ଜାତୀୟ

Tamil Nadu: ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ସଂଶୋଧନ ବିଲ୍‌ ଦକ୍ଷିଣ ଭାରତୀୟ ରାଜ୍ୟଙ୍କ ପ୍ରତି ଐତିହାସିକ ଅନ୍ୟାୟ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସଭାପତି ଏମକେ ଷ୍ଟାଲିନ ବୁଧବାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ସଂଶୋଧନ ବିଲ୍‌କୁ ତାମିଲନାଡୁ ଏବଂ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ପ୍ରତି ଐତିହାସିକ ଅନ୍ୟାୟ ବୋଲି ଅଭିହିତ କରିଛନ୍ତି। ଏହା ବିରୋଧରେ ଆସନ୍ତାକାଲି ରାଜ୍ୟବ୍ୟାପୀ କଳା ପତାକା ପ୍ରଦର୍ଶନ ପାଇଁ ଷ୍ଟାଲିନ୍‌ ଆହ୍ବାନ ଦେଇଛନ୍ତି। ଷ୍ଟାଲିନ୍‌ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ପ୍ରଶ୍ନ କରିଛନ୍ତି ଯେ, ଭାରତର ଅଭିବୃଦ୍ଧିରେ ଅବଦାନ ପାଇଁ ତାମିଲନାଡୁ ଏବଂ ଦକ୍ଷିଣ ରାଜ୍ୟଗୁଡ଼ିକୁ ଦଣ୍ଡ ଦିଆଯାଉଛି କି ?

ଏହାସହିତ ଚେତାବନୀ ଦେଇଥିଲେ ଯେ, ଏହି ପଦକ୍ଷେପ ସମଗ୍ର ଅଞ୍ଚଳରେ ବ୍ୟାପକ କ୍ରୋଧ ସୃଷ୍ଟି କରିଛି। ସେ ଲେଖିଛନ୍ତି ଯେ, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଆସନ୍ତାକାଲି ସଂସଦରେ ଯେଉଁ ସୀମା ନିର୍ଦ୍ଧାରଣ ସଂଶୋଧନ ବିଲ୍ ଉପସ୍ଥାପନ କରିବାକୁ ଯୋଜନା କରୁଛନ୍ତି ତାହା ତାମିଲନାଡୁ ଏବଂ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଉପରେ ବିରାଟ ଐତିହାସିକ ଅନ୍ୟାୟ। ଏହାକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ କ୍ରୋଧ ଜର୍ଜରିତ ଅବସ୍ଥାରେ ଅଛନ୍ତି, ତେଣୁ ନିଆଁ ସହିତ ନ ଖେଳିବାକୁ ଷ୍ଟାଲିନ୍‌ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତାମିଲନାଡ଼ୁ ଲୋକଙ୍କୁ ଡିଏମ୍‌କେ ମୁଖ୍ୟ ଆାସନ୍ତାକାଲି ଘରେ ଓ ସର୍ବସାଧାରଣରେ କଳା ପତାକା ପ୍ରଦର୍ଶନ କରି ଏହି ପ୍ରସ୍ତାବିତ ବିଲ୍‌କୁ ବିରୋଧ କରିବାକୁ ନିବେଦନ କରିଛନ୍ତି। ଯଦି କେନ୍ଦ୍ର ସରକାର ଏହାକୁ ଅଣଦେଖା କରନ୍ତି ତେବେ ସେମାନଙ୍କୁ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିବ ଷ୍ଟାଲିନ୍‌ କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More
Back to top button