମାବେଶ ଆୟୋଜନ କରିବେ। ଏମ୍ଏମ୍ଡିଆର ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ ବିରୋଧୀଙ୍କୁ ପ୍ରଭାବୀ ଢଙ୍ଗରେ ମୁକାବିଲା କରିପାରି ନଥିବା ଶାସକ ଦଳ ଏବେ କି ରଣନୀତି କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୋମବାର ଦିନ ବିଜେଡି ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଖଣି ଓ ଖଣି ଥିବା ଜମି ଉପରେ ରାଜ୍ୟମାନଙ୍କ ଅଧିକାରକୁ ଏମ୍ଏମ୍ଡିଆର ସଂଶୋଧନ ଆଇନ ଛଡ଼ାଇ ନେଇଛି। ରାଜ୍ୟ ବିରୋଧୀ ଏହି କଳା ଆଇନର ପ୍ରତ୍ୟାହାର ଦାବିରେ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ସମାବେଶରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେବେ। ସମାବେଶକୁ ସଫଳ କରିବା ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ସବୁ ନିର୍ବାଚନମଣ୍ଡଳୀରୁ ଲୋକଙ୍କୁ ଆଣିବା ପାଇଁ ବିଧାୟକ, ପରାଜିତ ବିଧାୟକ ପ୍ରାର୍ଥୀ ଓ ବରିଷ୍ଠ ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି। ୨୦୨୪ ନିର୍ବାଚନ ପରେ ଦଳର ଏହା ସବୁଠାରୁ ବଡ଼ ସାଧାରଣ ସଭା ହେବ ବୋଲି କୁହାଯାଉଛି।
ଆଜି ବିଜେଡି, କାଲି ଇଣ୍ଡି ମେଣ୍ଟର ବିଧାନସଭା ଘେରାଉ
ବିରୋଧୀଙ୍କ ମୁକାବିଲା କରିବାକୁ ଶାସକ ଦଳର ରଣନୀତି
ମଙ୍ଗଳବାର ଦିନ ଇଣ୍ଡି ମେଣ୍ଟର ପାଳି। ଏହି ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ କଂଗ୍ରେସ, ସିପିଆଇ, ସିପିଆଇଏମ୍, ସିପିଆଇଏମ୍ଏଲ୍ ଲିବରେସନ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ସମାଜବାଦୀ ପାର୍ଟି, ଆର୍ଜେଡି ଓ ଏନ୍ସିପି ସାମିଲ ହେବେ। ବିଭିନ୍ନ ସ୍ଥାନରେ ଆଞ୍ଚଳିକ ସମାବେଶ ପରେ ୨୯ ତାରିଖରେ ବିଧାନସଭା ଘେରାଉ କରାଯାଉଛି।
ଏହା ପରେ ଇଣ୍ଡି ମେଣ୍ଟ ଓଡ଼ିଶା ବନ୍ଦ ଡାକରା ଦେବାକୁ ଯୋଜନା କରିଛି। ଏହି ଆଇନ କରି ଦେଶର ସଂଘୀୟ ବ୍ୟବସ୍ଥା ମଧ୍ୟରେ ରାଜ୍ୟଗୁଡ଼ିକର କ୍ଷମତା ଓ ଅଧିକାରକୁ ସଙ୍କୁଚିତ କରୁଥିବାରୁ ଏହାକୁ ରଦ୍ଦ କରିବାକୁ ମେଣ୍ଟର ନେତାମାନେ ଦାବି କରିଛନ୍ତି। ଓଡ଼ିଶା ସମେତ ୧୫ରୁ ଅଧିକ ରାଜ୍ୟର ଖଣି, ଜମି, ଜଳ, ଜଙ୍ଗଲ, ଘରବାଡ଼ି ଓ ଜୀବିକାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଏମ୍ଏମ୍ଡିଆର ସଂଶୋଧନ ଆଇନ ଅଣାଯାଉଛି ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ବିଧାନସଭା ଅଧିବେଶନର ପ୍ରଥମ ଚାରିଦିନ ଗୃହ କାର୍ଯ୍ୟ ହୋଇ ପାରିନାହିଁ। ସର୍ବଦଳୀୟ ବୈଠକ ଡକାଯାଇଥିଲେ ବି ତାହାର ନିଷ୍କର୍ଷ ବାହାରି ନାହିଁ। ଯେହେତୁ ବିରୋଧୀ ଦଳ ଏମ୍ଏମ୍ଡିଆର ପରି ଏକ ବଡ଼ ପ୍ରସଙ୍ଗକୁ ଧରିଛନ୍ତି, ତେଣୁ ଆଉ ପଛକୁ ହଟିବାର ସମ୍ଭାବନା ନାହିଁ। ବରଂ ଅଧିବେଶନର ଅବଶିଷ୍ଟ ପାଞ୍ଚ ଦିନରେ ଜୋରଦାର ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ପ୍ରତିବାଦର ଭିନ୍ନ ଭିନ୍ନ ତରିକା ଆପଣାଇବେ। ଏମ୍ଏମ୍ଡିଆର ଆଇନ ପାରିତ ହେବାକୁ ପାଖାପାଖି ଦେଢ଼ ମାସ ହେଲାଣି। କିନ୍ତୁ ଶାସକ ଦଳ ବିଜେପି ଏହି ପ୍ରସଙ୍ଗରେ ଏବେ ବି ବ୍ୟାକ୍ ଫୁଟରେ ରହିଛି। ବିରୋଧୀଙ୍କୁ କାଉଣ୍ଟର୍ କରିବାକୁ ଦଳର ନେତାମାନେ ପ୍ରତିକ୍ରିୟା ରଖୁଛନ୍ତି ସତ, କିନ୍ତୁ ତାହା ଲୋକଙ୍କୁ ଏ ଯାଏଁ ଛୁଇଁପାରୁନି। ଏପରିକି ବୁଦ୍ଧିଜୀବୀ ଓ ନାଗରିକ ସଂଗଠନର ସମର୍ଥନ ମଧ୍ୟ ସରକାର ପାଉ ନାହାନ୍ତି। କାଁଭାଁ କିଛି ସଂଗଠନକୁ ବାଦ୍ ଦେଲେ ସମସ୍ତେ ଏହି ବିଲ୍ ରାଜ୍ୟର ସ୍ବାର୍ଥହାନି କରିବ ବୋଲି ମତ ଦେଉଛନ୍ତି। ପୁଣି ବିଧାନସଭାକୁ ବିରୋଧୀ ଅଚଳ କରିଦେଉଥିବାରୁ ପ୍ରସଙ୍ଗଟି ଆହୁରି ବଡ଼ ଆକାର ଧାରଣ କରୁଛି। ତେଣୁ ବିଧାନସଭା ଭିତରେ ଓ ବାହାରେ ଯେଉଁ ଏମ୍ଏମ୍ଡିଆର ବିରୋଧୀ ପ୍ରତିକ୍ରିୟା ସୃଷ୍ଟି ହେଉଛି, ତାହାକୁ କିପରି ମୁକାବିଲା କରିହେବ ସେଥିପାଇଁ ସରକାର ଓ ସରକାରୀ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି। ଆସନ୍ତା ଦୁଇ ଦିନ ଗୁରୁତ୍ବପୂର୍ଣ୍ଣ ଥିବାରୁ ଦଳ କି ପଦକ୍ଷେପ ନେଉଛି, ତାହା ଜଣାପଡ଼ିବ।
ସୌଜନ୍ୟ ସମ୍ବାଦ




