ଆଶାରାମଙ୍କ ଆଶ୍ରମକୁ ଆଶ୍ୱସ୍ତି, ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, ଜାଣନ୍ତୁ ମାମଲା କ’ଣ?

ନୂଆଦିଲ୍ଲୀ : ଅହମଦାବାଦରେ ଆଶାରାମଙ୍କ ଆଶ୍ରମକୁ ସୋମବାର ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟ ଆଶ୍ରମର ଜମି ଉପରେ ମେ ୪ ତାରିଖ ପର୍ଯ୍ୟନ୍ତ ଯଥାସ୍ଥିତ କାୟମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟ ସରକାର ୪୫ହଜାର ବର୍ଗମିଟର ଜମିକୁ ୨୦୩୦ କମନୱେଲଥ୍ ଗେମ୍ ଲାଗି ସ୍ପୋର୍ଟସ ଇନଫ୍ରାଷ୍ଟ୍ରକ୍ଚର ନିମନ୍ତେ ଫେରସ୍ତ ନେବାକୁ ଚାହୁଁଛନ୍ତି। ତେବେ ଆଶ୍ରମ ଟ୍ରଷ୍ଟ ହାଇକୋର୍ଟଙ୍କ ସେହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି ଯେଉଁଥିରେ ଜବରଦଖଲ ଓ ପଟ୍ଟା ଉଲ୍ଲଂଘନ ଆଧାରରେ ଜମି ଖାଲି କରିବାକୁ କୁହାଯାଇଥିଲା। ତେବେ ସୁପ୍ରିମକୋର୍ଟ ଆଶ୍ରମକୁ ଆପାତତଃ ଉଚିତ ନୋଟିସ୍ ଦିଆଯାଇ ନଥିବା ଜାଣିବାକୁ ପାଇଛନ୍ତି।

କୋର୍ଟ ମାଗିଛନ୍ତି ଡକ୍ୟୁମେଣ୍ଟ
ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ୍ ବିକ୍ରମ ନାଥଙ୍କ ବେଞ୍ଚ ଗୁଜରାଟ ସରକାରଙ୍କୁ ଜମି ସମ୍ପର୍କିତ ସମସ୍ତ ଜରୁରି କାଗଜପତ୍ର କୋର୍ଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଆପାତତଃ ଜାଣିବାକୁ ପାଇଛନ୍ତି ଯେ ଏ ନେଇ ଆଶାରାମଙ୍କ ଟ୍ରଷ୍ଟକୁ ନୋଟିସ୍ ପଠା ଯାଇନଥିଲା। ଏଣୁ ବେଞ୍ଚ ସରକାରଙ୍କୁ ୩ ଦିନ ମଧ୍ୟରେ ସବୁ ଜରୁରି କାଗଜପତ୍ର ଦାଖଲ କରିବାକୁ କହିଛନ୍ତି। ଏହା ସହିତ ଟ୍ରଷ୍ଟକୁ ମଧ୍ୟ ୩ ଦିନ ସମୟ ଦେଇଛନ୍ତି। ତେବେ କୋର୍ଟ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଜମି ଉପରେ ଯଥାସ୍ଥିତି କାୟମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଟ୍ରଷ୍ଟକୁ ମିଳି ନାହିଁ ନୋଟିସ୍
ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତି ଶୁଣାଣି ଆଗାମୀ ସୋମବାରକୁ ଧାର୍ଯ୍ୟ କରିଛନ୍ତି। ଜଷ୍ଟିସ୍ ମେହେଟ୍ଟା ଗୁଜରାଟ ସରକାରଙ୍କ ପକ୍ଷରୁ ଉପସ୍ଥିତ ସୋଲିସେଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଯେ ଏପରି ଲାଗୁଛି ଆବେଦନକାରୀ ଟ୍ରଷ୍ଟକୁ ଏ ବାବଦେ କୌଣସି ନୋଟିସ୍ କରି ନାହାନ୍ତି। ତେବେ ସୋଲିସିଟର ଜେନେରାଲ କହିଛନ୍ତି ଯେ ମାମଲାରେ ଉଚିତ ନୋଟିସ୍ ଜାରି ହୋଇଥିଲା। ପଟ୍ଟା ସର୍ତ୍ତ ଅନେକବାର ଉଲ୍ଲଂଘନ ହୋଇଛି। କେବଳ ଏତିକି ନୁହେଁ ସରକାରୀ ଜମିକୁ ମଧ୍ୟ ଜବରଦଖଲ କରାଯାଇଛି।

