ଜାତୀୟ

Economic Impact Of Air pollution: ବାୟୁ ପ୍ରଦୂଷଣରେ ଦୋହଲୁଛି ଦେଶର ଅର୍ଥନୀତି, ଯାନ ଚଳାଚଳ କଟକଣା ଯୋଗୁ ମାଲ ପରିବହନ ପ୍ରଭାବିତ

ନୂଆଦିଲ୍ଲୀ, ୧୧/୧୧: ଭାରତରେ ବାୟୁ ପ୍ରଦୂଷଣ କେବଳ ଏକ ସ୍ୱାସ୍ଥ୍ୟ ସଂକଟ ହୋଇ ରହିନାହିଁ । ଅର୍ଥବ୍ୟବସ୍ଥା ଏବଂ ବ୍ୟବସାୟ ଉପରେ ଏହା ଭୟଙ୍କର ପ୍ରଭାବ ପକାଉଛି । ନିର୍ମାଣ ଓ ପରିବହନ କଟକଣା, ବିଳମ୍ବିତ ଡେଲିଭରୀ, କାର୍ଯ୍ୟ ଘଣ୍ଟା ଏବଂ ଉତ୍ପାଦକତା ହ୍ରାସ ଯୋଗୁ ଅର୍ଥବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡୁଛି । ପ୍ରଦୂଷଣ ଯୋଗୁ ଲୋକେ ବାହାରକୁ ଯାଇ ସପିଂ କରିବା ବଦଳରେ ଘରେ ରହିବାକୁ ପସନ୍ଦ କରୁଛନ୍ତି । ଫଳରେ ବିକ୍ରି ପ୍ରଭାବିତ ହେଉଛି, ଯାହାର ସିଧାସଳଖ ପ୍ରଭାବ ଅନୁଭବ କରୁଛି ଅର୍ଥବ୍ୟବସ୍ଥା ।

ଶିଳ୍ପସଂଘ ଫିକିର ଏକ ରିପୋର୍ଟ ଅନୁସାରେ, ବାୟୁ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ଦେଶର ଜିଡିପିର ପାଖାପାଖି ୯% ଧୋଇ ହୋଇଯାଏ । ଭାରତୀୟ କମ୍ପାନିଗୁଡ଼ିକ ପାଇଁ ପ୍ରଦୁଷଣ ଏକ ଋତୁକାଳୀନ ବିପର୍ଯ୍ୟୟ ନୁହେଁ ବରଂ ବାରମ୍ବାର ଆସୁଥିବା ଏକ ବିପଦ ପାଲଟିଲାଣି । ଖୁଚୁରା ବ୍ୟବସାୟୀ ଏବଂ ରେସ୍ତୋରାଁଗୁଡ଼ିକ ବଡ଼ ମାତ୍ରାରେ ଗ୍ରାହକ ହରାଉଛନ୍ତି । କାରଣ ଲୋକେ ବାହାରକୁ ବାହାରିବାକୁ ଚାହୁଁନାହାନ୍ତି । ଯାନ ଚଳାଚଳ ଉପରେ କଟକଣା ଯୋଗୁ ମାଲ ପରିବହନ ପ୍ରଭାବିତ ହେଉଛି । ଏଭଳି କଟକଣା ଯୋଗୁ ଦିଲ୍ଲୀ-ଏନ୍‌ସିଆର୍ ଭଳି ଅନେକ ସହରରେ କେବଳ ରିୟଲ ଇଷ୍ଟେଟ୍ ନୁହେଁ, ଅଧିକାଂଶ ଶିଳ୍ପ ପ୍ରଭାବିତ ।

ବିକ୍ରି ଓ ଉତ୍ପାଦକତା ହ୍ରାସରୁ ଆରମ୍ଭ କରି ବିଳମ୍ବିତ ନିବେଶ ଓ ଅତିରିକ୍ତ ପରିଚାଳନା ଖର୍ଚ୍ଚ ଯୋଗୁ ଚାପରେ ଶିଳ୍ପ । ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ପଦକ୍ଷେପ ଯଥେଷ୍ଟ ହେଉନାହିଁ । ଅର୍ଥନୈତିକ ପରିଣତି ବର୍ଷକୁ ବର୍ଷ ଅଧିକ ଭୟଙ୍କର ହେଉଛି । ସପର୍ସ ଷ୍ଟପ୍ର ପରିଚାଳନା ନିର୍ଦ୍ଦେଶକ କବୀନ୍ଦ୍ର ମିଶ୍ରା କୁହନ୍ତି, ଗତବର୍ଷ ଶୀତ ଋତୁରେ ଯେତେବେଳେ ପ୍ରଦୂଷଣ ସ୍ତର ସର୍ବୋଚ୍ଚ ସ୍ତରରେ ଥିଲା, ଉତ୍ତର ଭାରତରେ ବିକ୍ରି ବଡ଼ ମାତ୍ରାରେ ପ୍ରଭାବିତ ହୋଇଥିଲା । ଲାଇଫ୍‌ଷ୍ଟାଇଲ୍ ଇଣ୍ଟର୍‌ନ୍ୟାସ୍‌ନାଲ ମଧ୍ୟ ସମାନ ଚିନ୍ତା ବ୍ୟକ୍ତ କରିଛି । ଗତବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଉତ୍ତର ଭାରତରେ ଗ୍ରାହକଙ୍କ ଆଗମନ ବଡ଼ ସଂଖ୍ୟାରେ ହ୍ରାସ ପାଇଥିଲା । ଫଳରେ ବିକ୍ରି ଅଭିବୃଦ୍ଧି ସାମାନ୍ୟ ଥିଲା ବୋଲି ଲାଇଫ୍‌ଷ୍ଟାଇଲ୍ ପକ୍ଷରୁ ପ୍ରକାଶ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button