ଦେଶ ବିଦେଶ

Government Guidelines : ଇବୋଲା ଆତଙ୍କ ମଧ୍ୟରେ ସଦ୍ୟ ନିର୍ଦ୍ଦେଶାବଳି ଜାରି କଲେ ସରକାର

ନୂଆଦିଲ୍ଲୀ : ଇବୋଲା ଭାଇରସ୍‌କୁ ନେଇ ସାରା ବିଶ୍ବରେ ଆତଙ୍କ ଦେଖାଦେଇଥିବାବେଳେ ସରକାର ଏହି ଭାଇରସ୍‌କୁ ନେଇ ପୁଣି ଏକ ସଦ୍ୟ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଏକ ବିସ୍ତୃତ ବିବୃତିରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ଦେଶରେ ଏଯାବତ ଇବୋଲା ମାମଲା ଚିହ୍ନଟ ହୋଇନାହିଁ । ତେବେ ଯେଉଁମାନେ ଇବୋଲା ପ୍ରଭାବିତ ରାଷ୍ଟ୍ରକୁ ଗସ୍ତ କରିଛନ୍ତି ଏବଂ ସେମାନଙ୍କଠାରେ କିଛି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଦେଉଛି ସେମାନେ ସ୍ଥାନୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଅବଗତ କରନ୍ତୁ। ନିର୍ଦ୍ଦେଶାବଳିରେ କୁହାଯାଇଛି, ଯଦି ଆପଣ ଗତ ୨୧ ଦିନ ମଧ୍ୟରେ ଇବୋଲା ପ୍ରଭାବିତ ରାଷ୍ଟ୍ରରୁ ଏବଂ ଇବୋଲା ପ୍ରଭାବିତ ରାଷ୍ଟ୍ର ଦେଇ ଯାତ୍ରା କରିଛନ୍ତି, ଏବଂ ଆପଣଙ୍କଠାରେ ଜ୍ବର, ମୁଣ୍ଡବିନ୍ଧା, ବାନ୍ତି, ମାଂସପେଶୀରେ ଯନ୍ତ୍ରଣା, ଡାଇରିଆ ଭଳି ଲକ୍ଷଣ ଦେଖାଦେଉଛି ‌ତେବେ ପୃଥକ୍‌ ରୁହନ୍ତୁ ଏବଂ ସ୍ଥାନୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଅବଗତ କରନ୍ତୁ।

କୌଣସି ପ୍ରକାର ସହଯୋଗ ପାଇଁ କର୍ତ୍ତୃପକ୍ଷମାନଙ୍କୁ ଯୋଗାଯୋଗ କରିବାପାଇଁ ସରକାର ମଧ୍ୟ ଏକ ହେଲ୍ପଲାଇନ ନମ୍ବର ୧୦୭୫ ସେୟାର କରିଛନ୍ତି। ନିର୍ଦ୍ଦେଶାବଳିରେ କୁହାଯାଇଛି ଯେ ଆଗୁଆ ରୋଗ ଚିହ୍ନଟ ଜୀବନ ବଞ୍ଚାଇଦେବ ଏବଂ ରୋଗ ବେଶୀ ବ୍ୟାପିବାକୁ ଦେବନାହିଁ। ଉଲ୍ଲେଖଯୋଗ୍ୟ ଯେ ଡିମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଯାତ୍ରା ନକରିବାପାଇଁ ସରକାର ଏକ ନିର୍ଦ୍ଦେଶାବଳି ଜାରି କରିବାର କିଛି ଦିନ ପରେ ଆଜି ଏହି ସଦ୍ୟ ନିର୍ଦ୍ଦେଶାବଳି ଜାରି ହୋଇଛି। ଉଲ୍ଲେଖଯୋଗ୍ୟ ଇବୋଲା ଭାଇରସ୍‌ ଯୋଗୁ ପ୍ରଭାବିତ ରାଷ୍ଟ୍ରମାନଙ୍କରେ ଏଯାବତ ମୃତ୍ୟୁ ସଂଖ୍ୟା ୨୦୦ ଟପିଥିବାବେଳେ ୧୦୭୭ ସନ୍ଦିଗ୍ଧ ମାମଲା ରହିଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button