They ignored the Chief Minister’s orders: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବାଏଁବାଏଁ ଉଡ଼ାଇଦେଲେ: କଣ୍ଟ ପୂରିଲା, ୮ ଜିଲ୍ଲାରେ ଧାନକିଣା ହେଲାନି

ସାରା ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ। ‌କେଉଁଠି ମଣ୍ଡି ଖୋଲୁନି ତ କେଉଁଠି ଚାଷୀ ମଣ୍ଡି ଆଗରେ ଧାନ ଗଦାଇ ରଖିଛନ୍ତି। ମଣ୍ଡି ଖୋଲୁ ନଥିବାରୁ ବେପାରୀମାନେ ଗାଁ ଗାଁରେ ପଶି ଧାନ ଉଠାଉଛନ୍ତି।

ଭୁବନେଶ୍ବର: ସାରା ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ। ‌କେଉଁଠି ମଣ୍ଡି ଖୋଲୁନି ତ କେଉଁଠି ଚାଷୀ ମଣ୍ଡି ଆଗରେ ଧାନ ଗଦାଇ ରଖିଛନ୍ତି। ମଣ୍ଡି ଖୋଲୁ ନଥିବାରୁ ବେପାରୀମାନେ ଗାଁ ଗାଁରେ ପଶି ଧାନ ଉଠାଉଛନ୍ତି। ଏପରି ସ୍ଥିତିକୁ ଦେଖି ଗତ ଡିସେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଧାନକିଣା ପ୍ରକ୍ରିୟାର ସମୀକ୍ଷା କରିଥିଲେ। ଜାନୁଆରି ୧୦ ସୁଦ୍ଧା ୩୦ଟି ଯାକ ଜିଲ୍ଲାରେ ଧାନକିଣା ଆରମ୍ଭ କରିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ, ଜାନୁଆରି ୧୦ କଣ୍ଟ ପୂରିଥିଲେ ବି ସବୁ ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇପାରିଲାନି କି ମଣ୍ଡି ଖୋଲିଲାନି। ଯୋଗାଣ ବିଭାଗ, ସମବାୟ ବିଭାଗର ଅଧିକାରୀମାନେ ଖୋଲାଖୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବାଏଁବାଏଁ ଉଡ଼ାଇଦେଲେ। ଯେଉଁଥି ପାଇଁ ଖରିଫ ଋତୁରେ ରାଜ୍ୟ ସରକାର ୭୩ ଲକ୍ଷ ମେଟ୍ରିକ୍‌ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏବେ ସୁଦ୍ଧା ୧୭.୮୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନକିଣା ହୋଇଛି। ଯାହା ମୋଟ୍ ଟାର୍ଗେଟ୍‌ର ୨୪.୪୫%। ନଭେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ରାଜ୍ୟ ସରକାର ଖରିଫ ଧାନ କିଣିବାକୁ ଟାର୍ଗେଟ୍ ରଖିଥିବାବେଳେ ଏବେବି ଏକ ଚତୁର୍ଥାଂଶ ଧାନ କିଣି ପାରିନାହାନ୍ତି।

ମୁଖ୍ୟମନ୍ତ୍ରୀ ଧାନକିଣା ପ୍ରକ୍ରିୟାର ସମୀକ୍ଷା କରିବା ଦିନ ୧୭ଟି ଜିଲ୍ଲାରେ ମଣ୍ଡି ଖୋଲି ଧାନକିଣା ହେଉଥିଲା। ଏହାପରେ ୧୮ଦିନ ବିତିଯାଇଥିଲେ ବି ଆଉ ମାତ୍ର ୫ଟି ଜିଲ୍ଲାରେ ଅର୍ଥାତ୍ ଆଜି ସୁଦ୍ଧା ୨୨ଟି ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି। ଏବେବି ୮ଟି ଜିଲ୍ଲା ଯଥା ପୁରୀଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳଯାଜପୁର, ନୟାଗଡ଼, ଭଦ୍ରକ, ଢେଙ୍କାନାଳରେ ଧାନକିଣା ଆରମ୍ଭ ହୋଇପାରିଲାନି। ଏଥିରୁ ୫ଟି ଉପକୂଳ ଜିଲ୍ଲାରେ ଅଧିକ ଜଳସେଚିତ ଜମି ଥିବାବେଳେ ବହୁତ ଧାନ ଅମଳ ହୋଇଥାଏ। କେତେକ ଚାଷୀ ଧାନ ଅମଳ କରି ଖଳାରେ ପକାଇଛନ୍ତି, ନଚେତ ବେପାରୀ ଡାକି ଧାନ ବିକୁଛନ୍ତି। ହେଲେ ସରକାର ମଣ୍ଡି ଖୋଲିବା ନେଇ ପଦକ୍ଷେପ ନେଉନାହାନ୍ତି।

୭୩ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ସଂଗ୍ରହ ହୋଇଛି ମାତ୍ର ୧୭.୮୫ ଲକ୍ଷ ମେଟ୍ରିକ୍‌ ଟନ୍‌
ବେପାରୀଙ୍କୁ କମ୍‌ ମୂଲ୍ୟରେ ଧାନ ବିକୁଛନ୍ତି ଚାଷୀ

