ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରୁଥିବା ବେଳେ ସେଠାରେ ଶାସନ ବ୍ୟବସ୍ଥା ଓ ପୁନଃନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ଏକ ଶାନ୍ତି ବୋର୍ଡ଼ ଗଠନ କରିଛନ୍ତି। ଗାଜା ଶାନ୍ତି ବୋର୍ଡ଼ରେ ସାମିଲ ହେବାକୁ ଟ୍ରମ୍ପ ଭାରତକୁ ନିମନ୍ତ୍ରଣ କରିଛନ୍ତି। ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି, ଗାଜା ପାଇଁ ଏକ ମୁଖ୍ୟ ବୋର୍ଡ଼ ରହିବ, ଯାହାର ଅଧ୍ୟକ୍ଷତା ଟ୍ରମ୍ପ ନିଜେ କରିବେ। ଏଥିରେ ଯୁଦ୍ଧଗ୍ରସ୍ତ ଅଞ୍ଚଳକୁ ଶାସନ କରିବା ପାଇଁ ପାଲେଷ୍ଟାଇନ ବୈଷୟିକ ବିଶେଷଜ୍ଞମାନଙ୍କର ଏକ କମିଟି ସାମିଲ ହେବ।
ଦ୍ୱିତୀୟ କାର୍ଯ୍ୟକାରୀ ବୋର୍ଡ ପରାମର୍ଶଦାତା ଭୂମିକା ଗ୍ରହଣ କରିବ। ପାକିସ୍ତାନ ମଧ୍ୟ କହିଛି ଯେ, ଗାଜା ଶାନ୍ତି ବୋର୍ଡ଼ରେ ସାମିଲ ହେବାକୁ ତାକୁ ନିମନ୍ତ୍ରଣ ମିଳିଛି। ତେବେ ଭାରତର ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ସହିତ ଐତିହାସିକ ସମ୍ପର୍କ ରହିଥିବାବେଳେ ଏହା ଦୁଇ ଦେଶପାଇଁ ଗ୍ରହଣୀୟ। ଭାରତ ପ୍ରଥମ ଦେଶ ଭାବେ ଇଜିପ୍ଟ ମାଧ୍ୟମରେ ପାଲେଷ୍ଟାଇନକୁ ମାନବୀୟ ସହାୟତା ଯୋଗାଇ ଥିଲା। ଅନ୍ୟପକ୍ଷରେ ପାକିସ୍ତାନ ଗାଜାରେ କୌଣସି ପ୍ରକାର ଭୂମିକା ଗ୍ରହଣ କରିବା ଇସ୍ରାଏଲ ପାଇଁ ଗ୍ରହଣୀୟ ନୁହେଁ ବୋଲି ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ରୁବେନ୍ ଅଜାର କହିଥିଲେ।
ସୌଜନ୍ୟ ସମ୍ବାଦ
