World Lion Day 2026: ଜଙ୍ଗଲ ରାଜା ଉପରେ ବଡ଼ ସଙ୍କଟ! ନନ୍ଦନକାନନରେ ବଢ଼ୁନାହିଁ ସିଂହ ସଂଖ୍ୟା

ଭୁବନେଶ୍ୱର ୧୦/୦୮: ଆଜି ବିଶ୍ୱ ସିଂହ ଦିବସ । ସିଂହ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ସିଂହ ଦିବସରେ ସଚେତନତା ସୃଷ୍ଟି କରାଯାଇଥାଏ । ଜଙ୍ଗଲର ରାଜା ସିଂହ । କିନ୍ତୁ ଏବେ ଆଉ ଜଙ୍ଗଲରେ ସିଂହ ନାହାନ୍ତି । ସେଭଳି ବଡ଼ ଜଙ୍ଗଲ ନାହିଁ ହୁଏତ ସେମାନଙ୍କ ପାଇଁ ସେଭଳି ପରିବେଶ ନଥାଇପାରେ । ତେଣୁ ଏବେ ସେମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଏଥିପାଇଁ ୧୦ ଅଗଷ୍ଟ ୨୦୧୩ ମସିହାଠାରୁ ବିଶ୍ୱ ସିଂହ ଦିବସ ପାଳନ କରାଯାଇଆସୁଛି ।
ଜଙ୍ଗଲରେ ସିଂହ ଦେଖିବାକୁ ମିଳୁନଥିବା ବେଳେ କେବଳ ଚିଡ଼ିଆଖାନାମାନଙ୍କରେ ସିଂହ ରଖାଯାଇ ବଂଶ ବୃଦ୍ଧି କରାଯାଇପାରୁଛି । କିନ୍ତୁ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ଗତବର୍ଷ ତୁଳନାରେ ମାତ୍ର ଗୋଟିଏ ବଢ଼ିଛି । ଗତବର୍ଷର ୨୨ରୁ ଏହି ସଂଖ୍ୟା ଚଳିତ ବର୍ଷ ୨୩ରେ ପହଞ୍ଚିଛି । ସେଥିରୁ ୧୭ଟି ଏସିଆଟିକ୍ ଓ ୬ଟି ହାଇବ୍ରିଡ଼ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ବଂଶ ବୃଦ୍ଧି ପାଇଁ ୨୦୨୦ରେ ପ୍ରୟାସ ଆରମ୍ଭ ହୋଇଥିଲା । ସେ ସମୟରେ ୧୦ଟି ସିଂହ ଓ ସିଂହୀ ଥିଲେ । ବିଳାସପୁର ଚିଡ଼ିଆଖାନାରୁ ୨୦୨୦ ମାର୍ଚ୍ଚ ୧୭ରେ ୪ଟି(ବସନ୍ତ, ସମ୍ରାଟ, ଜୟ, ଶରତ) ସିଂହ ଅଣାଯାଇଥିଲା । ପୁଣି ସେହିବର୍ଷ ୨୦ ଡିସେମ୍ବରରେ କମଳାନେହେରୁ ପ୍ରାଣୀ ଉଦ୍ୟାନ ଇନ୍ଦୋରରୁ ୨ଟି(ବିଜିଲି ଓ ରେୱା) ସିଂହୀ ଆସିଥିଲେ । ସିଂହୀ ବିଜଲୀ ଓ ସିଂହ ସମ୍ରାଟ ମିଳନରେ ବିଜଲୀ ୪ ଥରରେ ୧୩ଟି ଶାବକ ଜନ୍ମ ଦେଇଥିଲା । ସେହିପରି ସିଂହୀ “ରେୱା’ ସହିତ ସିଂହ “ଜିତ୍’ର ମିଳନରେ ରେୱା ୩ ଥରରେ ୮ଟି ଶାବକ ଜନ୍ମ ଦେଇଛି । ଏଥି ମଧ୍ୟରୁ କିଛି ଶାବକଙ୍କର ମୃତ୍ୟୁ ହୋଇଥିଲା । କିଛି ଅଦଳ ବଦଳ ପ୍ରକ୍ରିୟରେ ଅନ୍ୟ ଚିଡ଼ିଆଖାନାକୁ ଦିଆଯାଇଛି ।
ସୂଚନାଯୋଗ୍ୟ, ଦିନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ୫୦ରୁ ଅଧିକ ଥିଲା । ତେଣୁ ପ୍ରାଣୀ ଉଦ୍ୟାନରେ ପ୍ରତିଷ୍ଠା ହୋଇଥିଲା ସିଂହ ସଫାରୀ । ହୁଏତ କର୍ତୃପକ୍ଷଙ୍କ ଭୁଲ ନିଷ୍ପତ୍ତି କିମ୍ବା ଅନ୍ୟ କିଛି ପାଇଁ ସିଂହ ସଂଖ୍ୟା କମିଯାଇଥିଲା । ଏବେ ସିଂହ ଶାବକ ଜନ୍ମ ହେଉଛନ୍ତି କିନ୍ତୁ ତାଙ୍କୁ ମା’ ଗ୍ରହଣ କରୁନାହିଁ । ତେଣୁ ତାଙ୍କୁ ଶିଶୁ ଲାଳନ ପାଳନ କେନ୍ଦ୍ରରେ ବଢ଼ାଯାଉଛି । କିନ୍ତୁ କିଛି ମରି ମଧ୍ୟ ଯାଉଛନ୍ତି । ସିଂହ ସଂଖ୍ୟା କମୁଥିବାରୁ କର୍ତ୍ତୃପକ୍ଷ ଏବେ ରକ୍ତ ସମ୍ପର୍କ ପରିବର୍ତ୍ତନ ପାଇଁ ଅନ୍ୟ ଚିଡ଼ିଆଖାନାରୁ ସିଂହ ଆଣିବା ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ।
ସୌଜନ୍ୟ ସମ୍ବାଦ




