ଦେଶ ବିଦେଶ

ଇସିରେ ଏସ୍‌ଆଇଆର୍‌ ଝଡ଼ ; ଦୁଇ ସାଥୀଙ୍କୁ ଉପେକ୍ଷା, ଜ୍ଞାନେଶ ସର୍ବେସର୍ବା !

ନୂଆଦିଲ୍ଲୀ: ଦେଶର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର) ପ୍ରକ୍ରିୟା​‌ କାର୍ଯ୍ୟକାରୀ କରିବା ସମ୍ପର୍କିତ ନିଷ୍ପତ୍ତି ନେବାରେ ନିର୍ବାଚନ ଆୟୋଗ (ଇସି)ଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏପରି କି ଆୟୋଗର ତିନି ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଆୟୋଗର ଦୁଇ ସଦସ୍ୟଙ୍କ ବିରୋଧ ସତ୍ତ୍ବେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ଦେଶରେ ଏସ୍‌ଆଇଆର ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସ୍‌ଆଇଆରକୁ ନେଇ ନିର୍ବାଚନ ଆୟୋଗରେ ଏପରି ମତଭେଦ ସମ୍ପର୍କିତ ରିପୋର୍ଟ ବୁଧବାର ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତ ୧୦ମାସ ମଧ୍ୟରେ ଭୋଟର ତାଲିକାରେ ସଂଶୋଧନ, ନୂଆ ଭୋଟର ଯୋଡ଼ିବା ଓ ବାଦ୍‌ ଦେବା ଭଳି ବିଭିନ୍ନ ପ୍ରସଙ୍ଗରେ ଅନ୍ୟତମ ଦୁଇ ନିର୍ବାଚନ ଆୟୁକ୍ତ ୧୪ଥର ଭିନ୍ନ ମତ ପୋଷଣ କରିଥିବା ଅଭିଯୋଗ ଉଠିଛି। ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ରାଜନୀତି ସରଗରମ ହୋଇଉଠିଛି।
ବିରୋଧୀ ଦଳଗୁଡିକ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିବା ସହିତ ସିଇସି ଜ୍ଞାନେଶ କୁମାରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହା ସହିତ ଏସ୍‌ଆଇଆର ପ୍ରକ୍ରିୟା ପରେ ଦେଶର ଯେଉଁସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି ସେଠାରେ ପୁନଃ ନିର୍ବାଚନ କରାଇବାକୁ ଦାବି କରିଛନ୍ତି।
ରିପୋର୍ଟ ଅନୁଯାୟୀ ନିର୍ବାଚନ ଆୟୋଗର ଦୁଇ ସଦସ୍ୟ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଜୋଷୀ ଏସ୍‌ଆଇଆର କାର୍ଯ୍ୟକାରୀ କରିବାକୁ ବିରୋଧ କରିଥିଲେ। ଏଥିସହିତ ଫର୍ମ-୬ରେ ହୋଇଥିବା ପରିବର୍ତ୍ତନ ଓ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆର୍‌ଓ)ଙ୍କ କ୍ଷମତା ହ୍ରାସ ଉପରେ ପ୍ରଶ୍ନ ଉଠିଛି। ଏହା ନିୟମ ଅନୁସାରେ ପରିବର୍ତ୍ତନ ହୋଇଛି କି ନାହିଁ ? ନୂଆ ଭୋଟର ପଞ୍ଜିକରଣ ପାଇଁ ବ୍ୟବହୃତ ଫର୍ମ-୬ରେ ଯୋଡ଼ା ଯାଇଥିବା ଅତିରିକ୍ତ ପ୍ରଶ୍ନ ଆଇନଗତ ଦୃଷ୍ଟିରୁ ଠିକ୍‌ ନୁହେଁ। ଭୋଟର ତାଲିକାରେ ନାମ ଯୋଡ଼ିବା ଓ କାଟିବାର ସମ୍ପୂର୍ଣ୍ଣ ଆଇନଗତ କ୍ଷମତା ଇଆର୍‌ଓଙ୍କର ରହିଛି; ମାତ୍ର ନିର୍ବାଚନ ଆୟୋଗର ଏହି ଅଧିକାର ନାହିଁ ବୋଲି କୁହାଯାଇଛି।
ଉପରୋକ୍ତ ଭିନ୍ନମତ ସହ ସେମାନେ ଗତ ୧୦ମାସ ମଧ୍ୟରେ ସିଇସି ଜ୍ଞାନେଶ କୁମାରଙ୍କ ନିଷ୍ପତ୍ତିକୁ ୧୪ଥର ବିରୋଧ କରିଥିଲେ। ଆୟୋଗର ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ବିରୋଧ ସତ୍ତ୍ବେ ଜ୍ଞାନେଶ କୁମାର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିଥିଲେ। ଜୁଲାଇ ୨୦୨୫ରେ ପ୍ରଥମ କରି ବିହାରରେ ଏସ୍‌ଆଇଆର ପ୍ରକ୍ରିୟା କାର୍ଯ୍ୟକାରୀ କରାଗଲା। ଏସ୍‌ଆଇଆର ପ୍ରକ୍ରିୟା ପରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ବିଜୟୀ ହୋଇଥିଲା। ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥିଲା। ଏହି ଏସ୍‌ଆଇଆର ଯୋଗୁଁ ୧୩କୋଟି ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡିଥିଲା। ଏସ୍‌ଆଇଆର ପ୍ରକ୍ରିୟା ପରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ, ମହାରାଷ୍ଟ୍ର ଆଦି ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button