ଏବେ ପଟ୍ଟା ସମାପ୍ତ କରୁଛ କାହିଁକି?
ଜଷ୍ଟିସ୍ ନାଥ ସୋଲିସିଟର ଜେନେରାଲଙ୍କୁ କହିଛନ୍ତି ଯେ ଆପଣ ତ ପ୍ରଥମେ ଆଶ୍ରମ ଉପରେ ବେଶ୍ ଦୟାବାନ ଥିଲେ। ପ୍ରଥମେ ଆପଣ ୬୨୬୧ ବର୍ଗମିଟର ଜମି ଲାଗି ପଟ୍ଟା ଦେଲେ। ଦ୍ୱିତୀୟବାର ଆସିବା ପରେ ଆହୁରି ଅଧିକ ଜମି ପଟ୍ଟାରେ ଦେଇଥିଲେ। ଏବେ ଚାହୁଁଛନ୍ତି ପଟ୍ଟା ରାତାରାତ ସମାପ୍ତ ହୋଇଯିବ?ଏଥିରେ ସୋଲିସିଟର ଜେନେରାଲ କହିଛନ୍ତି ଯେ ଜମି ଉପରେ ବିନା ମଞ୍ଜୁରୀରେ ୩୦ରୁ ଅଧିକ ଭବନ ନିର୍ମାଣ କରିଦିଆଯାଇଛି।

ଆବଣ୍ଟନ ରଦ୍ଦ କରିବାକୁ ଦାବି
ସେହିପରି ଟ୍ରଷ୍ଟ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରହତୋଗୀ କହିଛନ୍ତି ଯେ ଜମିକୁ ଓ ତତ୍ ସମ୍ପର୍କିତ ସାମାଜିକ ଗତିବିଦ୍ଧି ଓ ଏକ ସ୍କୁଲ ଲାଗି ଦିଆଯାଇଥିଲା। ୧୯୬୦ ମସିହାରେ ଚାରିଟେବଲ ଟ୍ରଷ୍ଟକୁ ୬୦୦୦ ବର୍ଗ ମିଟରରୁ ଅଧିକ ଜମି ଦିଆଯାଇଥିଲା। ପଟ୍ଟା ସର୍ତ୍ତର କୌଣସି ଉଲ୍ଲଂଘନ ହୋଇ ନାହିଁ। ହେଲେ ଏବେ ସରକାର ଏହି ଭୂ-ଖଣ୍ଡକୁ ବେଆଇନ ଢଙ୍ଗରେ ହାସଲ କରିବାକୁ ଉଦ୍ୟମ କରୁଛନ୍ତି ଓ ଆବଣ୍ଟନ ରଦ୍ଦ କରିବାକୁ ଦାବି କରୁଛନ୍ତି।

ଭଙ୍ଗା ରୁଜା କାର୍ଯ୍ୟାନୁଷ୍ଠାନ ନ ହେଉ
ଏଥିରେ ସର୍ବୋଚ୍ଚ ନ୍ୟାୟାଳୟ ସମ୍ପତ୍ତିରେ କୌଣସି ପ୍ରକାରର ଭଙ୍ଗା ରୁଜା ନ କରିବାକୁ ଆଦେଶ ଦେଇଛନ୍ତି। ଘଟଣାସ୍ଥଳରେ ଯଥସ୍ଥିତ ବହାଲ ରଖିବାକୁ କହିଛନ୍ତି। ଏଥିରେ ସୋଲିସିଟର ଜେନେରାଲ ବେଞ୍ଚଙ୍କୁ ଭରସା ଦେଇଛନ୍ତି ଯେ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଜମିରୁ ଗୋଟେ ବି ଇଟା ବାହାର କରାଯିବନି। ତେବେ ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ଜମିଦଖଲ ବିରୋଧରେ ଟ୍ରଷ୍ଟ ପକ୍ଷରୁ ରୁଜୁ ଅପିଲକୁ ଖାରଜ କରିଦେଇଥିଲେ।

ସୌଜନ୍ୟ Prameya News7