Weather Forecast: ଆସନ୍ତା ୧୩ରେ ପୁଣି ଲଘୁଚାପ, ଉତ୍ତର, ଉପକୂଳ ଏବଂ ପଶ୍ଚିମରେ ବେଶି ବର୍ଷିବ, ମହାନଦୀ ଉପମୁଣ୍ଡରେ ମଧ୍ୟ ଅଜାଡ଼ିବ

ଭୁବନେଶ୍ୱର, ୧୦/୦୮: ବର୍ଷା ଛାଡ଼ିଲା ଭଳି ଲାଗୁନି । ଦିନେ ଦୁଇଦିନ ସାମାନ୍ୟ କମିପାରେ । ତା’ପରେ ପୁଣି ବଢ଼ିବ । ୧୩ରୁ ଲଗାଣ ବର୍ଷା ରହିବ ରାଜ୍ୟରେ । ବେଶି ବର୍ଷିବ ଉତ୍ତର, ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ । ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ବି ଅଜାଡ଼ିବ ପ୍ରବଳ । ଏମିତି ସ୍ଥିତି ଆଣିବ ୧୩ରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ । ଏପଟେ ଉତ୍ତର ଓଡ଼ିଶାକୁ ବନ୍ୟା ଛାଡ଼ି ଯାଉନାହିଁ । ବୈତରଣୀ, କାଣୀ, ସାଳନ୍ଦୀ ନଦୀର ଜଳସ୍ତର ବଢ଼ି କାଲି ରାତିରୁ ପୁଣି ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ାରେ ବନ୍ୟା ଜଳ ମାଡ଼ିଛି । ଯଦି ଆଗକୁ ଏଭଳି ଲଗାଣ ବର୍ଷା ହୁଏ, ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇପାରେ । ଅନ୍ୟପଟେ ତଳ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ମହାନଦୀ ବି ଫୁଲିପାରେ । ଆଶଙ୍କା ସମ୍ଭାବ୍ୟ ଲଘୁଚାପ ବର୍ଷା ନଦୀ କୂଳ ଅଞ୍ଚଳକୁ ଆହୁରି ବୁଡ଼ାଇବ । ଫସଲକୁ ବରବାଦ କରିଦେବ ।
ଲଗାଣ ବର୍ଷାରେ ଘାଇ ହୋଇଥିବା ଅଞ୍ଚଳ ପୁଣି ଜଳମଗ୍ନ ହୋଇପାରେ । ବନ୍ୟା ବିପତ୍ତିରେ ହଜାର ହଜାର ହେକ୍ଟର ଫସଲ ବରବାଦ ହୋଇଛି । ଯେତିକି ଫସଲ ବଞ୍ଚିଯାଇଛି, ତାହା ବି ନଷ୍ଟ ହେବା ଆଶଙ୍କା ରହିଛି । ଚାଷ ଜମି ପାଣିରେ ବୁଡ଼ି ରହିଥିବାରୁ ଧାନ ଫସଲ ପଚିଗଲାଣି । ଗତ ଜୁଲାଇ ୨୮ରୁ ଓଡ଼ିଶାରେ ଦେଖା ଦେଇଥିବା ବନ୍ୟା ସ୍ଥିତି ଏଯାଏଁ ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତିକୁ ଫେରିନାହିଁ । ଏବେ ମଧ୍ୟ କେତେକ ଗାଁ ଜଳମଗ୍ନ । ପାଣି ଘେରରେ ଶହଶହ ହେକ୍ଟର ଚାଷ ଜମି । ଫସଲ କ୍ଷୟକ୍ଷତି ଆକଳନ ସରିପାରୁନି । ଗତ ଶୁକ୍ରବାର ସୁଦ୍ଧା ପ୍ରାଥମିକ ରିପୋର୍ଟ ଅନୁସାରେ ୩୭ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା କୁହାଯାଇଥିଲା । ସୋମବାରକୁ ଚୂଡ଼ାନ୍ତ ରିପୋର୍ଟ ଆସିଲେ ପ୍ରଭାବିତ ଫସଲ ପରିମାଣ ଢେର ଅଧିକ ହେବ ବୋଲି କୁହାଯାଉଛି ।
