Solar Storm Alert: ଆଦିତ୍ୟ-ଏଲ୍ୱାନ୍ର ନୂଆ ତଥ୍ୟ: ଭୟଙ୍କର ବେଗରେ ବ୍ୟାପୁଛି ସୂର୍ଯ୍ୟ ପ୍ଲାଜ୍ମା, ପୃଥିବୀକୁ ମାଡ଼ି ଆସିପାରେ ସୌର ଝଡ଼

ନୂଆଦିଲ୍ଲୀ, ୧୧/୧୧: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୍ୱାନ୍ ସୂର୍ଯ୍ୟରେ ସଂଘଟିତ ଏକ ଶକ୍ତିଶାଳୀ ବିସ୍ଫୋରଣ ବା କୋରୋନାଲ ମାସ୍ ଇଜେକ୍ସନ୍-ସିଏମ୍ଇର ଅଧ୍ୟୟନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଚକିତ ଆବିଷ୍କାର କରିଛି । ଏଥିରେ ସଂଲଗ୍ନ ଭିଇଏଲ୍ସି (ଭିଜିବଲ ଏମିସନ୍ ଲାଇନ୍ କୋରୋନାଗ୍ରାଫ୍) ଉପକରଣ ଜାଣିବାକୁ ପାଇଛି, ସୂର୍ଯ୍ୟରୁ ନିର୍ଗତ ଏହି ବିପଦପୂର୍ଣ୍ଣ ବିସ୍ଫୋରଣ ମହାକାଶରେ ଚତୁଃପାର୍ଶ୍ୱରେ ସମାନ ରୂପେ ନୁହେଁ, ବରଂ ଅସମାନ ରୂପେ ବ୍ୟାପେ । ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସର ବୈଜ୍ଞାନିକମାନେ ୫ ଅଗଷ୍ଟ ୨୦୨୪ରେ ରେକର୍ଡ ହୋଇଥିବା ଏକ ତୀବ୍ର ସୌର ବିସ୍ଫୋରଣର ତଥ୍ୟକୁ ବିଶ୍ଳେଷଣ କରିବା ପରେ ଏବେ ଏ ବିଷୟରେ ସ୍ପଷ୍ଟ କରିଛନ୍ତି । ଅଧ୍ୟୟନର ତଥ୍ୟ ଆଷ୍ଟ୍ରୋଫିଜିକାଲ ଜର୍ନାଲ ଲେଟର୍ସରେ ପ୍ରକାଶ ପାଇଛି ।
ପୂର୍ବରୁ ବୈଜ୍ଞାନିକଙ୍କ ଧାରଣା ଥିଲା, ସୌର ବିସ୍ଫୋରଣ ସୂର୍ଯଠୁ ନିର୍ଗତ ହେବା ପରେ ଗୋଲାକାର ଫେଣ ଭଳି ସମସ୍ତ ଦିଗକୁ ସମାନ ରୂପେ ବିସ୍ତାର କରେ । କିନ୍ତୁ ଆଦିତ୍ୟ-ଏଲ୍ୱାନ୍ ଓ ନାସାର ସୋଲାର ଡାଇନାମିକ୍ସ ଅବ୍ଜର୍ଭେଟୋରୀ (ନାସା ଏସ୍ଡିଓ)ର ୩ଡି ତଥ୍ୟରୁ ଜଣାପଡ଼ିଲା, ଏହି ବିସ୍ଫୋରଣ ଝୁଲିବା ଭଳି, ବିକୃତ ଓ ଅସମାନ ଥିଲା । ବିସ୍ଫୋରଣ ସମୟରେ ସୂର୍ଯ୍ୟରୁ ନିର୍ଗତ ପ୍ଲାଜ୍ମା ସେକେଣ୍ଡ ପିଛା ହାରାହାରି ୧,୧୩୫ କିମି ବେଗରେ ଆଗକୁ ବଢୁଥିଲା । କିନ୍ତୁ ଏହାର ଭିନ୍ନ ଭିନ୍ନ ଅଂଶର ଗତି ଏକା ଭଳି ନ ଥିଲା । କିଛି ସୌର ପଦାର୍ଥ ମହାକାଶ ଯାନ ଭଳି ଦ୍ରୁତ ବେଗରେ ଆସୁଥିବା ବେଳେ ଆଉ କିଛି ତା’ଠୁ ଦୂରକୁ ଯାଉଥିଲା । ଆଦିତ୍ୟ-ଏଲ୍ୱାନ୍ର ଭିଇଏଲ୍ସି ଉପକରଣ ଡୋପ୍ଲର ପ୍ରଭାବର ଉପଯୋଗ କରି ପ୍ଲାଜ୍ମାରୁ ନିର୍ଗତ ଆଲୋକର ତରଙ୍ଗଦୈର୍ଘ୍ୟରେ ପରିବର୍ତ୍ତନକୁ ମାପିଲା । ଏହା ଦ୍ୱାରା ବୈଜ୍ଞାନିକମାନେ କେବଳ ଗୋଟିଏ ଚିତ୍ର ଦେଖିବା ବଦଳରେ ପ୍ରଥମ ଥର ବିସ୍ଫୋରଣର ଲୁକ୍କାୟିତ ୩ଡି ଢାଞ୍ଚା ଓ ଗତିକୁ ଗଭୀର ଭାବେ ବୁଝିବାର ସୁଯୋଗ ପାଇଲେ ।
ସୌଜନ୍ୟ ପ୍ରମେୟ




