US fighter jet: ଇରାନ ଡ୍ରୋନ୍‌କୁ ମାରି ଖସାଇଲା ଆମେରିକା ଲଢ଼ୁଆ ବିମାନ

ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିବାରେ ଲାଗିଛି। ଆରବ ସାଗରରେ ମୁତୟନ ତା’ର ଯୁଦ୍ଧ ଜାହାଜ ଆଡ଼କୁ ଆକ୍ରାମକ ଭାବେ ମାଡ଼ି ଆସୁଥିବା ଇରାନର ଏକ ଡ୍ରୋନ୍‌କୁ ଏହାର ଫାଇଟର ଜେଟ୍‌ ଗୁଳି କରି ଖସାଇ ଦେଇଥିବା ଆମେରିକା ଦାବି କରିଛି।

ତେହେରାନ: ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିବାରେ ଲାଗିଛି। ଆରବ ସାଗରରେ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି। ଆରବ ସାଗରରେ ମୁତୟନ ତା’ର ଯୁଦ୍ଧ ଜାହାଜ ଆଡ଼କୁ ଆକ୍ରାମକ ଭାବେ ମାଡ଼ି ଆସୁଥିବା ଇରାନର ଏକ ଡ୍ରୋନ୍‌କୁ ଏହାର ଫାଇଟର ଜେଟ୍‌ ଗୁଳି କରି ଖସାଇ ଦେଇଥିବା ଆମେରିକା ଦାବି କରିଛି। ଆରବ ସାଗରରେ ମୁତୟନ ଏହାର ବିମାନ ବାହକ ୟୁଏସ୍‌ଏସ୍‌ ଆବ୍ରାହମ୍‌ ଲିଙ୍କନ ଆଡ଼କୁ ମାଡ଼ି ଆସିୁଥିବା ଇରାନ ଡ୍ରୋନ୍‌କୁ ଏହାର ଲଢ଼ୁଆ ବିମାନ ଗୁଳି କରି ଖସାଇ ଦେଇଥିବା ଆମେରିକା ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି।

ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରୋଲିନ୍ ଲିଭିଟ୍ ଫକ୍ସ ନ୍ୟୁଜ୍‌କୁ କହିଛନ୍ତି ଯେ, ଏହି ଘଟଣା ସତ୍ତ୍ୱେ ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଚଳିତ ସପ୍ତାହର ଶେଷ ଭାଗରେ ଇରାନ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଆମେରିକା ସେନା ସୂଚନା ଅନୁଯାୟୀ, ଇରାନର ଶାହିଦ-୧୩୯ ଡ୍ରୋନ୍‌ ଆନ୍ତର୍ଜାତିକ ଜଳରାଶିରେ ମୁତୟନ ଆମେରିକା ଯୁଦ୍ଧଜାହାଜ ଆଡ଼କୁ ଆକ୍ରାମକ ଭାବେ ମାଡ଼ି ଆସୁଥିଲା। ଆମେରିକା ସେନା ଦ୍ବାରା ଚେତାବନୀ ଦିଆଯିବା ସତ୍ତ୍ବେ ଏହାକୁ ପଛକୁ ହଟି ନଥିଲା। ଏହାପରେ ଯୁଦ୍ଧଜାହାଜରେ ନିୟୋଜିତ ଏକ ଏଫ୍- ୩୫ସି ଲଢ଼ୁଆ ବିମାନ ଦ୍ୱାରା ଡ୍ରୋନ୍‌କୁ ମଝି ଆକାଶରେ ଗୁଳି କରି ଖସାଇ ଦିଆଯାଇଥିଲା। ରିପୋର୍ଟ ଅନୁସାରେ, ଘଟଣା ସମୟରେ ଆମେରିକାର ଯୁଦ୍ଧଜାହାଜଟି ଇରାନର ଦକ୍ଷିଣ ଉପକୂଳରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ଥିଲା।

କୌଣସି ଆମେରିକୀୟ ସୈନିକ ଆହତ ହୋଇନାହାନ୍ତି

ଆମେରିକା ସେନା ଅନୁଯାୟୀ, ଏହାର କିଛି ଘଣ୍ଟା ପରେ ହର୍ମୁଜ ପ୍ରଣାଳୀରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ (ଆଇଆରଜିସି) ଆମେରିକା ପତାକା ଥିବା ଟ୍ୟାଙ୍କର୍‌ ଷ୍ଟେନା ଇମ୍ପେରେଟିଭ୍‌କୁ ଅଟକ ରଖିବାକୁ ଚେଷ୍ଟା କରିଥିଲେ। ଇରାନୀ ସେନାର ଦୁଇଟି ଡଙ୍ଗା ଏବଂ ଏକ ଡ୍ରୋନ ଦ୍ରୁତ ଗତିରେ ଟ୍ୟାଙ୍କରର ପିଛା କରିଥିଲେ। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସ୍ପଷ୍ଟ କରିଛି ଯେ, ଇରାନୀ ଡ୍ରୋନକୁ ଖସାଇ ଦେବାରେ କୌଣସି ଆମେରିକୀୟ ସୈନିକ ଆହତ ହୋଇନାହାନ୍ତି କିମ୍ବା କୌଣସି ଉପକରଣ କ୍ଷତିଗ୍ରସ୍ତ ହୋଇନାହିଁ। ଏହି ଦୁଇଟି ଘଟଣା ଉପସାଗରୀୟ ଅଞ୍ଚଳରେ ଗମ୍ଭୀର ସୁରକ୍ଷା ଚିନ୍ତା ସୃଷ୍ଟି କରିଛି। ଆମେରିକା ଇରାନର ଏହି କାର୍ଯ୍ୟକୁ ଉସୁକାଇବା ପରି ବୋଲି କହିଛି।

ସୌଜନ୍ୟ ସମ୍ବାଦ

Exit mobile version