୨୦୦୭ ମସିହାରେ ମିଳିତ ଜାତିସ˚ଘ ସାଧାରଣ ପରିଷଦରେ ଅଟିଜିମ୍ ନେଇ ସଚେତନତାର ଆବଶ୍ୟକତା ଅନୁଭୂତ ହୋଇଥିଲା। ତେଣୁ ଏପ୍ରିଲ ୨ ତାରିଖକୁ ବିଶ୍ବ ଅଟିଜିମ୍ ସଚେତନତା ଦିବସ ରୂପେ ପାଳନ କରିବା ନେଇ ନିଷ୍ପତ୍ତି ନିଆଗଲା। ୨୦୦୮ରୁ ପ୍ରତିବର୍ଷ ଏହି ଦିନରେ ଅଟିଜିମ୍ ଭୋଗୁଥିବା ଲୋକଙ୍କ ମାନବାଧିକାର, ମୌଳିକ ସ୍ବାଧୀନତା ଓ ସମାଜରେ ଅଂଶଗ୍ରହଣର ସମାନ ଅଧିକାର ପ୍ରସଙ୍ଗକୁ ବିଶ୍ବସ୍ତରରେ ଉତ୍ଥାପନ କରାଯାଉଛି। ଅଟିଜିମ୍ ଭୋଗୁଥିବା ବ୍ୟକ୍ତି ସାଧାରଣତଃ ନିଜ ଭିତରେ ବିଲୀନ ବା ଆତ୍ମବିମୋହିତ ରହନ୍ତି। ବାଲ୍ୟାବସ୍ଥାରୁ ଏହାର ଲକ୍ଷଣ ଦେଖିବାକୁ ମିଳେ ଏବଂ ସାରା ଜୀବନ ଜାରି ରହିଥାଏ।
ଏହାର କୌଣସି ଚିକିତ୍ସା ନାହିଁ, କିନ୍ତୁ ଥେରାପି ଦ୍ବାରା ଜୀବନକୁ ସୁଗମ କରିବା ସମ୍ଭବ। ସ˚ପ୍ରତି ସାରା ବିଶ୍ବରେ ଅଟିଜିମ୍ ଭୋଗୁଥିବା ମଣିଷଙ୍କ ସ˚ଖ୍ୟା ସାତ କୋଟିରୁ ଅଧିକ। କନ୍ୟା ସନ୍ତାନଙ୍କ ତୁଳନାରେ ପୁତ୍ର ସନ୍ତାନ ଏହା ଭୋଗିବାର ଆଶଙ୍କା ପାଞ୍ଚଗୁଣ ଅଧିକ। ତେବେ, ଏହାର କାରଣ ଏବେବି ଅଜଣା। ଏହି ଦୋଷ ଭୋଗୁଥିବା ଶିଶୁଙ୍କ ସ˚ଖ୍ୟା କ୍ରମଶଃ ବଢ଼ୁଥିବାରୁ, ଏ ବାବଦରେ ସଚେତନତା ସୃଷ୍ଟି କରିବା ଖୁବ୍ ଜରୁରି। ଏ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି- ‘ଅଟିଜିମ୍ ଓ ମାନବିକତା- ପ୍ରତିଟି ଜୀବନ ମୂଲ୍ୟବାନ।’
ସୌଜନ୍ୟ ସମ୍ବାଦ