ଗୋଟିଏ ଲଘୁଚାପ ନ ଯାଉଣୁ, ଆଉ ଗୋଟିଏ ଦାନା ବାନ୍ଧିଲାଣି । ବର୍ତ୍ତମାନ ଛତିଶଗଡ଼ ତଥା ଏହାର ସଂଲଗ୍ନ ମଧ୍ୟପ୍ରଦେଶ-ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡର ସୀମାବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସକ୍ରିୟ ଅଛି । ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୧୧ରେ ଉତ୍ତର ବଙ୍ଗୋପସାଗର ଓ ପାଖ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୩ ତାରିଖକୁ ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ଏହା ପ୍ରଭାବରେ ୧୩ରୁ ହିଁ ବର୍ଷା ବଢ଼ିଯିବ । ୧୫ ଯାଏଁ ଲଗାଣ ବର୍ଷା ରହିବ । ବେଶି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ।
ପାଣିପାଗ ବୈଜ୍ଞାନିକ ବିଶ୍ୱଜିତ ସାହୁଙ୍କ କହିବାନୁସାରେ ୧୩-୧୪ ତାରିଖବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ମୁହାଁ ହେବ । ଏହି ସମୟରେ ସୃଷ୍ଟି ହେଉଥିବା ଲଘୁଚାପର ଦକ୍ଷିଣ ଓ ପଶ୍ଚିମ ପଟକୁ ଅଧିକ ବର୍ଷା ହୋଇଥାଏ । ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନ ଉପକୂଳ ଓଡ଼ିଶାରେ ୧୩ରୁ ୧୫ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୪ରୁ ପଶ୍ଚିମ ପଟେ ବି ବର୍ଷା ବଢ଼ିବା ସମ୍ଭାବନା ଅଛି । ପଶ୍ଚିମ ଓଡ଼ିଶା ଏବଂ ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ୧୫-୧୬ ତାରିଖ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ହେବ । ଉପକୂଳ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ । ସକାଳବେଳା ଗୁଳୁଗୁଳି ଅଧିକ ରହିପାରେ ।
ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ତୃତୀୟ ଥର ପାଇଁ ବୈତରଣୀ ଓ ଏହାର ଶାଖା ବୁଢ଼ା, କାଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଜଳସ୍ତର ବୃଦ୍ଧି ପାଇଛି । କେନ୍ଦ୍ରାପଡ଼ାରେ ପୁଣି ବନ୍ୟା ଦେଖା ଦେଇଛି । ଆଳି, କନିକା, ପଟ୍ଟାମୁଣ୍ଡାଇ, ରାଜନଗରରେ ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ପାଣି କମିଯାଇଥିବାବେଳେ ପୁନର୍ବାର ନଈ ମାଡ଼ି ଆସିବାରୁ ଭଙ୍ଗା ଘାଇ ଦେଇ ଗାଁକୁ ପାଣି ପଶିଛି । ଅନେକ ରାସ୍ତା ଉପରେ ପାଣି ଚାଲିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଆଜି ଅପରାହ୍ଣ ୪ଟା ସୁଦ୍ଧା ଯାଜପୁର ଜିଲ୍ଲା ଦଶରଥପୁର ନିକଟରେ ନଦୀର ଜଳସ୍ତର ବିପଦ ସଂକେତ ୯.୫୨ ମିଟର ଟପି ୧୦.