ଓଡ଼ିଶାକୁ ୧.୨୦ ଲକ୍ଷ କୋଟି: ପୂର୍ବବର୍ଷ ତୁଳନାରେ ୧୪ ହଜାର କୋଟି ଅଧିକ

୨୦୨୬-୨୭ କେନ୍ଦ୍ର ବଜେଟ ଆଜି ଘୋଷଣା ହେବା ପରେ ଓଡ଼ିଶାକୁ କେତେ ମିଳିବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଅର୍ଥ ଆୟୋଗ ସୁପାରିସ, କେନ୍ଦ୍ରୀୟ ଅନୁଦାନ ଓ ସ୍ବତନ୍ତ୍ର ଯୋଜନା ବାବଦରେ ଚଳିତ ବଜେଟରୁ ଓଡ଼ିଶାକୁ ପ୍ରାୟ ୧.୨୦ ଲକ୍ଷ କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଉଛି।

ଭୁବନେଶ୍ବର: ୨୦୨୬-୨୭ କେନ୍ଦ୍ର ବଜେଟ ଆଜି ଘୋଷଣା ହେବା ପରେ ଓଡ଼ିଶାକୁ କେତେ ମିଳିବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଅର୍ଥ ଆୟୋଗ ସୁପାରିସ, କେନ୍ଦ୍ରୀୟ ଅନୁଦାନ ଓ ସ୍ବତନ୍ତ୍ର ଯୋଜନା ବାବଦରେ ଚଳିତ ବଜେଟରୁ ଓଡ଼ିଶାକୁ ପ୍ରାୟ ୧.୨୦ ଲକ୍ଷ କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଉଛି। ନିର୍ମଳା ଆଜି ତାଙ୍କ ବଜେଟରେ ଷୋଡ଼ଶ ଅର୍ଥ ଆୟୋଗ ସୁପାରିସ ଆଧାରରେ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିକସ ଓ ଶୁଳ୍କରୁ ୪୧ ପ୍ରତିଶତ ଅର୍ଥ ଆବଣ୍ଟନ କରାଯିବ ବୋଲି ଘୋଷଣା କରିଛନ୍ତି। ୨୦୨୬-୨୭ରେ ଏ ବାବଦରେ ଓଡ଼ିଶାକୁ ୬୭,୪୬୦.୪୬ କୋଟି ଟଙ୍କା ମିଳିବ ବୋଲି ବଜେଟରେ ଦର୍ଶାଯାଇଛି। ୨୦୨୫-୨୬ ତୁଳନାରେ ଏହା ୩୦୫୨ କୋଟି ଟଙ୍କା ଅଧିକ। ଆସନ୍ତା ଆର୍ଥିକବର୍ଷ ପାଇଁ ମୋଟ ୬୭,୪୬୦.୪୬ କୋଟିର ଟିକସ ଓ ଶୁଳ୍କରୁ ରାଜ୍ୟକୁ ଆୟକର ବାବଦରେ ସର୍ବାଧିକ ୨୪,୦୦୭.୩୭ କୋଟି ଟଙ୍କା ଦିଆଯାଇଛି।

