War: ଶାନ୍ତି ପ୍ରସ୍ତାବ ମଧ୍ୟରେ ଆକ୍ରମଣ ତୀବ୍ର: ଆମେରିକା-ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼, ଥରିଲା ଇରାନର ପ୍ରମୁଖ ସହର

ପଶ୍ଚିମ ଏସିଆ ଯୁଦ୍ଧ ଆଜି ୨୫ତମ ଦିବସରେ ଏକ ଜଟିଳ ମୋଡ଼ରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ୱାସିଂଟନ୍ ଏବଂ ତେହେରାନ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ଆଲୋଚନା ଚାଲିଥିବା ନେଇ ଦାବି କରିଥିଲେ ସୁଦ୍ଧା, ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ଦେଖାଯାଇଛି।

ତେହେରାନ/ତେଲ୍‌ ଅଭିଭ୍‌/ୱାସିଂଟନ୍: ପଶ୍ଚିମ ଏସିଆ ଯୁଦ୍ଧ ଆଜି ୨୫ତମ ଦିବସରେ ଏକ ଜଟିଳ ମୋଡ଼ରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି  ୱାସିଂଟନ୍ ଏବଂ ତେହେରାନ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ଆଲୋଚନା ଚାଲିଥିବା ନେଇ ଦାବି କରିଥିଲେ ସୁଦ୍ଧା, ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ଦେଖାଯାଇଛି। ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ଇରାନର ଅନେକ ସହର ଉପରେ ଶକ୍ତିଶାଳୀ ଆକ୍ରମଣ କରାଯାଇଛି, ଯାହା ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦ୍ୟୁତ୍ ଭିତ୍ତିଭୂମି ଉପରେ ଆକ୍ରମଣକୁ ସ୍ଥଗିତ ରଖିବାକୁ ଟ୍ରମ୍ପ ଘୋଷଣା କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ, କୋଇଲା ଓ ଗ୍ୟାସ୍‌ ପାଇପ୍‌ଲାଇନ୍‌ ସମେତ ଇରାନର ଦୁଇଟି ବଡ଼ ଗ୍ୟାସ୍‌କେନ୍ଦ୍ରକୁ ଧ୍ୱଂସ କରିଦିଆଯାଇଛି। ହ୍ୱାଇଟ୍ ହାଉସର ବୟାନ ଏବଂ ସେନାର ପ୍ରତ୍ୟକ୍ଷ ଆକ୍ରମଣ ମଧ୍ୟରେ ଥିବା ଏହି ପାର୍ଥକ୍ୟ ବିଶ୍ୱ ଶକ୍ତି ବଜାରରେ ଏକ ଅନିଶ୍ଚିତତା ସୃଷ୍ଟି କରିଛି। ଅନ୍ୟପକ୍ଷରେ ଇରାନ ଏହାର ତୁରନ୍ତ ଜବାବ ଦେଇ କେନ୍ଦ୍ରୀୟ ଇସ୍ରାଏଲର ୨ ଟି ସହର ଉପରେ ନିଆଁ ବର୍ଷା କରିଛି। ଏହା ସହିତ ଆମେରିକା ସହ କୌଣସି ଆନୁଷ୍ଠାନିକ ଆଲୋଚନା ହେଉନଥିବା ବେଳେ ଟ୍ରମ୍ପ କେବଳ ଏ ବାବଦରେ ମିଛ ଓ ମିଥ୍ୟା ଖବର ପ୍ରସାର କରୁଛନ୍ତି ବୋଲି ଇରାନ ସେନା କହିଛି।

କେନ୍ଦ୍ରୀୟ ଇସ୍ରାଏଲ ଉପରେ ନିଆଁ ବର୍ଷା କଲା ଇରାନ
ଟ୍ରମ୍ପଙ୍କ ଆଲୋଚନା ଦାବିକୁ ଇରାନର ପ୍ରତ୍ୟାଖ୍ୟାନ

ଗତ ରାତିରେ ଇରାନର ରାଜଧାନୀ ତେହେରାନରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଆକ୍ରମଣ ରାଜଧାନୀ ତେହେରାନ ସମେତ ଇସଫାହାନ ଓ ତବ୍ରିଜ୍‌ରେ ମଧ୍ୟ ଧ୍ବଂସଲୀଳା ସୃଷ୍ଟି କରିଥିଲା।   ଶିଳ୍ପ ଏବଂ ସାମରିକ କେନ୍ଦ୍ରଗୁଡ଼ିକରେ ଅନେକ ବିସ୍ଫୋରଣ ହୋଇଥିବା ବେଳେ ଏକ ଅତ୍ୟାଧୁନିକ ଡ୍ରୋନ୍ ନିର୍ମାଣ କାରଖାନା ଏବଂ କମାଣ୍ଡ ସେଣ୍ଟର ଧ୍ୱଂସ ହୋଇଯାଇଛି। ତେହେରାନ ନିକଟବର୍ତ୍ତୀ କାରାଜ୍‌ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି, ଯାହା ଇରାନର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଗବେଷଣାର ଏକ ପ୍ରମୁଖ କେନ୍ଦ୍ର।

ଥରିଲା ଇରାନର ପ୍ରମୁଖ ସହର, ଗ୍ୟାସ୍‌ ଭିତ୍ତିଭୂମିକୁ ବି ଟାର୍ଗେଟ

Iran war: ଟ୍ରମ୍ପ-ନେତାନ୍ୟାହୁଙ୍କ ଗୁପ୍ତ ଯୋଜନା ପ୍ରକାଶ କଲା ଇସ୍ରାଏଲୀ ଗଣମାଧ୍ୟମ

ଇରାନର ସରକାରୀ ଗଣମାଧ୍ୟମ ନିଶ୍ଚିତ କରିଛି ଯେ, ଦୁଇଟି ପ୍ରମୁଖ ଗ୍ୟାସ୍‌ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ପାଇପ୍‌ଲାଇନ୍‌ ଆକ୍ରମଣରେ ଅଚଳ ହୋଇଯାଇଛି। ଏହା ଇରାନର ଆଭ୍ୟନ୍ତରୀଣ ଶକ୍ତି କ୍ଷେତ୍ର ଏବଂ ଶିଳ୍ପ କ୍ଷମତାକୁ ଦୁର୍ବଳ କରିବା ପାଇଁ  ଇସ୍ରାଏଲର ଏକ ଜଟିଳ ରଣନୀତି ବୋଲି କୁହାଯାଉଛି। ଏହି ଆକ୍ରମଣର ସମୟ କୂଟନୈତିକ ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପରେ ଇରାନ ଏହି ଆକ୍ରମଣର ତୁରନ୍ତ ପ୍ରତିଶୋଧ ନେଇଛି।  କେନ୍ଦ୍ରୀୟ ଇସ୍ରାଏଲର ତେଲ୍ ଆଭିଭ୍ ଓ ଜେରୁଜେଲମ ଆଖପାଖ ଅଞ୍ଚଳକୁ ଲକ୍ଷ୍ୟ କରି ଇରାନ ଶତାଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଅଧିକାଂଶ କ୍ଷେପଣାସ୍ତ୍ରକୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ କେତେକ କ୍ଷେପଣାସ୍ତ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଏବଂ ଅନ୍ୟ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ପଡ଼ିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଆଜି ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳତ ଆକ୍ରମଣକୁ ‘ନିରାଶାର ଏକ ପ୍ରତିଫଳନ’  ବୋଲି ଇରାନର ରିଭୋଲ୍ୟୁସନାରୀ ଗାର୍ଡ (ଆଇଆର୍‌ଜିସି) କହିଛି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version