୬୦ ମିଟରରେ ପ୍ରବାହିତ ହେଉଥିଲା । କାଣୀ ନଦୀ ଅବବାହିକା ତରପଦା ପଞ୍ଚାୟତ ପାଟଣାସାହିଠାରେ ମରାମତି ହେଉଥିବା ୨ଟି ଘାଇ ମଧ୍ୟରୁ ଗୋଟିଏ ଘାଇରେ ୫ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି । ମରାମତି ହୋଇଥିବା ଘାଇ ବନ୍ୟା ପାଣିରେ ଧୋଇ ଯାଇଛି । ଦଶରଥପୁର ଓ ବଡ଼ଚଣା ବ୍ଲକ ଅନ୍ତର୍ଗତ ୪ଟି ପଞ୍ଚାୟତ ଓ ୧୦ଟି ଗ୍ରାମର ମୋଟ୍ ୧୩ ହଜାର ୪୨୨ ଜଣ ଜନସାଧାରଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ପଟଣାସାହିରେ ମହେଶ୍ୱର ସୂତାର(୫୫) ନାମକ ଜଣେ ମୃଦଙ୍ଗ ବାଦକ ବନ୍ୟା ପାଣିରେ ଭାସି ଯାଇଛନ୍ତି ।
ଭଦ୍ରକ ଜିଲ୍ଲାର ଏବେ ବି ୨ ଶହ ପରିବାର ଜଳବନ୍ଦୀରେ ରହିଛନ୍ତି । ସାଳନ୍ଦୀ ଓ ନାଳିଆ ନଦୀର ବନ୍ଧ ଭାଙ୍ଗି ପାଣି ୧୦ରୁ ଅଧିକ ଗ୍ରାମକୁ ପଶିଛି । ତିହିଡ଼ି ବ୍ଲକ ବିଲଣା ପଞ୍ଚାୟତ ଲଞ୍ଜାତରାଠାରେ ଘାଇ ମେଲିବାରୁ ଲଞ୍ଜା ଗ୍ରାମର ୮୦ ପରିବାର ପାଣି ଘେରରେ ରହିଛି । ଗୋପବିନ୍ଧା ପଞ୍ଚାୟତର ମାତଗଜପୁର ପୋଲ ଉପରେ ୩ ଫୁଟ ଜଳ ପ୍ରବାହିତ ହେଉଛି । ଗୁଆଳିପାଳ, ନରସିଂହପୁର, ତଳଗୋପ, ଜେନା ସାହି, ନାଥପଡ଼ା, ତାଳପଦା ଆଦି ଗ୍ରାମ ଜଳମଗ୍ନ ରହିଛି । ସାଳନ୍ଦୀ ନଦୀର ବାରୋଠାରେ ଫିଟିଥିବା ଘାଇ ଯୋଗୁଁ ବାରୁଅଡିହରେ ୧୫ ପରିବାର ଜଳବନ୍ଦୀ ଅଛନ୍ତି ।
ସନ୍ଧ୍ୟା ୬ଟାବେଳେ ଭଦ୍ରକ ରାଜଘାଟ ଛକଠାରେ ସାଳନ୍ଦୀ ଜଳସ୍ତର ୧୬ ଫୁଟ ଥିଲା । ଜଳସ୍ତର କ୍ରମଶଃ କମୁଛି । ସେହିପରି ବୈତରଣୀ ନଦୀ ଆଖୁଆପଦାଠାରେ ସତର୍କ ସଙ୍କେତ (୧୭.୮୩ ମିଟର) ଟପି ୧୭ .୮୯ ମିଟରରେ ପ୍ରବାହିତ ହେଉଥିଲା । ଜଳସ୍ତର ଏବେ କମିବା ଆରମ୍ଭ କରିଛି । ଜେନାପୁରରେ ବ୍ରାହ୍ମଣୀ ଜଳସ୍ତର ବଢ଼ୁଥିବାବେଳେ ସନ୍ଧ୍ୟାରେ ୨୦.୮୫ ମିଟର ଥିଲା । ବିପଦ ସଙ୍କେତ ହେଉଛି ୨୩ ମିଟର । ସୁବର୍ଣ୍ଣରେଖା ଜଳସ୍ତର ବଢ଼ି ସନ୍ଧ୍ୟା ୬ଟାବେଳେ ରାଜଘାଟରେ ୬.୮୪ ମିଟର ଛୁଇଁଥିଲା । ହେଲେ ବିପଦ ସଙ୍କେତଠାରୁ ଢେର ତଳେ ରହିଛି । ଜଳକା ଜଳସ୍ତର ସ୍ଥିର ଥିବାବେଳେ ସନ୍ଧ୍ୟାରେ ୬.୩୬ ମିଟର ଥିଲା ।
ଜଳ ସମ୍ପଦ ବିଭାଗ ସୂଚନା ଅନୁସାରେ ମହାନଦୀ ଜଳସ୍ତର ସାମାନ୍ୟ ବଢିବାରୁ ଆଜି ହୀରାକୁଦର ଆଉ ୪ଟି ଗେଟ୍ ଖୋଲିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨.୧୫ ଲକ୍ଷ ଘନଫୁଟ ପାଣି ପ୍ରବେଶ କରୁଥିବାବେଳେ ୧୨ଟି ଗେଟ ଦେଇ ସେତିକି ପାଣି ଛଡ଼ାଯାଉଛି । ସନ୍ଧ୍ୟା ୬ଟାବେଳେ ମୁଣ୍ଡୁଳିରେ ୪ ଲକ୍ଷ ୭୪ ହଜାର ୬୨୪ ଘନଫୁଟ ପାଣି ଚାଲିଥିଲା । ଉଭୟ ଖଇରମାଳ ଓ ବରମୂଳରେ ୩ ଲକ୍ଷ ୮୫ ହଜାର ଘନଫୁଟ ପାଣି ଚାଲିଥିଲା । ପଥର୍ଲାରେ ତେଲରେ ପ୍ରବାହିତ ହେଉଥିଲା ୯୪ ହଜାର ୧୧୩ ଘନଫୁଟ ପାଣି । ନରାଜରେ ସନ୍ଧ୍ୟା ୬ଟାବେଳେ ମହାନଦୀ ଜଳସ୍ତର ୨୫.୩୪ ମିଟର ଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୨୬.୪୧ ମିଟର ।
ସୌଜନ୍ୟ ସମ୍ବାଦ




