ଜାତୀୟ

ଇଥାନଲରୁ ଖରାପ ହେବା ସୁନିଶ୍ଚିତ: ଗାଡ଼ି ନିର୍ମାତା

ନୂଆଦିଲ୍ଲୀ,୧୪।୮(ରଏଟର୍ସ):ବିଗତ ଏକ ବର୍ଷ ମଧ୍ୟରେ କମ୍ପାନୀଗୁଡ଼ିକ ଦେଶର ୨୧ ରାଜ୍ୟର ପେଟ୍ରୋଲ ପମ୍ପରୁ ୨୫୦ରୁ ଅଧିକ ଇ୨୦ ପେଟ୍ରୋଲ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ଏଥିରୁ ୧୮ ରାଜ୍ୟରେ ପେଟ୍ରୋଲ୍‌ରେ ନିର୍ଦ୍ଧାରିତ ମାତ୍ରାଠାରୁ ଯଥେଷ୍ଟ ଅଧିକ କ୍ଲୋରାଇଡ ଏବଂ ଜଳୀୟ ଅଂଶ ମିଳିଥିଲା। ସରକାରୀ ନିୟମ ଅନୁଯାୟୀ ପେଟ୍ରୋଲ୍‌ରେ କ୍ଲୋରାଇଡ୍‌ର ସର୍ବାଧିକ ସୀମା ୩ ପାର୍ଟସ୍‌ ପର୍‌ ମିଲିୟନ (ପିପିଏମ୍‌) ରହିବା କଥା। ମାତ୍ର ପରୀକ୍ଷାରୁ ରାଜସ୍ଥାନରେ ୬ରୁ ୫୭୦ ପିପିଏମ୍‌, ନୂଆଦିଲ୍ଲୀରେ ୧.୪ରୁ ୪୨୦ ପିପିଏମ୍‌ ଏବଂ ମହାରାଷ୍ଟ୍ରରେ ୧୦ରୁ ୩୫୭ ପିପିଏମ୍‌ ପର୍ଯ୍ୟନ୍ତ କ୍ଲୋରାଇଡ ମିଳିଛି। ଜଳୀୟ ଅଂଶ/ଆର୍ଦ୍ରତା କ୍ଷେତ୍ରରେ ସରକାରୀ ନିୟମ ୩,୦୦୦ ପିପିଏମ୍‌ ଥିବାବେଳେ ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରେ ଏହା ୧୨,୫୦୦ରୁ ୧୩,୦୦୦ ପିପିଏମ୍‌ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି।
ମହିନ୍ଦ୍ରାର ବରିଷ୍ଠ ଇଞ୍ଜିନିୟର ଆର୍‌. ରାମପ୍ରଭୁ ଇମେଲ୍‌ରେ ଲେଖିଛନ୍ତି ଯେ, ପେଟ୍ରୋଲ୍‌ରେ ଥିବା ଅର୍ଗାନିକ କ୍ଲୋରାଇଡ୍‌ କାରଣରୁ ଗାଡ଼ିଗୁଡ଼ିକ ଅତି ଦ୍ରୁତଗତିରେ ଖରାପ ହେଉଛି ଏବଂ ତେଲ ପକାଇବାର ମାତ୍ର ୨୦୦ କିଲୋମିଟର ମଧ୍ୟରେ ଇଞ୍ଜିନ ଖରାପ ହୋଇଯାଉଛି। ମାରୁତିର ବରିଷ୍ଠ ଅଧିକାରୀ ଅନୁପ ଭଟ୍ଟଙ୍କ ଅନୁଯାୟୀ, ଗାଡ଼ିର ଫୁଏଲ୍‌ ଇଞ୍ଜେକ୍ଟରଗୁଡ଼ିକ ମାତ୍ର ୧ ପିପିଏମ୍‌ରୁ କମ୍‌ କ୍ଲୋରାଇଡ୍‌ ସହ୍ୟ କରିପାରିବ। ଏହାଠାରୁ ଅଧିକ ହେଲେ ଗାଡ଼ିର ଯନ୍ତ୍ରାଂଶ କଳଙ୍କି ଲାଗି ନଷ୍ଟ ହୋଇଯାଏ। ଗତ ଜୁଲାଇ ୨୮ରେ ଏସ୍‌ଆଇଏଏମ୍‌ ସରକାରଙ୍କୁ ଚିଠି ଲେଖି ଇ୨୦ ପେଟ୍ରୋଲ ପ୍ରଦୂଷିତ ହେଉଥିବା ନେଇ ଜଣାଇଥିଲା। ମାତ୍ର ସରକାରୀ ସ୍ତରରେ ଆଲୋଚନା ପରେ ଏସ୍‌ଆଇଏଏମ୍‌ ଉକ୍ତ
ଚିଠିକୁ ପ୍ରତ୍ୟାହାର କରିନେଇଛି। ଏସ୍‌ଆଇଏଏମ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ନମୁନା ସଂଖ୍ୟା କମ୍‌ ଥିବାରୁ ଏହାକୁ ଚୂଡ଼ାନ୍ତ ନିଷ୍କର୍ଷ ଭାବେ ଗ୍ରହଣ କରାଯାଇପାରିବ ନାହିଁ ଏବଂ ଭୁଲ୍‌ବଶତଃ ଏହି ଚିଠି ପଠାଯାଇଥିଲା। ବର୍ତ୍ତମାନ ସମ୍ପୂର୍ଣ୍ଣ ବୈଜ୍ଞାନିକ ଅନୁଧ୍ୟାନ କରାଯିବ।
ଅନ୍ୟପକ୍ଷରେ ଚଳିତ ବର୍ଷ ଏପ୍ରିଲ ୧ରୁ ସାରା ଦେଶରେ ଇ୨୦ ବ୍ୟତୀତ ସାଧାରଣ ପେଟ୍ରୋଲ ମିଳୁ ନ ଥିବାରୁ ଗାଡ଼ିର ମାଇଲେଜ୍‌ କମିବା ଏବଂ ଇଞ୍ଜିନ ଖରାପ ହେବା ନେଇ ବହୁ ଗ୍ରାହକ ଅଭିଯୋଗ କରୁଛନ୍ତି, ଯାହାକୁ ନେଇ କୋର୍ଟରେ ମାମଲା ମଧ୍ୟ ଦାଏର ହୋଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ତୈଳ ବିପଣନ କମ୍ପାନୀଗୁଡ଼ିକ ପେଟ୍ରୋଲ ପମ୍ପଗୁଡ଼ିକରେ କଡ଼ା ପରୀକ୍ଷଣ କରିଛନ୍ତି ଏବଂ ମାତ୍ର ୪ଟି ସ୍ଥାନରେ ପ୍ରଦୂଷଣ/ସମସ୍ୟା ଦେଖାଦେଇଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଇନ୍ଧନ ପ୍ରଦୂଷଣକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button