Trump : ବିରତି ବଢାଇଲେ ଟ୍ରମ୍ପ କିନ୍ତୁ ଆମେରିକାର ସାମରିକ ପ୍ରସ୍ତୁତି ଅନ୍ୟ କାହାଣୀ କହୁଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଇରାନର ଶକ୍ତି କ୍ଷେତ୍ର ଉପରେ ଆକ୍ରମଣ ନ କରିବାର ସମୟସୀମା ଏପ୍ରିଲ ୬ ପର୍ଯ୍ୟନ୍ତ ବୃଦ୍ଧି କରି କହିଛନ୍ତି, ସେମାନେ ୭ ମାଗିଥିଲେ ଏବଂ ମୁଁ କହିଲି, ମୁଁ ଆପଣଙ୍କୁ ୧୦ ଦେବାକୁ ଯାଉଛି।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଇରାନର ଶକ୍ତି କ୍ଷେତ୍ର ଉପରେ ଆକ୍ରମଣ ନ କରିବାର ସମୟସୀମା ଏପ୍ରିଲ ୬ ପର୍ଯ୍ୟନ୍ତ ବୃଦ୍ଧି କରି କହିଛନ୍ତି, ସେମାନେ ୭ ମାଗିଥିଲେ ଏବଂ ମୁଁ କହିଲି, ମୁଁ ଆପଣଙ୍କୁ ୧୦ ଦେବାକୁ ଯାଉଛି। ଟ୍ରମ୍ପଙ୍କ ଏପରି ବିଶାଳ ହୃଦୟ କେବଳ ଇରାନକୁ ଆଶ୍ଚର୍ଯ୍ୟ କରିନାହିଁ, ବରଂ ତେହେରାନ ନିକଟରେ ହଜାର ହଜାର ଅତିରିକ୍ତ ସୈନ୍ୟ ଠୁଳ କରିବା ପାଇଁ ସମୟ ନେବାର ଏକ କୌଶଳ କି ନା ତାହା ସନ୍ଦେହ ସୃଷ୍ଟି କରିଛି। ଆଉ ଏକ ଶନିବାର ପାଖେଇ ଆସୁଥିବାରୁ (ଇରାନ ଉପରେ ଆକ୍ରମଣ କରିବା ପାଇଁ ଟ୍ରମ୍ପଙ୍କ ପସନ୍ଦର ଦିନ), ଅନେକ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ଯେ, ଏହା ଡି-ଡେ (ଡୁମ୍ସ ଡେ ବା ପ୍ରଳୟର ଦିନ) ହେବ, ଆମେରିକା ଇରାନରେ ସ୍ଥଳଯୁଦ୍ଧ ଆରମ୍ଭ କରିବାର ଅଧିକ ସମ୍ଭାବନା ରହିଛି।

କୂଟନୀତି ପ୍ରତି ଟ୍ରମ୍ପଙ୍କ ହଠାତ୍ ହୃଦୟ ପରିବର୍ତ୍ତନ ଏକ ପରିବର୍ତ୍ତିତ ରଣନୀତିର ସଙ୍କେତ ଦେଉଛି। ୧୫-ସୂତ୍ରୀ ଦାବି ଗ୍ରହଣ କରିବାକୁ ଇରାନକୁ ବାଧ୍ୟ କରିବା ପାଇଁ ଆମେରିକା ସାମରିକ ଚାପକୁ ଏକ କୌଶଳ ଭାବେ ବ୍ୟବହାର କରୁଥିବା ଜଣାପଡିଛି। ଆମେରିକାର ଦାବିର କେନ୍ଦ୍ରରେ ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବା ଅଛି, ଯାହା ପ୍ରାୟ ଏକ ମାସ ଧରି ଇରାନ ଦ୍ୱାରା ବନ୍ଦ ହେବା ଦ୍ବାରା ତୈଳ ମୂଲ୍ୟ ଆକାଶଛୁଆଁ ହୋଇଛି।

