ଦେଶ ବିଦେଶ

Trump: ଟ୍ରମ୍ପଙ୍କ ଶାନ୍ତି ଆଲୋଚନା କ’ଣ ଏକ ପ୍ରହସନ?

ତେଲ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନୋଭାବ ନେଇ ବିଶ୍ବସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କେତେବେଳେ କ’ଣ କହୁଛନ୍ତି ତାହା ଜଣାପଡୁନି। କିଛି ସମୟ ମଧ୍ୟରେ କହିଥିବା କଥାରୁ ଓହରିଆସି ୟୁଟର୍ଣ୍ଣନେଉଛନ୍ତି। ଏଭଳି ଘଟଣା ବାରମ୍ବାର ଘଟୁଛି। ଗୋଟିଏ ପଟେ ସେ ଶାନ୍ତି ଚୁକ୍ତି ପାଇଁ ଇରାନ ସହିତ ଆଲୋଚନା ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଯୁଦ୍ଧ ନକରିବାକୁ ଅନୁରୋଧ କରୁଛନ୍ତି। ଅନ୍ୟପଟେ ଇରାନର ଖାର୍ଗ ଦ୍ୱୀପକୁ କବଜା କରିବା ପାଇଁ ଯୋଜନା ମଧ୍ୟ କରୁଛନ୍ତି। ଏହା ଟ୍ରମ୍ପଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି। ଖାର୍ଗ ଦ୍ବୀପକୁ କବଜା କରିବା ଲକ୍ଷ୍ୟରେ ଆମେରିକା ନିଜର ୮୨ତମ ଏୟାରବର୍ଣ୍ଣ ୟୁନିଟ୍‌ରୁ ସୈନ୍ୟଙ୍କୁ ଇସ୍ରାଏଲକୁ ପଠାଇଛି। ଏୟାରବର୍ଣ୍ଣ ଡିଭିଜନ ହେଉଛି ସେନାର ମୁଖ୍ୟ ‘କୁଇକ୍ ରିଆକ୍ସନ୍ ଫୋର୍ସ’, ଏହାକୁ ଶତ୍ରୁ ଅଞ୍ଚଳରେ ପାରାଚୁଟ୍‌ରେ ଓହ୍ଲାଇବା ପାଇଁ ତାଲିମ ଦିଆଯାଇଛି। ଆମେରିକା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟପ୍ରାଚ୍ୟକୁ ଏହି ୟୁନିଟ୍ ପଠାଇବାକୁ ନିଜର ଉଦ୍ଦେଶ୍ୟ ପ୍ରକାଶ କରିଥିଲା, କିନ୍ତୁ ଇସ୍ରାଏଲରେ ସୈନ୍ୟଙ୍କୁ ମୁତୟନ କରାଯାଇଥିବା କଥା ଲୁଚାଇ ରଖିଥିଲା। ଆମେରିକୀୟ ସ୍ୱାଧୀନ ସାମ୍ବାଦିକ କେନ୍ କ୍ଲିପେନଷ୍ଟାଇନ୍ ତାଙ୍କ ରିପୋର୍ଟରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି। ସାମରିକ ସୂତ୍ର ଆଧାରରେ ସେ ଦାବି କରିଛନ୍ତି ଯେ, ଇସ୍ରାଏଲରେ ଆମେରିକୀୟ ସୈନ୍ୟ ନିୟୋଜିତ ହୋଇଛନ୍ତି।

ଯୁଦ୍ଧ ବ୍ରିଗେଡ୍ ନିୟୋଜିତ କରିବାକୁ ବିଚାର କରୁଛନ୍ତି

ସେ ଲେଖିଛନ୍ତି, ଯୁଦ୍ଧ ଯୋଜନା ସହିତ ଜଡିତ ସାମରିକ ସୂତ୍ର ଏହି ନିୟୋଜନ ଆମେରିକା ଏବଂ ଇସ୍ରାଏଲର ନୂଆ ମିଳିତ ଯୋଜନାରେ କରାଯାଇଛି ବୋଲି ସୂଚନା ପ୍ରଦାନ କରିଛନ୍ତି। ଏହି ଯୋଜନା ଫେବ୍ରୁଆରି ପରେ ଚୂଡ଼ାନ୍ତ କରାଯାଇଥିଲା ଏବଂ ଖାର୍ଗ ଦ୍ୱୀପକୁ କବଜା କରିବା ଏବଂ ଇରାନ ଭିତରେ ଉପକୂଳବର୍ତ୍ତୀ ଅଞ୍ଚଳ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଇସ୍ରାଏଲରେସୈନ୍ୟ ଅବତରଣ କରିବାର କାରଣ ହେଉଛି ଯେ, ଅନ୍ୟ କୌଣସି ମଧ୍ୟପ୍ରାଚ୍ୟ ଦେଶରେ ସୈନ୍ୟ ଅବତରଣ କରିବା ପାଇଁ ସେହି ଦେଶର ଅନୁମତି ଏବଂ ଏକ ବେସ୍ ଷ୍ଟେସନ୍ ସ୍ଥାପନ ଆବଶ୍ୟକ ହେବ, କିନ୍ତୁ ଇସ୍ରାଏଲରେ ଏହା କରିବା ଆବଶ୍ୟକ ନାହିଁ। ଏହା ବ୍ୟତୀତ, ଏକ ମିଳିତ ଆମେରିକା-ଇସ୍ରାଏଲ ଅଭିଯାନ ଆମେରିକାର ଉପସାଗରୀୟ ଆରବ ସହଯୋଗୀଙ୍କ ପାଇଁ ପ୍ରଶ୍ନ ଉଠାଇଥାଏ। ବିଶେଷକରି ଲଜିଷ୍ଟିକ୍ ସହାୟତା ନେବା ପାଇଁ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ। ମାତ୍ର ୮୨ତମ ୟୁନିଟ୍ କୌଣସି ଉପସାଗରୀୟ ଦେଶର ଅନୁମୋଦନ ବିନା ଇସ୍ରାଏଲରୁ ସିଧାସଳଖ କାର୍ଯ୍ୟ ଆରମ୍ଭ କରିପାରିବ।

