ଆମେରିକା-ଇରାନ୍ ଯୁଦ୍ଧ ଯୋଗୁଁ ଅଭିନେତ୍ରୀ ଲାରା ଦତ୍ତ ଦୁବାଇରେ ଫସି ରହିଥିଲେ। ସ୍ବାମୀ ତଥା ପୂର୍ବତନ ଟେନିସ୍ ତାରକା ମହେଶ ଭୂପତି କାମରେ ଲଣ୍ଡନ୍ ଚାଲିଯାଇଥିବାରୁ ସେ ଏକୁଟିଆ ୧୪ ବର୍ଷୀୟା ଝିଅର ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିଥିଲେ। ନିୟମିତ ବ୍ୟବଧାନରେ ମିସାଇଲ୍ ମାଡ଼ର ଶବ୍ଦ ତାଙ୍କୁ ଉଦ୍ବେଗଗ୍ରସ୍ତ କରିଦେଇଥିଲା। ତେବେ ଶେଷରେ ସେ ଝିଅକୁ ନେଇ ଭାରତ ଫେରିଆସିଛନ୍ତି। ଭାରତ ଫେରିବା ଅଭିଜ୍ଞତା କିନ୍ତୁ ଆଶଙ୍କାରେ ପରିପୂର୍ଣ୍ଣ ଥିଲା। ଏହାକୁ ସେ ଅକ୍ଷୟ କୁମାରଙ୍କ ‘ଏୟାର୍ଲିଫ୍ଟ’ ଚଳଚ୍ଚିତ୍ରର କାହାଣୀ ସହିତ ତୁଳନା କରିଛନ୍ତି। ବିମାନବନ୍ଦରକୁ ଯାତ୍ରା କରିବା ପାଇଁ ଘରୁ ପାଦ କାଢ଼ିବାର ଅର୍ଥ ଥିଲା ବିପଦ ବରଣ କରିବା।
ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆଶଙ୍କାରେ ରହିବା ବଦଳରେ ଲାରା ଥରେ ବିପଦର ସମ୍ମୁଖୀନ ହୋଇ ସ୍ବଦେଶକୁ ଫେରିଆସିବା ଶ୍ରେୟସ୍କର ମଣିଲେ। ସେ ଦୁଇ ଘଣ୍ଟା କାର୍ ଯାତ୍ରା କରି ବିମାନବନ୍ଦର ପହଞ୍ଚିଗଲେ କିନ୍ତୁ ବୋମା ଫୁଟିବା ଶବ୍ଦ ମନକୁ ଆନ୍ଦୋଳିତ କରୁଥିଲା। ଶେଷରେ ତାଙ୍କ ବିମାନ ଭାରତ ଅଭିମୁଖେ ଉଡ଼ିଲା ଏବଂ ଭାରତ ପହଞ୍ଚିବା ପରେ ସେ ଆଶ୍ବସ୍ତିର ନିଃଶ୍ବାସ ଛାଡ଼ିଲେ। ସେ ବନ୍ଧୁ ତଥା ଅଭିନେତା ଅକ୍ଷୟ କୁମାରଙ୍କୁ ମଜାରେ କହିଲେ ଯେ ଏ ଯାତ୍ରା ‘ଏୟାର୍ଲିଫ୍ଟ ୨’ ଚଳଚ୍ଚିତ୍ର ପରି ଲାଗିଲା।
ଯୁଦ୍ଧ ସଙ୍କଟ ଯୋଗୁଁ ଲାରାଙ୍କ ବ୍ୟତୀତ ସୋନାଲ ଚୌହାନ, ଈଶା ଗୁପ୍ତା, ନର୍ଗିସ ଫାଖରୀ, ବିଷ୍ଣୁ ମାଞ୍ଚୁ ଓ ଅଜିତ କୁମାରଙ୍କ ପରି ଭାରତୀୟ ସେଲିବ୍ରିଟି ଦୁବାଇରେ ଫସି ରହିଥିଲେ। ସେମାନଙ୍କ ଭିତରୁ କିଛି ସେଠାରୁ ବାହାରି ଆସିବାରେ ସଫଳ ହୋଇଥିବା ବେଳେ ଆଉ କିଛି ଏ ଯାଏ ସେଠାରେ ଅଛନ୍ତି।
ସୌଜନ୍ୟ ସମ୍ବାଦ
