ଏସ୍ଆଇଆର୍ରେ ଇସିଙ୍କ ବଡ଼ ନିଷ୍ପତ୍ତି; ଫର୍ମ-୬ରୁ ଅତିରିକ୍ତ ଘୋଷଣାନାମା ହଟିଲା, ଏସ୍ଆଇଆର୍ ପ୍ରକ୍ରିୟା ସରିଥିବା ରାଜ୍ୟରେ ଲାଗୁ

ନୂଆଦିଲ୍ଲୀ, ୦୧/୧୦: ଏସ୍ଆଇଆର ପ୍ରକ୍ରିୟା ସରିଥିବା ରାଜ୍ୟ ଗୁଡ଼ିକରେ ଫର୍ମ-୬ରେ ବଡ଼ ପରିବର୍ତ୍ତନ କରାଯାଇଛି । ଏବେ ଏସ୍ଆଇଆର୍ରେ ନାଁ କଟିବା ପରେ ପୁଣି ନାଁ ଯୋଡ଼ିବା ଲାଗି ୨୦୦୩ର ଭୋଟର ତାଲିକାର ତଥ୍ୟ ଦେବାକୁ ପଡ଼ିବନି । ଆବେଦକଙ୍କ ବାପା-ମା’, ଅଜା-ଆଈଙ୍କ ନା ସେହି ତାଲିକାରେ ଥିଲା କି ତାହା ଭୋଟରଙ୍କୁ ଜଣାଇବା ଆବଶ୍ୟକ ପଡ଼ିବନି । ଫର୍ମ-୬ରେ ଏହାସହ ଜଡ଼ିତ ଅତିରିକ୍ତ ଘୋଷଣାନାମାକୁ ନିର୍ବାଚନ କମିଶନ (ଇସି) ହଟାଇଦେଇଛନ୍ତି । ତେବେ ଏହାର ଅର୍ଥ ନୁହେଁ ଯେ ବିନା ଯାଞ୍ଚରେ ଭୋଟର ତାଲିକାରେ ନାଁ ଯୋଡ଼ି ଦିଆଯିବ । ଫର୍ମ-୬ର ସାଧାରଣ ପ୍ରକ୍ରିୟା ଜାରି ରହିବ । ଏହି ପରିବର୍ତ୍ତନ କେବଳ ସେହି ରାଜ୍ୟରେ ଲାଗୁ ହେବ ଯେଉଁଠି ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହୋଇସାରିଛି ।
ପ୍ରକାଶଥାଉ କି, ଦୁଇ ନିର୍ବାଚନ କମିଶନର ବିବେକ ଯୋଶୀ ଏବଂ ସୁଖବୀର ସିଂ ସାନ୍ଧୁ ଫର୍ମ-୬ରେ ଅତିରିକ୍ତ ଘୋଷଣାନାମାକୁ ନେଇ ଆପତ୍ତି ଉଠାଇଥିବା ବାବଦରେ ରିପୋର୍ଟରେ ପ୍ରକାଶ ପାଇଥିଲା । ଏହି ରିପୋର୍ଟ ମୁତାବକ, ଉପରୋକ୍ତ ଦୁଇ ନିର୍ବାଚନ କମିଶନର କହିଥିଲେ ଯେ ନିୟମରେ ପରିବର୍ତ୍ତନ କରା ନ ଯାଇ ବୈଧାନିକ ଫର୍ମ-୬ରେ ନୂଆ ଅଂଶ ଯୋଡ଼ିଦିଆଯାଇଥିଲା । ଏହି ପରିବର୍ତ୍ତନ ପାଇଁ ପ୍ରଥମେ ନିୟମରେ ସଂଶୋଧନ ଜରୁରି । ବିନା ସଂଶୋଧନରେ ଅତିରିକ୍ତ ଘୋଷଣାନାମା ବେଆଇନ ବୋଲି ଦୁଇ ନିର୍ବାଚନ କମିଶନର କହିବା ସହ ତାହାକୁ ହଟାଇବାକୁ ଦାବି କରିଥିଲେ । ଏ ବାବଦ ରିପୋର୍ଟ ପ୍ରକାଶ ପାଇବା ପରେ ନୂଆ ବିବାଦ ମୁଣ୍ଡ ଟେକିଛି । ବିରୋଧୀ ଏହାକୁ କେନ୍ଦ୍ର କରି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ।
ତେବେ ସଦ୍ୟ ନିଷ୍ପତ୍ତି ପରେ ଏସ୍ଆଇଆର୍ ଶେଷ ହୋଇଥିବା ରାଜ୍ୟଗୁଡ଼ିକରେ ଇସିଆଇନେଟ୍ ଆପ୍ ଏବଂ ପୋର୍ଟାଲ ସମେତ ସମ୍ପୃକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପୋର୍ଟାଲରୁ ଅତିରିକ୍ତ ଘୋଷଣାନାମାକୁ ହଟାଇ ଦିଆଯାଇଛି । ଯେଉଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି ସେଠାରେ ଏହି ଘୋଷଣାନାମା ଉପଲବ୍ଧ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଏସ୍ଆଇଆର୍ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୧୦ ରାଜ୍ୟ ଏବଂ ୩ କେନ୍ଦ୍ରଶାସିତ ଅଞ୍ଚଳରେ ଶେଷ ହୋଇଛି ।
ସୌଜନ୍ୟ ପ୍ରମେୟ




