ସମ୍ବଲପୁର: ‘ସମ୍ବଲପୁରରୁ ମହାରାଷ୍ଟ୍ରର ନାନ୍ଦେଡ଼ ଯିବା ପାଇଁ ଟ୍ରେନ୍ ନମ୍ବର ୨୦୮୦୯ ସମ୍ବଲପୁର-ନାନ୍ଦେଡ଼ (ନାଗାବଳୀ ଏକ୍ସପ୍ରେସ)ର ଏସି କୋଚ୍ ବିଇ-୨ରେ ସଂରକ୍ଷିତ ସିଟ୍ ମିଳିଥିଲା। କିନ୍ତୁ ସମ୍ବଲପୁରସ୍ଥିତ କ୍ଷେତରାଜପୁର ଷ୍ଟେସନ ପହଞ୍ଚିବା ବେଳକୁ ଷ୍ଟେସନରେ ଟ୍ରେନ୍ ଥିଲା, କିନ୍ତୁ ଟ୍ରେନ୍ରେ କୋଚ୍ ନଥିଲା। ଏ ସଂକ୍ରାନ୍ତରେ ପ୍ରଥମରେ ଯେତେବେଳେ ଟିଟିଇଙ୍କୁ ଦେଖାଇଲୁ, ଟିଟିଇଙ୍କ ପାଖରେ ମଧ୍ୟ କୌଣସି ସୂଚନା ନଥିଲା। ମୁଁ ଏକୁଟିଆ ନଥିଲି, ଅନେକ ଯାତ୍ରୀ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏ ସଂକ୍ରାନ୍ତରେ ଅଭିଯୋଗ ଏବଂ ପାଟିତୁଣ୍ଡ ପରେ ରେଳ କର୍ତ୍ତୃପକ୍ଷ କୌଣସି ସମସ୍ୟାର ସମାଧାନ କଲେ ନାହିଁ। ବରଂ ଆମେ ନିଜେ ଯିଏ ଯେଉଁଠି ପାରିଲୁ ଆଡ଼ଜଷ୍ଟ କରି ବସି ପଡ଼ିଲୁ। ଏସିରେ ଅଣସଂରକ୍ଷିତ ଜେନରାଲ ଭଳି ଅବସ୍ଥା। ସକାଳ ୧୦.୩୦ରୁ ରାତି ୯.୩୦ଟା ପର୍ଯ୍ୟନ୍ତ ପ୍ରାୟ ୧୧ ଘଣ୍ଟା ଧରି ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛୁ।’ ‘ସମ୍ବାଦ’ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ଏହା କହିଛନ୍ତି ମହାରାଷ୍ଟ୍ରର ଜଣେ ଯାତ୍ରୀ କୀର୍ତ୍ତି ରାଜ।
ରବିବାର ପୂର୍ବାହ୍ଣ ପ୍ରାୟ ୧୦.୩୦ ବେଳକୁ ସମ୍ବଲପୁର ଷ୍ଟେସନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ୨୦ ଜଣ ଯାତ୍ରୀ ଷ୍ଟେସନକୁ ପହଞ୍ଚିବା ବେଳକୁ ତାଙ୍କ କୋଚ୍ ନଥିବା ଅଭିଯୋଗ କରିଥିଲେ। ଥାର୍ଡ ଏସିରେ ମାତ୍ରାଧିକ ମୂଲ୍ୟ ଦେଇ ସଂରକ୍ଷିତ ଟିକଟ ପାଇ ମଧ୍ୟ ଏଭଳି ଅବସ୍ଥା ହୋଇଥିବା ଯୋଗୁଁ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଉତ୍ତେଜନା ଚରମରେ ଥିଲା। ଏଣେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ କିଏ ୨୪ ତ ଆଉ କିଏ ୨୮ ଘଣ୍ଟାରୁ ଅଧିକ ସମୟ ଯାତ୍ରା କରୁଥିବାରୁ ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ଯାତ୍ରୀଙ୍କୁ ଆଶ୍ବସ୍ତ କରିବା ଭଳି ଉତ୍ତର କାହା ପାଖରେ ନଥିଲା। ସେଥିରେ ପୁଣି ଟ୍ରେନ ଛାଡ଼ିବାର ସାଇରନ ବାଜିବା ଆରମ୍ଭ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କୁ ସେମାନଙ୍କ ସିଟ୍ ସମ୍ପର୍କରେ କୌଣସି ବିକଳ୍ପ ସୂଚନା ଦିଆଯାଇ ନଥିଲା।
ଏଭଳି ସ୍ଥିତିରେ ତରବର ହୋଇ ଯାତ୍ରୀମାନେ ଯିଏ ଯେଉଁଠି ପାରିଲେ ବସିପଡ଼ିଥିଲେ। କିନ୍ତୁ କୌଣସି ଯାତ୍ରୀଙ୍କ ଯାତ୍ରା ସୁଖଦ ନଥିଲା। କିଛି ଘଣ୍ଟା ପରେ ଆଗକୁ ବିଇ-୨ କୋଚ୍ ସଂଯୋଗ ହୋଇଯିବ ବୋଲି ଟିଟି କହିଥିଲେ। କିନ୍ତୁ ରାତି ୯.୩୦ ବେଳକୁ ହିଁ ଟ୍ରେନରେ କୋଚ ସଂଯୋଗ ହୋଇଥିବା ନେଇ ଯାତ୍ରୀମାନେ କହିଛନ୍ତି। ରେଳବାଇ ପକ୍ଷରୁ କୁହାଯାଇଛି, ବୈଷୟିକ ତ୍ରୁଟିରୁ ହିଁ ବିଇ-୨ କୋଚ୍ ଟ୍ରେନ ନମ୍ବର ୨୦୮୦୯ରେ ସଂଯୋଗ ହୋଇ ପାରି ନଥିଲା। ପ୍ରଭାବିତ ଯାତ୍ରୀମାନଙ୍କୁ ଅନ୍ୟ କୋଚ୍ଗୁଡ଼ିକରେ ଉପଲବ୍ଧ ଖାଲି ବର୍ଥରେ ରଖାଯାଇଥିଲା। ଏଥିପାଇଁ ଅତିରିକ୍ତ ଟିଟିଇଙ୍କୁ ଡ୍ୟୁଟି ଦିଆଯାଇ ଥିଲା। ବୋର୍ଡିଂକୁ ସହଜ କରିବା ପାଇଁ ଟ୍ରେନ୍କୁ ରେଗୁଲେଟ୍ କରାଯାଇଥିଲା। ବିଶାଖପାଟଣାରେ ମଧ୍ୟ ନୂଆ ଯୋଡ଼ାଯାଇଥିବା କୋଚ୍ରେ ଯାତ୍ରୀମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଲଗେଜ୍ ପୋର୍ଟର୍ମାନଙ୍କ ସହାୟତା ନିଆଯାଇଥିଲା।
ସୌଜନ୍ୟ ସମ୍ବାଦ
