ଯାତ୍ରୀବାହୀ ସ୍ଲିପର ବସ୍ରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଦିଲ୍ଲୀ ସଂଲଗ୍ନ ଗ୍ରେଟର ନୋଏଡାର ଯମୁନା ଏକ୍ସପ୍ରେସୱେରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍ଲିପର ବସ୍ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ବିହାର ପଞ୍ଜିକରଣ ନମ୍ବର ବିଶିଷ୍ଟ ସ୍ଲିପର ବସ୍ଟି ଗ୍ରେଟର ନୋଏଡାରୁ ଆଗ୍ରା ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୟାନତପୁର ଗାଁ ନିକଟରେ ଧୂଆଁ ବାହାରିବାକୁ ଲାଗିଲା। କିଛି ମୁହୂର୍ତ୍ତ ମଧ୍ୟରେ ବସ୍ଟି ନିଆଁରେ ପୋଡ଼ିଗଲା। ନିଆଁ ଲାଗିବା ଦେଖି ଡ୍ରାଇଭର ବସ୍ଟିକୁ ରାସ୍ତା କଡ଼ରେ ପାର୍କିଂ କଲେ। ଯାତ୍ରୀମାନେ ଚିତ୍କାର କରି ବସ୍ରୁ ଡେଇଁ ପଡ଼ିଥିଲେ।
ଯାତ୍ରୀମାନେ ମଥୁରାରୁ ବୃନ୍ଦାବନ ଯାଉଥିବା ପର୍ଯ୍ୟଟକ ଥିଲେ। ଆହତମାନଙ୍କୁ କୈଳାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଣ୍ଟାଏ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଯାତ୍ରୀମାନେ ଅଧିକାଂଶ ବୟସ୍କ ମହିଳା ଏବଂ ପିଲା ଥିଲେ, କିଛି ଦିବ୍ୟାଙ୍ଗ ପିଲା ମଧ୍ୟ ଥିଲେ, ଯେଉଁମାନେ ହଠାତ୍ ନିଆଁରେ ଫସି ଯାଇଥିଲେ।
ସୌଜନ୍ୟ ସମାଜ