ଏପ୍ରିଲ ୭ ତାରିଖରେ ଜାରି ହୋଇଥିବା ଏକ ସେନା ନିୟୋଜନ ଆଦେଶ ଅନୁଯାୟୀ,‘ଜେରୋନିମୋ’ ବାଟାଲିଅନ୍‌ର ୫୦୧ତମ ପଦାତିକ ରେଜିମେଣ୍ଟର ଦ୍ୱିତୀୟ ବାଟାଲିଅନର କିଛି ଅଂଶକୁ ଇସ୍ରାଏଲକୁ ଅସ୍ଥାୟୀ ଡ୍ୟୁଟି ପାଇଁ ଇସ୍ରାଏଲରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଇସ୍ରାଏଲରେ ଏହି ନିୟୋଜନ ନେଇ ପୂର୍ବରୁ କେବେ ରିପୋର୍ଟ ହୋଇନଥିଲା। ଇସ୍ରାଏଲକୁ କେତେ ସୈନ୍ୟ ପଠାଯାଇଛି ସେ ସମ୍ପର୍କରେ ପେଣ୍ଟାଗନ୍ ଏପର୍ଯ୍ୟନ୍ତ ଉତ୍ତର ଦେଇନାହିଁ।ମାର୍ଚ୍ଚ ମାସରେ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଥିଲା ଯେ ବରିଷ୍ଠ ସାମରିକ ଅଧିକାରୀମାନେ ଇରାନରେ ଆମେରିକୀୟ ସାମରିକ ଅଭିଯାନରେ ସହାୟତା କରିବା ପାଇଁ ସେନାର ୮୨ତମ ଏୟାରବର୍ଣ୍ଣ ଡିଭିଜନରୁ ଏକ ଯୁଦ୍ଧ ବ୍ରିଗେଡ୍ ନିୟୋଜିତ କରିବାକୁ ବିଚାର କରୁଛନ୍ତି। ଏହି ବାହିନୀ ଡିଭିଜନର ‘ଇମିଡିଏଟ୍ ରେସପନ୍ସ ଫୋର୍ସ’ ରୁ ଆସିବେ, ଯାହା ପ୍ରାୟ ୩,୦୦୦ ସୈନିକଙ୍କ ଏକ ବ୍ରିଗେଡ୍। ସେମାନେ ୧୮ ଘଣ୍ଟା ମଧ୍ୟରେ ବିଶ୍ୱର ଯେକୌଣସି ସ୍ଥାନରେ ନିୟୋଜିତ ହୋଇପାରିବେ। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି ଯେ ଏହି ବାହିନୀକୁ ଇରାନର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପକୁ କବଜା କରିବା ପାଇଁ ବ୍ୟବହାର କରାଯାଇପାରେ।
‘ଫାଇଭ୍ ଆଇଜ୍‌’କୁ ମଧ୍ୟ ଏହି ଅଭିଯାନରେ ସାମିଲ କରିବାର ପ୍ରୟାସ କରାଯାଉଛି। ଆମେରିକା ସେଠାରେ ଆମେରିକୀୟ ବାୟୁ ପ୍ରତିରକ୍ଷା ଏବଂ ଏଫ୍‌-୨୨ ଲଢୁଆ ବିମାନ ମୁତୟନ କରିଥିବା ନେଇସ୍ୱୀକାର କରିଛି। ଏପରି କରି କାନାଡା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ‘ଫାଇଭ୍ ଆଇଜ୍’ ମେଣ୍ଟରେ ଇସ୍ରାଏଲକୁ ସାମିଲ କରିବାକୁ ଆମେରିକା ଚାହୁଁଛି। ଦ୍ୱିତୀୟ ବାଟାଲିୟନର ଚାର୍ଲି କମ୍ପାନୀ ଏବେ ବି ଇସ୍ରାଏଲରେ ଅଛି, ଏବଂ ଗତ ଦୁଇ ମାସ ଧରି ସେଠାରୁ କୌଣସି ଖବର ଆସିନାହିଁ। ତେଣୁ, ପ୍ରଶ୍ନ ହେଉଛି, ଆମେରିକା କ’ଣ ଏବେ ବି ଇରାନରେ ସ୍ଥଳସେନା ମୁତୟନ କରିବାର ଯୋଜନା କରୁଛି କି? ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆଲୋଚନା କରାଯାଉଥିବା ଶାନ୍ତି ଚୁକ୍ତି କ’ଣ କେବଳ ଏକ ପ୍ରହସନ। ହୁଏତ ହଠାତ୍ ଖବର ଆସିପାରେ ଯେ, ଇରାନର ଖାର୍ଗ ଦ୍ୱୀପକୁ ଦଖଲ କରିବା ପାଇଁ ଆମେରିକା ସୈନ୍ୟ ମୁତୟନ କରିଛି। ଟ୍ରମ୍ପଙ୍କ ଏଭଳି ନୀତି ଅନ୍ତର୍ଜାତୀୟସ୍ତରରେ ଆଶଙ୍କା ସୃଷ୍ଟି କରୁଥିବା କୁହାଯାଉଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button