ତେହେରାନ ୧୦ଟି ତୈଳ ଟ୍ୟାଙ୍କରକୁ ହର୍ମୁଜ ଅତିକ୍ରମ କରିବାକୁ ଅନୁମତି ଦେଇଛି

ଇରାନ ପ୍ରମୁଖ ଜାହାଜ ଚଳାଚଳ ମାର୍ଗକୁ ଅବରୋଧ ଜାରି ରଖିଥିବା ବେଳେ ଟ୍ରମ୍ପ କହିଛନ୍ତି, ବୁଝାମଣା ମଧ୍ୟରେ ସଦ୍ଭାବନା ସଙ୍କେତ ଭାବରେ ତେହେରାନ ୧୦ଟି ତୈଳ ଟ୍ୟାଙ୍କରକୁ ହର୍ମୁଜ ଅତିକ୍ରମ କରିବାକୁ ଅନୁମତି ଦେଇଛି। ଇରାନ ସର୍ବସାଧାରଣରେ ଆମେରିକା ସହିତ କୌଣସି ଆଲୋଚନାକୁ ଅସ୍ୱୀକାର କରିଆସୁଥିବାବେଳେ ଏହା ବ୍ୟାକ୍‌ଚ୍ୟାନେଲ୍‌ କୂଟନୀତିରେ ନିୟୋଜିତ ଅଛି ଏବଂ ଟ୍ରମ୍ପଙ୍କୁ ଦୁର୍ବଳ ବୋଲି ପରିହାସ କରିଛି। ତଥାପି, ଇରାନ ପାଇଁ ସମୟ ସରିଯାଉଥିବା ଜଣାପଡିଛି। ଗୁରୁବାର ଟ୍ରମ୍ପ ନିଜେ ଏହା ଜଣାଇଛନ୍ତି। ଆମେରିକାର ରାଷ୍ଟ୍ରପତି ପୋଷ୍ଟ କରିଛନ୍ତି, ବହୁତ ବିଳମ୍ବ ହେବା ପୂର୍ବରୁ ସେମାନେ ଶୀଘ୍ର ଗମ୍ଭୀର ହେବା ଭଲ, କାରଣ ଥରେ ଏହା ଘଟିଲେ, ପଛକୁ ଫେରିହେବ ନାହିଁ ଏବଂ ଏହା ସୁନ୍ଦର ହେବ ନାହିଁ।

ଟ୍ରମ୍ପଙ୍କ ପାଇଁ ମଧ୍ୟ ସମୟ ଭଲ ନାହିଁ। ଇରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ବୋମାମାଡ଼ ଜାରି ରଖିଛି। ମଧ୍ୟପ୍ରାଚ୍ୟ ନିକଟରେ ଆମେରିକାର ବ୍ୟାପକ ସାମରିକ ପ୍ରସ୍ତୁତିକୁ ଦେଖି ଅନେକ ବିଶେଷଜ୍ଞ ଭବିଷ୍ୟବାଣୀ କରିଛନ୍ତି ଯେ, ଶନିବାର (ମାର୍ଚ୍ଚ ୨୮) ଡି-ଡେ ହୋଇପାରେ। ଆମେରିକାର ସୁରକ୍ଷା ସର୍କଲ ଓ ସାମରିକ ପ୍ରସ୍ତୁତି ପର୍ଯ୍ୟାପ୍ତ ସୂଚନା ଦେଇଛି ଯେ ଏକ ସ୍ଥଳ ଆକ୍ରମଣ ହୋଇପାରେ।

ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଲକ୍ଷ୍ୟ ହେଉଛି- ଇରାନର ଅର୍ଥନୈତିକ ଜୀବନରେଖା ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ କରି ଏହାକୁ ଦଖଲ କରିବା। ଲାରାକ୍ ଦ୍ୱୀପ ଉପରେ ଆକ୍ରମଣ କରିବା, ଯାହା ତେହେରାନକୁ ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ବଜାୟ ରଖିବାରେ ସାହାଯ୍ୟ କରେ। ହର୍ମୁଜର ପଶ୍ଚିମ ପ୍ରବେଶ ଦ୍ୱାର ନିକଟରେ ଅବସ୍ଥିତ ଆବୁ ମୁସା ଓ ନିକଟସ୍ଥ ଦୁଇଟି ଦ୍ୱୀପକୁ ଦଖଲ କରିବା। ଇରାନରେ ଥିବା ଆଣବିକ ସାମଗ୍ରୀକୁ ସୁରକ୍ଷିତ ରଖିବା ପାଇଁ ଇରାନ ଭିତରେ ସ୍ଥଳ ଆକ୍ରମଣ କରିବା।

ତଥାପି, ସମସ୍ତଙ୍କ ନଜର ଇରାନର ‘ମୁକୁଟମଣି’ – ଖାର୍ଗ ଦ୍ୱୀପ ଉପରେ ରହିଛି। ମାର୍ଚ୍ଚ ୧୪ରେ ଆମେରିକା ଇରାନଠାରୁ ପ୍ରାୟ ୨୫ କିମି ଦୂରରେ ଅବସ୍ଥିତ ଖାର୍ଗରେ ଥିବା ସାମରିକ ଘାଟି ଉପରେ ବୋମା ପକାଇ ସାରିଛି। ତଥାପି ଶକ୍ତି ଭିତ୍ତିଭୂମି ରକ୍ଷା ପାଇଥିଲା। ଯଦି ଆମେରିକା ଖାର୍ଗକୁ ଦଖଲ କରେ, ତେବେ ଇରାନର ଅର୍ଥନୈତିକ ପତନ ହେବ। ଏହା ପରେ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ଇରାନକୁ ବାଧ୍ୟ କରିପାରିବେ। ମନେହୁଏ ଯେ ଇରାନ ଏପରି ସମ୍ଭାବନାର ପୂର୍ବାନୁମାନ କରିସାରିଛି ଏବଂ ବହୁସ୍ତରୀୟ ପ୍ରତିରକ୍ଷା ବ୍ୟବସ୍ଥା ସହ ଏହାକୁ ଏକ ଦୁର୍ଗରେ ପରିଣତ କରିଛି।

 

 

ସୌଜନ୍ୟ ସମ୍ବାଦ

Exit mobile version