ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ ଘଟଣା ଘଟିଛି। ବାର୍ଦ୍ଧକ୍ୟଭତ୍ତା ପାଇଁ କୂଳସରିଚୁଆଁ ପଞ୍ଚାୟତ ବରାଳ ଗ୍ରାମର କୈଳାସ ଚନ୍ଦ୍ର ବେହେରା (୬୫) ନାମକ ବରିଷ୍ଠ ନାଗରିକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ୪୨ ମୌଜା ଥାନା ଅଧିକାରୀ ହେମନ୍ତ ସେଠୀ ବିଷ ବୋତଲକୁ ଛଡାଇ ନେଇଯାଇଥିଲେ ।
ବରିଷ୍ଠ ନାଗରିକ ବେହେରାଙ୍କ ଅଭିଯୋଗ, ୪ ଥର ଜନସେବା କେନ୍ଦ୍ରରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ସୁଦ୍ଧା ମିଳିପାରିନାହିଁ। ତେଣୁ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ତାଙ୍କ ପାଖରେ ନାହିଁ ବୋଲି ଅଭିଯୋଗ କରିଥିଲେ। ବାରମ୍ବାର ଅଭିଯୋଗ ପରେ କିଛି ଫଳ ମିଳୁନାହିଁ ବୋଲି କହିଥିଲେ। ଏହି ଘଟଣାକୁ ନେଇ ଜନଶୁଣାଣି ଶିବିରରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଶିବିରରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉପସ୍ଥିତ ରହି ୧୨୭ଟି ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ ବ୍ଲକ ଷ୍ଟାଫ୍ ବ୍ୟତୀତ କୃଷି, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ଜଳସେଚନ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଓ ପ୍ରତୀକ ସାହୁ, ତହସିଲଦାର ଦେବଦତ୍ତ ପ୍ରଧାନ, ଅତିରିକ୍ତ ବିଡିଓ ଗିରିଜା ପ୍ରସାଦ ବାରିକ, କଳପଡ଼ା ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବିଡିଓ ସାହୁଙ୍କୁ ପଚାରିବାରୁ ଭୋଟର ତାଲିକାରେ ବୟସର ତାରତମ୍ୟ ଥିବାରୁ ଭତ୍ତା ମଞ୍ଜୁର ହୋଇପାରିନାହିଁ ବୋଲି କହିଥିଲେ। ତଥାପି ଏହାର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।
ସୌଜନ୍ୟ ଧରିତ୍ରୀ




