
Vaibhav Sooryavanshi: ଭାରତୀୟ କ୍ରିକେଟର ଉଦୀୟମାନ ତାରିକା ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ସାରା ବିଶ୍ଵରେ ଚର୍ଚ୍ଚା। ମାତ୍ର ୧୫ ବର୍ଷ ବୟସରେ ଆଇପିଏଲ୍ (IPL 2026)ରେ ସେ ଯେଉଁଭଳି ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି, ତାହା ଦେଖି ପୂରା କ୍ରିକେଟ୍ ଜଗତ ସ୍ତବ୍ଧ। ତାଙ୍କୁ ଯଥା ଶୀଘ୍ର ଭାରତୀୟ ଜାତୀୟ ଦଳରେ ସ୍ଥାନ ଦେବାକୁ ମଧ୍ୟ ଦାବି ଉଠିଲାଣି। ଏହା ମଧ୍ୟରେ ଇଂଲଣ୍ଡର ପୂର୍ବତନ କ୍ରିକେଟର ବଡ଼ ଟିପ୍ପଣୀ କରିଛନ୍ତି। ନିକଟରେ ‘ଷ୍ଟିକ ଟୁ କ୍ରିକେଟ୍’ ପୋଡକାଷ୍ଟରେ ମାଇକେଲ୍ ଭନ୍, ଆଲିଷ୍ଟର କୁକ୍, ଫିଲ୍ ଟଫନେଲ୍ ଏବଂ ଡେଭିଡ୍ ଲଏଡ୍ ବୈଭବଙ୍କୁ ଚାଞ୍ଚଲ୍ୟକର ଭବିଷ୍ୟତବାଣୀ କରିଛନ୍ତି।
ମାଇକେଲ୍ ଭନ୍ କହିଛନ୍ତି ଯେ, ବୈଭବ ମାତ୍ର ୩୫ ବଲରେ ଶତକ ହାସଲ କରିସାରିଛନ୍ତି, ଯାହା କ୍ରିସ୍ ଗେଲ୍ଙ୍କ ୩୦ ବଲ୍ ଶତକର ରେକର୍ଡ ପାଖାପାଖି। ଏହାସହ ଅଭିଷେକ ଶର୍ମାଙ୍କ ଗୋଟିଏ ସିଜିନରେ ୪୨ଟି ଛକା ମାରିବା ରେକର୍ଡ ମଧ୍ୟ ସେ ଭାଙ୍ଗିବାକୁ ଯାଉଛନ୍ତି।ବର୍ତ୍ତମାନ ସୁଦ୍ଧା ସେ ୩୭ଟି ଛକା ମାରିଲେଣି। ଆଲିଷ୍ଟର କୁକ୍ ବୈଭବଙ୍କୁ ବର୍ତ୍ତମାନ ସମୟର ଦୁନିଆର ସବୁଠାରୁ ଶକ୍ତିଶାଳୀ ଛକା ମାରୁଥିବା ଖେଳାଳି ବୋଲି କହିଛନ୍ତି। ଆଗାମୀ ନିଲାମରେ ତାଙ୍କର ଦାମ୍ ଆହୁରି ବଢ଼ିବ ବୋଲି ସେ ଆଶା କରିଛନ୍ତି।
ଭବିଷ୍ୟତ ଓ ଅବସରକୁ ନେଇ ବଡ଼ ବୟାନ
ଆଲୋଚନା ବେଳେ ଫିଲ୍ ଟଫନେଲ୍ ବୈଭବଙ୍କୁ ନେଇ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି। ସେ ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ବୈଭବ ଯେଉଁ ଗତିରେ ଆଗକୁ ବଢ଼ୁଛନ୍ତି, ୨୧ ବର୍ଷ ବୟସ ବେଳକୁ ସେ ‘ବର୍ଣ୍ଣ ଆଉଟ୍’ ଅର୍ଥାତ ଥକି ଯାଇପାରନ୍ତି। ଏହା ପରେ ମାଇକେଲ୍ ଭନ୍ କହିଛନ୍ତି, ସେତେବେଳକୁ ତାଙ୍କ ପାଖରେ ଏତେ ଟଙ୍କା ଥିବ ଯେ ସେ ହୁଏତ ଅବସର ନେଇଯିବେ।
ଭାରତୀୟ ଦଳରେ ସ୍ଥାନ
ଜୁଲାଇ ମାସରେ ହେବାକୁ ଥିବା ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ବୈଭବଙ୍କୁ ସାମିଲ କରିବା ପାଇଁ ଭନ୍ ମତ ଦେଇଛନ୍ତି। ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଏହି ଯୁବ ଖେଳାଳିଙ୍କୁ କିଛି ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସହ ମଧ୍ୟ ତୁଳନା କରୁଛନ୍ତି।
କ୍ରିକେଟ୍ ସମୀକ୍ଷକଙ୍କ ମତ ବୈଭବ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ନିଜକୁ ପ୍ରମାଣିତ କରି ସାରିଛନ୍ତି। ଚୂଡ଼ାନ୍ତ ଏକାଦଶରେ ସାମିଲ୍ ନ କଲେ ବି ଭାରତୀୟ ଦଳରେ ସାମିଲ୍ କରାଯାଉ। ଯଦ୍ଵାରା ସେ ଭାରତୀୟ ଦଳର ଡ୍ରେସିଂ ରୁମ ଓ ମ୍ୟାନେଜମେଣ୍ଟ ସହ ଖାପ ଖୁଆଇ ପାରିବେ। କାରଣ ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳ, ଫ୍ରାଞ୍ଚାଇଜ କ୍ରିକେଟ୍ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି।
ସୌଜନ୍ୟ Prameya News7




