War: ଯୁଦ୍ଧ ପରିପ୍ରେକ୍ଷୀରେ ତନାଘନା: ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସ୍କ୍ବାଡ୍‌କୁ ଆକ୍ସନ ମୋଡ୍‌ରେ ରଖ

ପଶ୍ଚିମ ଏସିଆ ଯୁଦ୍ଧ ସଂକଟ ପରିପ୍ରେକ୍ଷୀରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତାକୁ ନେଇ ଜିଲ୍ଲାସ୍ତରୀୟ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ ମୋଡ୍‌ରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭୁବନେଶ୍ବର: ପଶ୍ଚିମ ଏସିଆ ଯୁଦ୍ଧ ସଂକଟ ପରିପ୍ରେକ୍ଷୀରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତାକୁ ନେଇ ଜିଲ୍ଲାସ୍ତରୀୟ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ ମୋଡ୍‌ରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଭାସୀ ମାଧ୍ୟମରେ ଆଲୋଚନା କରିଛନ୍ତି। ଜିଲ୍ଲା ସ୍ତରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। କଳାବଜାର, ବେଆଇନ ମହଜୁଦକାରୀଙ୍କ ସଂପର୍କରେ ଜିଲ୍ଲାପାଳମାନେ ନିୟମିତ ଭାବେ ବିଭିନ୍ନ ମାର୍କେଟର ସ୍ଥିତି ଅନୁଧ୍ୟାନ କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅ

ଗୁଜବ ସୃଷ୍ଟି କରି ଭୟର ବାତାବରଣ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ସହ ସାମାଜିକ ଗଣମାଧ୍ୟମ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଉଭୟ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ କ୍ରାଇସିସ୍ ମ୍ୟାନେଜ୍‌ମେଣ୍ଟ ଗ୍ରୁପ୍‌ ଗଠନ କରାଯାଇଛି। ଉପଯୁକ୍ତ ସମନ୍ୱୟ ରଖି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ନିୟମିତ ଭାବେ ଉପଲବ୍‌ଧ ହେବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ ପେଟ୍ରୋଲ୍‌, ଡିଜେଲ୍‌, ଗ୍ୟାସ୍, ସାର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍‌ଧତା ସମ୍ପର୍କରେ ଜିଲ୍ଲାପାଳ ନିୟମିତ ତଦାରଖ କରିବେ। ଏହାସହ ଜନସାଧାରଣ ଭୟଭୀତ ନ ହେବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ କୁହାଯାଇଛି।

ଗତ ୨୭ତାରିଖରେ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ସମସ୍ତଙ୍କୁ ଟିମ୍ ଇଣ୍ଡିଆ ସ୍ପିରିଟ୍‌ରେ କାମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିବା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତେ ଗୋଟିଏ ଟିମ୍‌ ମନୋଭାବ ନେଇ ସମନ୍ବିତଭାବେ କାମ କରିବା ଅତ୍ୟନ୍ତ ଜରୁରୀ।
ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ ସିଂହ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରିଥିଲେ। ଜିଲ୍ଲାପାଳମାନେ ସ୍ଥାନୀୟ ଅଞ୍ଚଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ବୈଠକରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ଶ୍ରମ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍ ଓ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ।

 

ସୌଜନ୍ୟ ସମ୍ବାଦ

 

Exit mobile version