ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପ୍ରଥମେ ଉତ୍ତର-ଉତ୍ତରପଶ୍ଚିମ ଏବଂ ପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବାର ସମ୍ଭାବନା ରହିଛି । ସୋମବାର ସନ୍ଧ୍ୟା ସୁଦ୍ଧା ଏହା କୋଲକାତା (ପଶ୍ଚିମବଙ୍ଗ)ର ପ୍ରାୟ ୩୦କି.ମି ପଶ୍ଚିମ-ଉତ୍ତରପଶ୍ଚିମରେ, ବର୍ଦ୍ଧମାନର ୭୦ କି.ମି ଦକ୍ଷିଣ-ଦକ୍ଷିଣପୂର୍ବରେ, ବାଂଲାଦେଶ ସାତକ୍ଷୀରାର ୯୦ କି.ମି ପଶ୍ଚିମରେ, ବାଙ୍କୁଡ଼ାର ୧୪୦ କି.ମି ପୂର୍ବ-ଦକ୍ଷିଣପୂର୍ବରେ ଏବଂ ଓଡ଼ିଶାର ବାଲେଶ୍ୱରର ୧୯୦ କି.ମି ଉତ୍ତର-ପୂର୍ବରେ ରହିଥିଲା। ଅବପାତ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମଙ୍ଗଳବାର ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଅଛି । ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି । ସେହିପରି ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲାକୁ ୟେଲୋ ଓ୍ବାର୍ନିଂ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାରେ ଘଡ଼ଘଡ଼ି ସହିତ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।
ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ସେହିପରି ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ସୁଦ୍ଧା ବାଲେଶ୍ୱର ଜିଲା ଭୋଗରାଇରେ ଅତ୍ୟଧିକ ପ୍ରବଳ ବର୍ଷା ହୋଇଛି । ଏଠାରେ ସର୍ବାଧିକ ୨୧୭ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ୯ଟି ସ୍ଥାନରେ ଅତି ପ୍ରବଳ ଏବଂ ୨୫ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।
ସୌଜନ୍ୟ ଧରିତ୍ରୀ




