ଓଲା, ଉବର-ରାପିଡୋ ଭଳି ଆପ୍ ଆଧାରିତ ଯାତ୍ରୀ ସେବା ପାଇଁ ନୂଆ ନିୟମ: ସେପ୍ଟେମ୍ବର ୧ରୁ ହେବ ଲାଗୁ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୯।୮: ଓଲା-ଉବର, ରାପିଡୋ ସମେତ ଆପ୍ ଆଧାରିତ ଯାତ୍ରୀ ସେବା ଦେଉଥିବା ଗାଡ଼ିଗୁଡ଼ିକ ଉପରେ ଏବେ ପରିବହନ ବିଭାଗର ନିୟମ କଡ଼ା ହେବାକୁ ଯାଉଛି। ଆପ୍ ଆଧାରିତ ଯାତ୍ରୀ ସେବା ପାଇଁ ପରିବହନ ବିଭାଗ ନୂଆ ନିୟମାବଳୀ ପ୍ରସ୍ତୁତ କରିଛି। ଏହି ନୂଆ ନିୟମ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ।
ନୂଆ ନିୟମାବଳୀ ଅନୁସାରେ, ଆପ୍ ଆଧାରିତ ଯାତ୍ରୀ ସେବା ପ୍ରଦାନ କରୁଥିବା ଏଗ୍ରିଗେଟର୍ କମ୍ପାନୀଗୁଡ଼ିକ ପାଇଁ ପରିବହନ ପ୍ରାଧିକରଣଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ। ସେହିପରି ଡ୍ରାଇଭରଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ, ବ୍ୟାଚ ଏବଂ ବ୍ୟବହାରିକ ମରାଠୀ ଭାଷା ଜ୍ଞାନ ରହିବା ଆବଶ୍ୟକ।
ବ୍ୟାଚ ପାଇଁ ଆବେଦନ କରିବା ସମୟରେ ଡ୍ରାଇଭରଙ୍କୁ ମୁମ୍ବାଇ କିମ୍ବା ସେ ଯେଉଁ ସହରରେ ସେବା ଦେବାକୁ ଚାହୁଁଛନ୍ତି, ସେଠାର ୧୫ ବର୍ଷର ବାସସ୍ଥାନ ପ୍ରମାଣପତ୍ର ଏବଂ ପୋଲିସ ଭେରିଫିକେସନ ରିପୋର୍ଟ ଦେବା ବାଧ୍ୟତାମୂଳକ ହେବ।
ନୂଆ ବ୍ୟବସ୍ଥା ଅନୁସାରେ ଡ୍ରାଇଭରମାନେ ଲଗାତାର ୧୨ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଚଳାଇପାରିବେ ନାହିଁ। ଏହା ସହ ଡ୍ରାଇଭରଙ୍କୁ ମୋଟ ଭଡ଼ାର ଅତି କମରେ ୮୦ ପ୍ରତିଶତ ଦେବାର ବ୍ୟବସ୍ଥା ରହିବ। ଆପ୍ ଆଧାରିତ ଯାତ୍ରୀବାହୀ ଗାଡ଼ିଗୁଡ଼ିକର GPS ଟ୍ରାକିଂ କରାଯିବ। ଡ୍ରାଇଭରଙ୍କ ଭେରିଫିକେସନ ସହ ଗାଡ଼ିଗୁଡ଼ିକ ଉପରେ ପରିବହନ ବିଭାଗ ପକ୍ଷରୁ ଅନଲାଇନ ନଜର ରଖାଯିବ।
ଏହା ବ୍ୟତୀତ ଏଗ୍ରିଗେଟର୍ କମ୍ପାନୀଗୁଡ଼ିକର ଆପ ଓ ୱେବସାଇଟ୍ରେ ମରାଠୀ, ହିନ୍ଦୀ ଓ ଇଂରାଜୀଏହି ତିନୋଟି ଭାଷାରେ ସେବା ଉପଲବ୍ଧ କରାଇବା ବାଧ୍ୟତାମୂଳକ ହେବ। ନକଲି ଦସ୍ତାବିଜ ଆଧାରରେ ଲାଇସେନ୍ସ ହାସଲ କରୁଥିବା ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ କରିବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ। ଟ୍ୟାକ୍ସି ଓ ଅଟୋରିକ୍ସା ପରେ ଏବେ ଓଲା, ଉବର, ରାପିଡୋ ସମେତ ସମସ୍ତ ଆପ୍ ଆଧାରିତ ଯାତ୍ରୀବାହୀ ଯାନ ପାଇଁ ପରିବହନ ବିଭାଗ ନିୟମକୁ ଆହୁରି କଡ଼ା କରିବାକୁ ପ୍ରସ୍ତୁତ ହେଉଛି। ନୂଆ ନିୟମାବଳୀ ସେପ୍ଟେମ୍ବର ୧ରୁ ଲାଗୁ ହେବ।
ସୌଜନ୍ୟ ଧରିତ୍ରୀ