ଧାନକିଣା ପ୍ରକ୍ରିୟାରେ ଅବ୍ୟବସ୍ଥା ନେଇ ସମବାୟ, କୃଷି ଓ ଯୋଗାଣ ମନ୍ତ୍ରୀ ବିଭିନ୍ନ ସମୟରେ ବିରୋଧୀ ଦଳକୁ ଦାୟୀ କରୁଛନ୍ତି। ବିରୋଧୀ ଦଳ ମିଲର ଓ ଚାଷୀଙ୍କୁ ଉସୁକାଇ ଧାନକିଣାରେ ଅବ୍ୟବସ୍ଥା ହେଉଥିବା ପ୍ରଚାର କରୁଛନ୍ତି ବୋଲି ମନ୍ତ୍ରୀମାନେ କହି ବୁଲୁଛନ୍ତି। କିନ୍ତୁ କେମିତି ମଣ୍ଡି ଖୋଲିବ ସେ ନେଇ ତ୍ବରିତ ପଦକ୍ଷେପ ନେଉନାହାନ୍ତି। ଫଳରେ ଚାଷୀ ମଣ୍ଡି ଅପେକ୍ଷା ଏବେ ବାହାର ରାଜ୍ୟ ଓ ରାଜ୍ୟ ଭିତରେ ଦଲାଲ୍‌ଙ୍କୁ ଭରସା କରିଛନ୍ତି। ସରକାରୀ ଧାନ କ୍ବିଣ୍ଟାଲ୍‌ ଏମ୍‌ଏସ୍‌ପି ପିିଛା ୨୩୦୦ ଟଙ୍କା ଏବଂ ଇନ୍‌ପୁଟ୍ ସହାୟତା ବାବଦ ୮୦୦ ଟଙ୍କାକୁ ଭରସା ନ କରି ବେପାରୀଙ୍କୁ କମ୍ ଦାମ୍‌ରେ ଧାନ ବିକୁଛନ୍ତି। ଏପରିକି ଏମ୍‌ଏସ୍‌ପିଠାରୁ ୨୦୦ରୁ ୩୦୦ ଟଙ୍କା କମ୍‌ରେ ଧାନ ବିକୁଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ମୁଖ୍ୟ ସଚିବ ଅନୁ ଗର୍ଗ ବି ଜାନୁଆରି ୩ରେ ଯୋଗାଣ ବିଭାଗର ସମୀକ୍ଷା କରିବା ସହ ଧାନକିଣା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ବିଭାଗର ପ୍ରମୁଖ ସଚିବ ଏବଂ ଅନ୍ୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାହାକୁ ବି ବିଭାଗ କାର୍ଯ୍ୟାନ୍ବିତ କରିପାରିଲାନି।

ମିଳିଥିବା ସୂଚନା ଅନୁଯାୟୀ, ଏବେ ସୁଦ୍ଧା ୨୨ଟି ଜିଲ୍ଲା ଯଥା ଅନୁଗୁଳ, ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଗଜପତିଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡିକେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରିମୟୂରଭଞ୍ଜନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁରସୁବର୍ଣ୍ଣପୁର, ସୁନ୍ଦରଗଡ଼ରେ ଧାନକିଣା ଆରମ୍ଭ ହୋଇଛି। ଏପରିକି ଏହି ସବୁ ଜିଲ୍ଲାରେ ଏପର୍ଯ୍ୟନ୍ତ ଯେତିକି ମଣ୍ଡି ଖୋଲିବା କଥା ‌ତାହା ବି ଖୋଲାଯାଇପାରିନି। ଏଠାରେ ଧାନ ରଖିବାକୁ ଗୋଦାମ ଅଭାବ ପଡ଼ୁଥିବାରୁ ଧାର୍ଯ୍ୟ ହୋଇଥିବା ପାକ୍‌ସଗୁଡ଼ିକରେ ମଣ୍ଡି ଖୋଲି ପାରିନାହାନ୍ତି।

ଏହି ୨୨ଟି ଜିଲ୍ଲାରେ ମଣ୍ଡିକୁ ଆଜି ପର୍ଯ୍ୟନ୍ତ ୧୭,୯୧,୫୯୭ ମେଟ୍ରିକ୍‌ ଟନ୍ ଧାନ ଆସିଥିବାବେଳେ ୧୭,୮୫,୨୫୨ ମେଟ୍ରିକ ଟନ୍ ଧାନ କିଣା ହୋଇଛି। ୪,୦୬,୩୩୯ ଜଣ ଚାଷୀ ଧାନ ବିକିଛନ୍ତି। ମିଲର୍‌ମାନେ ୧୭,୩୮,୯୭୨ ମେଟ୍ରିକ୍‌ ଟନ୍ ଧାନ ଉଠାଇଥିବାବେଳେ ମଣ୍ଡିରେ ୪୬,୨୮୧ ମେଟ୍ରିକ୍‌ ଟନ୍ ଧାନ ପଡ଼ିରହିଛି। ଧାନ ଏମ୍‌ଏସ୍‌ପି ବାବଦକୁ ରାଜ୍ୟ ସରକାର ୩୧୬୦.୭୦ କୋଟି ଦେଇଥିବାବେଳେ ଇନ୍‌ପୁଟ୍ ସହାୟତା ବାବଦକୁ ୯୭୫.୨୯ କୋଟି ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version