ରାଜ୍ୟ

କାଞ୍ଜିପାଣି ଓ ଜୁଡ଼ିଆ ଘାଟିରେ ପଥର ଖସିଲା: ଜାତୀୟ ରାଜପଥ-୪୯ରେ ଯାତାୟାତ ବାଧାପ୍ରାପ୍ତ

ଲଘୁଚାପଜନିତ ଲଗାଣ ବର୍ଷା କେନ୍ଦୁଝର ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଗୁରୁତର ସମସ୍ୟା ସୃଷ୍ଟି କରିଛି। ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଓ ଜୁଡ଼ିଆ ଘାଟିର ଏକାଧିକ ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ବଡ଼ ପଥର ଖସି ରାସ୍ତାରେ ପଡ଼ିଛି।

କେନ୍ଦୁଝର: ଲଘୁଚାପଜନିତ ଲଗାଣ ବର୍ଷା କେନ୍ଦୁଝର ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଗୁରୁତର ସମସ୍ୟା ସୃଷ୍ଟି କରିଛି। ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଓ ଜୁଡ଼ିଆ ଘାଟିର ଏକାଧିକ ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ବଡ଼ ପଥର ଖସି ରାସ୍ତାରେ ପଡ଼ିଛି। ଫଳରେ ଗୋଟିଏ ପାର୍ଶ୍ୱରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘାଟିର ପ୍ରାୟ ୭ଟି ସ୍ଥାନରେ ମାଟି ଅତଡ଼ା ଓ ପଥର ଖସିଛି। ରାସ୍ତାର ଅନ୍ୟ ପାର୍ଶ୍ୱ ଦେଇ ଗାଡ଼ିମୋଟର ଚଳାଚଳ କରୁଥିଲେ ବି ବାରମ୍ବାର ପଥର ଖସୁଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଜୁଡ଼ିଆ ଘାଟିରେ ପଡ଼ିଥିବା ମାଟି ଓ ପଥରକୁ ହଟାଇବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ରାସ୍ତା ସଫେଇ ପାଇଁ ୩ଟି ପୋକ୍‌ଲେନ୍‌, ୬ଟି ହାଇୱା, ୩ଟି ଜେସିବି ଓ ଗୋଟିଏ ହାଇଡ୍ରା କ୍ରେନ୍‌ ନିୟୋଜିତ କରାଯାଇଛି। ରାସ୍ତା ସଫା କରିବା ପରେ ମଧ୍ୟ ପୁଣି ପାହାଡ଼ରୁ ବଡ଼ବଡ଼ ପଥର ଖସୁଥିବାରୁ କର୍ମଚାରୀଙ୍କ ପାଇଁ କାମ କରିବା ଚ୍ୟାଲେଞ୍ଜ ହୋଇଛି। ବର୍ଷା ଯୋଗୁଁ ପାହାଡ଼ର ମାଟି ନରମ ହୋଇଯାଇଥିବାରୁ ଆଗକୁ ଆହୁରି ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଆଜି ରାତି ପ୍ରାୟ ୯ଟା ସୁଦ୍ଧା ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି। ଘଟଣାସ୍ଥଳରେ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ କାର୍ତ୍ତିକ ରେଡ୍ଡୀ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛନ୍ତି।

ସେହିପରି ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଘାଟିରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ମାଟି ଅତଡ଼ା ଖସି ଗୋଟିଏ ପାର୍ଶ୍ୱ ରାସ୍ତା ବନ୍ଦ ହୋଇଥିଲା। ରାସ୍ତା ଉପରେ ମାଟି ଜମିଯିବା ଫଳରେ ଗାଡ଼ିମୋଟର ଚଳାଚଳରେ ସମସ୍ୟା ହୋଇଥିଲା। ଏନ୍‌ଏଚ୍‌ଏଆଇ ପକ୍ଷରୁ ମାଟି ସଫା କରାଯିବା ପରେ ଗତକାଲି ରାତି ପ୍ରାୟ ୮ଟାରୁ ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। କାଞ୍ଜିପାଣି ଓ ଜୁଡ଼ିଆଘାଟି ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଗାଡ଼ିମୋଟର ଚଳାଚଳ କରୁଛି। ଭୂସ୍ଖଳନ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି। ପ୍ରତିବର୍ଷ ବର୍ଷାଋତୁରେ ଏଭଳି ସମସ୍ୟା ଉପୁଜୁଥିବାରୁ ଘାଟି ଦେଇ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ପାହାଡ଼ର ଢାଲୁ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ସୁରକ୍ଷା, ଆବଶ୍ୟକ ପ୍ରତିରୋଧକ, ଡ୍ରେନେଜ୍‌ ବ୍ୟବସ୍ଥା ଓ ନିୟମିତ ନିରୀକ୍ଷଣ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button