ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ଏହି ବିଷୟରେ ୧୮ ତାରିଖରେ ଶୁଣାଣି କରିବା ପାଇଁ ପୁନର୍ବାର ତାରିଖ ଧାର୍ଯ୍ୟ କରିଥିଲେ। ଯେଉଁଥିଲାଗି ରବିବାର ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଓ୍ବାଇ. ବି. ଖୁରାନିଆ ଡିଜିପି ପଦରୁ ଅବସର ନେଇଥିବା ସତ୍ତ୍ୱେ ଓଡ଼ିଶାକୁ ସ୍ଥାୟୀ ଡିଜିପି ମିଳିପାରିନାହାନ୍ତି। ଏନେଇ ସୁପ୍ରିମକୋର୍ଟରେ ମାମଲା ଥିବା କାରଣରୁ ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ବିନୟତୋଷ ମିଶ୍ରଙ୍କୁ ରାଜ୍ୟର ପୋଲିସ୍ ମଖ୍ୟ ଭାବେ ଅତିରିକ୍ତ ଦାଯିତ୍ୱ ମିଳିଛି। କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ମଧ୍ୟ ଡିଜିପି ପଦ ଲାଗି ଚୂଡାନ୍ତ ୩ ନାଁ ଚୟନ ପ୍ରକ୍ରିୟା ବନ୍ଦ ରଖିଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ହିଁ ୟୁପିଏସ୍ସି ବୈଠକ କରିବ ବୋଲି ସୁପ୍ରିମକୋର୍ଟରେ ଜଣାଇସାରିଛି। ଏହି ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ସହ ୩ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ।
ଗତ ୧୪ ଅଗଷ୍ଟରେ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଆମିକସକ୍ୟୁରୀ ରାଜୁ ରାମଚନ୍ଦ୍ରନ ଡିଜିପି ଚୟନରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରି ପିଆଇଏଲ୍ ଫାଇଲ କରିଥିବା ଆବେଦନକାରୀଙ୍କୁ ସମର୍ଥନ କରିଥିଲେ। ଓଡ଼ିଶା ସରକାର ଡିଜିପି ଚୟନ ସମୟରେ ସୁପ୍ରିମକୋର୍ଟଙ୍କ ୨୦୦୬ ପ୍ରକାଶ ସିଂ ମାମଲାର ରାୟକୁ ଠିକ୍ ଭାବେ ଅନୁପାଳନ କରି ନ ଥିବା କହିଥିଲେ। ଯେଉଁଥିଲାଗି ମାମଲାକୁ ସୁପ୍ରିମକୋର୍ଟ ଆହୁରି ଗୁରୁତ୍ୱର ସହ ବିଚାରକୁ ନେଇ ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଥିଲେ। ତେଣୁ ଶୁଣାଣିରେ ସୁପ୍ରିମକୋର୍ଟ କ’ଣ ରାୟ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଗତ ଶୁଣାଣି ବେଳେ କହିଥିଲେ, ଡିଜିପି ଚୟନ ନେଇ ରାଜ୍ୟ ସରକାର କୌଣସି ନିୟମ ଉଲ୍ଲଂଘନ କରିନାହାନ୍ତି।
ସୌଜନ୍ୟ ଧରିତ୍ରୀ




