
କନକ ବ୍ୟୁରୋ : ଝାରପଡ଼ା ଜେଲ୍ରେ କଏଦୀ ଅସୁସ୍ଥ ଘଟଣା ପରେ ତଦନ୍ତ ଜୋରଦାର ହୋଇଥିଲେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଏଯାଏଁ ମିଳିନାହିଁ । ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏମିତି କେଉଁ ରୋଗ ହୋଇଥିଲା ଯେ ଏକାଧିକ କଏଦୀଙ୍କୁ ଏକା ପ୍ରକାର ଔଷଧ ଦିଆଗଲା? ପ୍ରତ୍ୟେକ କଏଦୀଙ୍କ ସ୍ୱାସ୍ଥ୍ୟ ସମସ୍ୟା କଣ ଥିଲା ଏବଂ ସେମାନଙ୍କ ପାଇଁ ଅଲଗା ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ଆଉ ଏକ ପ୍ରଶ୍ନ ହେଉଛି, ସେହି ଔଷଧ ଖାଇବାକୁ ସୁପାରିସ କିଏ କରିଥିଲେ? ଜେଲ୍ର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନା ଅନ୍ୟ କେହି ? ସେହି ନିଷ୍ପତ୍ତିର ଆଧାର କଣ ଥିଲା? ଏହା ସହିତ ଔଷଧର ଉତ୍ସକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ସେହି ଔଷଧ କିଏ ଯୋଗାଣ କରିଥିଲେ, କେବେ ଜେଲ୍କୁ ଆସିଥିଲା ଏବଂ କେଉଁ ପ୍ରକ୍ରିୟାରେ କଏଦୀଙ୍କ ନିକଟକୁ ପହଞ୍ଚିଲା?
ଏହାର ସମ୍ପୂର୍ଣ୍ଣ ରେକର୍ଡ ଯାଞ୍ଚ କରାଯାଉଛି କି ନାହିଁ, ତାହା ମଧ୍ୟ ଚର୍ଚ୍ଚାର ବିଷୟ । ଯଦି ସମସ୍ତ କଏଦୀଙ୍କୁ ଏକା ପ୍ରକାର ଔଷଧ ଦିଆଯାଇଥିଲା, ତେବେ କେଉଁ ପରିସ୍ଥିତିରେ ଏପରି ନିଷ୍ପତ୍ତି ନିଆଗଲା? ଏହା କି ନିୟମ ଅନୁଯାୟୀ ହୋଇଥିଲା, ନା କୌଣସି ଅବହେଳା ଘଟିଛି? ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷ ଯେଉଁ ସ୍ପଷ୍ଟୀକରଣ ଦେଉଛନ୍ତି, ସେଥିରେ କେତେ ସତ୍ୟତା ରହିଛି? ତଦନ୍ତ ଶେଷ ହେବା ପରେ ହିଁ ସାମ୍ନାକୁ ଆସିବ ପ୍ରକୃତ ସତ ଏବଂ ସ୍ପଷ୍ଟ ହେବ ଅସୁସ୍ଥତା ପଛର ଆସଲ କାରଣ । ସେପର୍ଯ୍ୟନ୍ତ ଝାରପଡ଼ା ଜେଲ୍ର ଏହି ଘଟଣାକୁ ନେଇ ପ୍ରଶ୍ନର ସଂଖ୍ୟା ବଢ଼ିଚାଲିଛି, କିନ୍ତୁ ଉତ୍ତର ଏବେ ବି ଅପେକ୍ଷାରେ ।
ସୌଜନ୍ୟ KANAK NEWS




