There is no cowshed: ମୟୂରଭଞ୍ଜରେ ନାହିଁ ଗୋଶାଳା, ପଡ଼ିଶା ଭରସା!

ସରକାର ସାମାନ୍ୟତମ ସୁବିଧା ଉପଲବ୍‌ଧ କରିବାରେ ସକ୍ଷମ ହେଉ ନାହାନ୍ତି। ଉଦ୍ଧାର ଗାଈଗୋରୁଙ୍କୁ ରଖିବା ପାଇଁ ରାଜ୍ୟରେ ଆବଶ୍ୟକ ଗୋଶାଳା ନାହିଁ। ମୟୂରଭଞ୍ଜ ଭଳି ଏକ ବଡ଼ ଜିଲ୍ଲା....

କୁଳିଅଣା: ସରକାର ସାମାନ୍ୟତମ ସୁବିଧା ଉପଲବ୍‌ଧ କରିବାରେ ସକ୍ଷମ ହେଉ ନାହାନ୍ତି। ଉଦ୍ଧାର ଗାଈଗୋରୁଙ୍କୁ ରଖିବା ପାଇଁ ରାଜ୍ୟରେ ଆବଶ୍ୟକ ଗୋଶାଳା ନାହିଁ। ମୟୂରଭଞ୍ଜ ଭଳି ଏକ ବଡ଼ ଜିଲ୍ଲା ମଧ୍ୟ ଏ କ୍ଷେତ୍ରରେ ଅଣଦେଖାର ଶିକାର ହେଉଛି।ମୟୂରଭଞ୍ଜର କ୍ଷେତ୍ରଫଳ ହେଉଛି ୧୦,୪୧୮ ବର୍ଗ କିଲୋମିଟର। ଏଠାରେ ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଘରେ ଗୋରୁଗାଈ ପାଳନ କରନ୍ତି। ଏବେ ଜିଲ୍ଲାରେ ଗୋ-ମାଫିଆମାନେ ସକ୍ରିୟ ଅଛନ୍ତି।

ଯେଉଁମାନେ ବିଭିନ୍ନ ଗାଁ ସହ ବାଦାମପାହାଡ଼, ଯଶିପୁର, ରରୁଆଁ, ହାଟବାଦଡ଼ା, ସାରସକଣା, କୁଳିଅଣା, ବାଲିଯୋଡ଼ା ଆଦି ସାପ୍ତାହିକ ହାଟରୁ ଗୋରୁଗାଈ କିଣି ଜିଲ୍ଲା ବାହାର ତଥା ରାଜ୍ୟ ବାହାରକୁ ଗାଡ଼ି ଦ୍ବାରା ବେଆଇନ ଭାବେ ଚାଲାଣ କରୁଛନ୍ତି। କେବଳ ସେତିକି ନୁହେଁ, ଅନ୍ୟ ଜିଲ୍ଲା ତଥା ରାଜ୍ୟର ଗୋ-ମାଫିଆମାନେ ମୟୂରଭଞ୍ଜ ଦେଇ ବେଧଡ଼କ ଗୋ-ଚାଲାଣ ଚଳାଇଛନ୍ତି।  ଅଧିକାଂଶ ସମୟରେ ପୁଲିସ କର୍ମଚାରୀ ଏବଂ ବିଭିନ୍ନ ସାମାଜିକ ସଂଗଠନର କର୍ମୀମାନେ ସଂପୃକ୍ତ ଗାଡ଼ିଗୁଡ଼ିକୁ ଅଟକାଇ ଗୋରୁଗୁଡ଼ିକୁ ଉଦ୍ଧାର କରୁଛନ୍ତି।  ମୟୂରଭଞ୍ଜରେ ଗୋଟିଏ ହେଲେ ବି ସ୍ବୀକୃତିପ୍ରାପ୍ତ ଗୋଶାଳା ନ ଥିବାରୁ ବାଧ୍ୟହୋଇ ଉଦ୍ଧାର ଗୋରୁଗାଈଙ୍କୁ ପଡ଼ୋଶୀ ବାଲେଶ୍ବର ଜିଲ୍ଲା ବାମପଦାସ୍ଥିତ ମା’ ଭାରତୀ ଓ କେନ୍ଦୁଝର ଜିଲ୍ଲା ଜନାର୍ଦ୍ଦନପୁର ଶ୍ରୀକୃଷ୍ଣ ସୁଧା ଚାରିଟେବଲ୍‌ ଟ୍ରଷ୍ଟ ସହ ଝାଡ଼ଖଣ୍ଡ ଚାକୁଳିଆ ଗୋଲକଧାମସ୍ଥିତ ସ୍ବୀକୃତିପ୍ରାପ୍ତ ଗୋଶାଳାକୁ ପଠାଯାଉଛି। ଯେଉଁଥିପାଇଁ ପୁଲିସ ପ୍ରଶାସନକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବେଳେବେଳେ ସଂପୃକ୍ତ ଗୋଶାଳାଗୁଡ଼ିକରେ ସ୍ଥାନାଭାବ ଯୋଗୁ ସମସ୍ୟା ଦ୍ବିଗୁଣିତ କରିଦେଉଛି।

ସୌଜନ୍ୟ ସମ୍ବାଦ

Exit mobile version