ଅପରାଧଜିଲ୍ଲାରାଜ୍ୟ

ଝଗଡ଼ା ଲାଗିଲେ ସ୍ୱାମୀ-ସ୍ତ୍ରୀ, ବିବାଦ ତୁଟାଇବା ଯାଇ ଚାଲିଗଲା ପଡୋଶୀ ଯୁବକଙ୍କ ଜୀବନ

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ସମାଧାନ କରିବାକୁ ଯାଇ ପଡୋଶୀ ଯୁବକ ହେମନ୍ତ ନାଏକକୁ ହତ୍ୟା

ସୁନ୍ଦରଗଡ଼ ୨୭।୦୬ : ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଯମୁନା ମୟାବାହାଲ ଦେହୁରିପଡ଼ାରେ ଚାଞ୍ଚଲ୍ୟ । ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ସମାଧାନ କରିବାକୁ ଯାଇ ପଡୋଶୀ ଯୁବକ ହେମନ୍ତ ନାଏକକୁ ହତ୍ୟା କରାଯାଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ କରିଛି । ଏହାସହ ଘଟଣାର ଅଧିକ ଛାନଭିନ ଜାରି ରଖିଛି ।

ଖବର ଅନୁଯାୟୀ, ଶୁକ୍ରବାର ଗାଁର ଡେମୁଳ ପୂଜା ବା ଗାଁ ପୂଜା ଚାଲିଥାଏ। ଏହି ପୂଜାରେ କନ୍ଦର୍ପ ଦେହୁରୀ ଗାଁର କାଲୋ (ପୂଜକ) ଭାବେ ଦାୟିତ୍ୱରେ ଥିଲେ । ପୂଜା ପରେ କୌଣସି କଥାକୁ ନେଇ କନ୍ଦର୍ପ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ଉଗ୍ରରୂପ ନେଇଥିଲା । ଏମିତିକି ଝଗଡ଼ା ମଧ୍ୟ ହୋଇଥିଲା । ଏହି ଝଗଡ଼ାରେ ଭୟଭୀତ ହୋଇ କନ୍ଦର୍ପଙ୍କ ସ୍ତ୍ରୀ ପଡୋଶୀ ହେମନ୍ତ ନାଏକଙ୍କ ଘରକୁ ଦୌଡି ପଳାଇଥିଲେ । କନ୍ଦର୍ପ ମଧ୍ୟ ତାଙ୍କ ପଛେ ପଛେ ଯାଇ ହେମନ୍ତଙ୍କ ଘରେ ପହଞ୍ଚିଥିଲେ । ସେଠାରେ ହେମନ୍ତ , ତାଙ୍କ ଭାଇ ଓ ଭଉଣୀ ମିଶି ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ କନ୍ଦର୍ପ ହେମନ୍ତଙ୍କ ଭଉଣୀଙ୍କୁ ମାଡ ମାରିଥିଲେ । ଏହାକୁ ନେଇ ହେମନ୍ତ ଓ କନ୍ଦର୍ପଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପରେ ଗାଁରେ କିଛି ଯୁବକ କନ୍ଦର୍ପଙ୍କୁ ନେଇ ତାଙ୍କ ଘରେ ଛାଡିଥିଲେ । ହେଲେ ମିଳିଥିବା ତଥ୍ୟ ଅନୁସାରେ, ରାତି ପ୍ରାୟ ୧୦ ଟା ୩୦ରୁ ୧୧ଟା ମଧ୍ୟରେ ହେମନ୍ତ ନିଜ ଘର ପାଖରେ ଏକାକୀ ବସିଥିଲେ । ଏହି ସମୟରେ କନ୍ଦର୍ପ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ପ୍ରହାର ପକାଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ହେମନ୍ତଙ୍କ ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ତଲସରା ଥାନା ଆଇଆଇସି ଯଶୋବନ୍ତୀ ବାଗ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ ମଧ୍ୟ କରିଛି । ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ହେମନ୍ତଙ୍କ ବାପା ଲାଳମଣି ନାଏକଙ୍କର ଗତ ବର୍ଷ ମୃତ୍ୟୁ ହୋଇଥିଲା । ଆସନ୍ତା ୬ ତାରିଖରେ ହେମନ୍ତଙ୍କ ଭଉଣୀଙ୍କ ବିବାହ ହେବାକୁ ଥିଲା । ହେଲେ ତାପୂର୍ବରୁ ଏହି ଘଟଣା ପୁରା ପରିବାର ଉପରେ ଦୁଃଖର ପାହାଡ ଛିଡ଼ା କରିଦେଇଛି । ପୁରା ଅଞ୍ଚଳରେ ଖେଳାଯାଇଛି ଶୋକର ଛାୟା ।

 

 

ସୌଜନ୍ୟ Prameya News7

 

Show More

Leave a Reply

Your email address will not be published. Required fields are marked *

Back to top button