ଏଥିସହିତ କମ୍ପାନି ଟିକସରୁ ୧୯,୮୦୩.୧୫ କୋଟି, ଜିଏସ୍‌ଟିରୁ ୧୮,୪୫୦ କୋଟି, ସୀମା ଶୁଳ୍କରୁ ୩୫୯୯.୨୨ କୋଟି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରୁ ୧୫୩୩.୨୭ କୋଟି, ଅନ୍ୟାନ୍ୟ ଟିକସ ଓ ଶୁଳ୍କରୁ ୬୭.୦୫ କୋଟି ଟଙ୍କା ମିଳିବ। ୨୮ଟି ରାଜ୍ୟକୁ ପ୍ରଦାନ କରାଯାଇଥିବା ଅର୍ଥ ମଧ୍ୟରୁ ଓଡ଼ିଶାକୁ ବଜେଟରେ ୪.୪୨୦ ପ୍ରତିଶତ ମିଳିଛି। ଗତ ବଜେଟରେ ଏ ବାବଦରେ ଓଡ଼ିଶାକୁ ୪.୫୨୮ ପ୍ରତିଶତ ଅର୍ଥ ମିଳିଥିଲା। ‌ଅନେକ ରାଜ୍ୟ ୫୦ ପ୍ରତିଶତ କେନ୍ଦ୍ରୀୟ ଶୁଳ୍କ ଓ ଟିକସ ପାଇବା ପାଇଁ ଅର୍ଥ ଆୟୋଗ ନିକଟରେ ଦାବି ରଖିଥିଲେ ମଧ୍ୟ ଆୟୋଗ ତାହା ଶୁଣି ନାହାନ୍ତି। ପୂର୍ବଭଳି ରାଜ୍ୟଗୁଡ଼ିକୁ ୪୧ ପ୍ରତିଶତ ଅର୍ଥ ହସ୍ତାନ୍ତର ପାଇଁ ସୁପାରିସ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୫-୨୬ ବଜେଟରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ବାବଦ‌ରେ ମିଳିଥିବା ୬୪,୪୦୮.୨୭ କୋଟି ବ୍ୟତୀତ କେନ୍ଦ୍ରୀୟ ଅନୁଦାନ ବାବଦରେ ୪୧,୫୯୧.୭୩ କୋଟି ଟଙ୍କା ମିଳିଥିଲା। ତେଣୁ କେନ୍ଦ୍ରଠାରୁ ରାଜ୍ୟ ସରକାର ୨୦୨୫-୨୬ରେ ମୋଟ ୧ ଲକ୍ଷ ୬ ହଜାର କୋଟି ଟଙ୍କା ପାଇଥିଲେ। ୨୦୨୪-୨୫ରେ ଓଡ଼ିଶାକୁ କେନ୍ଦ୍ରରୁ ପ୍ରାୟ ୮୯ ହଜାର କୋଟି ଟଙ୍କା ମିଳିଥିଲା। ସେଥିରେ କେନ୍ଦ୍ରୀୟ ଟିକସ ଓ ଶୁଳ୍କରୁ ୫୫,୨୩୧.୭୬ କୋଟି ଓ ଅନୁଦାନରୁ ୩୩,୭୬୮.୨୪ କୋଟି ଟଙ୍କା ଆସିଥିଲା। ୨୦୨୪-୨୫ ତୁଳନାରେ ୨୦୨୫-୨୬ରେ ଓଡ଼ିଶାକୁ ପ୍ରାୟ ୧୭ ହଜାର କୋଟି ଟଙ୍କା ଅଧିକ ମିଳିଥିଲା।

ଅନୁଦାନ ବାବଦରେ ପ୍ରାୟ ୨୩ ପ୍ରତିଶତ ଅଧିକ ପାଇଥିଲା ଓଡ଼ିଶା। ତେଣୁ ୨୦୨୬-୨୭ରେ ଯଦି ଅନୁଦାନ ଆକାରରେ ୨୦ ପ୍ରତିଶତ ଅଧିକ ମିଳେ, ତାହାହେଲେ ଓଡ଼ିଶା ପାଖାପାଖି ୮ ହଜାର କୋଟି ଅର୍ଥାତ୍‌ ପ୍ରାୟ ୫୦ ହଜାର କୋଟି ଅନୁଦାନ ଆକାରରେ ପାଇବ। ତେଣୁ କେନ୍ଦ୍ରୀୟ ଟିକସ ଓ ଅନୁଦାନରୁ ଓଡ଼ିଶାକୁ ୧.୧୭ ଲକ୍ଷ କୋଟି ଟଙ୍କା ମିଳିବ। ଏହା ବ୍ୟତୀତ ଓଡ଼ିଶା ପାଇଁ ନିର୍ଦ୍ଦିଷ୍ଟ ଭାବେ ୩ଟି ଠୋସ୍‌ ଯୋଜନା ବଜେଟରେ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା ଜାତୀୟ ଜଳମାର୍ଗ-୫ର କାର୍ଯ୍ୟକ୍ଷମ, କଇଁଛ ଚଳାଚଳ କରୁଥିବା ଉପକୂଳ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଟର୍ଟଲ୍‌ ଟ୍ରେଲ୍‌ ଓ ରେୟାର ଆର୍ଥ କରିଡର। ଯଦିଓ ଏସବୁ ଯୋଜନାର ବ୍ୟୟବରାଦ ନେଇ ନିର୍ଦ୍ଦିଷ୍ଟ କିଛି ସୂଚନା ମିଳିନାହିଁ, ତଥାପି ଓଡ଼ିଶାକୁ ଏ ବାବଦରେ ପାଖାପାଖି ୩ ହଜାର କୋଟି ଟଙ୍କା ଆସନ୍ତା ଆର୍ଥିକ ବର୍ଷରେ ମିଳିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି। ଏସବୁ ମିଶାଇଲେ ଚଳିତବର୍ଷ କେନ୍ଦ୍ର ସରକାରଙ୍କଠାରୁ ଓଡ଼ିଶା ପ୍ରାୟ ୧.୨୦ ଲକ୍ଷ କୋଟି ଟଙ୍କା ପାଇବା ଆଶା ଉଜ୍ଜୀବିତ ହୋଇଛି।

 

ସୌଜନ୍ୟ ସମ୍ବାଦ

Exit mobile version