ନେପାଳ ବନ୍ୟାରେ ୬ ଓଡ଼ିଆ ନିଖୋଜ; ମାନସରୋବର ଯାତ୍ରାରେ ଯାଉଥିଲେ

ନାରାୟଣପାଟଣା : ନେପାଳ-ତିବ୍ଦତ ସୀମାରେ ଆସିଥିବା ଭୟାବହ ବନ୍ୟାରେ କୋରାପୁଟ ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ମାନ୍ୟମ୍ ଜିଲା ପାର୍ବତୀପୁରମ୍ ସହରର ଗୋଟିଏ ଓଡ଼ିଆ ପରିବାରର ଚାରିଜଣ ସଦସ୍ୟ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସେମାନେ ମାନସରୋବର ତୀର୍ଥଯାତ୍ରା ପାଇଁ ବସ୍ରେ ଯାଉଥିବା ବେଳେ ହଠାତ୍ ବନ୍ୟା ସେମାନଙ୍କୁ ଭସେଇ ନେଇଥିଲା।
ସୂଚନାନୁଯାୟୀ, ପାର୍ବତୀପୁରମ ସହର ପଣ୍ଡାସାହିର ସୁଭାଷ ସାହୁଙ୍କ ବଡ଼ ପୁଅ ସନ୍ତୋଷ କୁମାର ସାହୁ (୪୭), ତାଙ୍କ ସ୍ତ୍ରୀ ସୁରଭି (୪୩), ପୁଅ ସ୍ପନ୍ଦନ (୧୮) ଏବଂ ଝିଅ ସାଇନା (୧୩) ୨୦ ବର୍ଷ ଧରି ଲଣ୍ଡନରେ ବସବାସ କରି ଆସୁଛନ୍ତି। ସେମାନେ ସେଠାରୁ ନେପାଳ ଦେଇ ମାନସରୋବର ତୀର୍ଥଯାତ୍ରା ପାଇଁ ଏକ ବସ୍ରେ ଯାଉଥିଲେ। ବସ୍ଟି ଏକ ପୋଲ ଉପର ଦେଇ ଯାଉଥିବା ବେଳେ ହଠାତ୍ ପ୍ରଳୟଙ୍କରୀ ବନ୍ୟା ସେମାନଙ୍କୁ ଭସାଇ ନେଇଥିଲା। ଉକ୍ତ ବସ୍ରେ ମୋଟ ୧୫ଜଣ ଯାତ୍ରୀ ଥିବା ଜଣାଯାଇଛି। ନିଖୋଜ ପରିବାରର ସମ୍ପର୍କୀୟମାନେ ଜଣେ ନେପାଳୀ ଗାଇଡ୍ଙ୍କ ମାଧ୍ୟମରେ ଏହି ଅଘଟଣ ସମ୍ପର୍କରେ ସୂଚନା ପାଇଛନ୍ତି। ସନ୍ତୋଷଙ୍କ ବାପା-ମାଆ ବର୍ତ୍ତମାନ ନିଜର ଦ୍ୱିତୀୟ ପୁଅ ମୁରଲୀ ସାହୁଙ୍କ ପାଖରେ ରହୁଛନ୍ତି। ନିଖୋଜ ଖବର ପାଇବା ପରେ ସନ୍ତୋଷଙ୍କ ପିତାମାତା ଏବଂ ବନ୍ଧୁବାନ୍ଧବ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି।
ବର୍ତ୍ତିଲେ ସ୍ବାମୀ; ସ୍ତ୍ରୀ-ଝିଅ ନିଖୋଜ
ବରଗଡ଼/ରେଙ୍ଗାଲିକ୍ୟାମ୍ପ : ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ବରଗଡ଼ ଜିଲାର ମା’-ଝିଅ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ସେମାନେ ହେଲେ, ବରଗଡ଼ ବ୍ଲକ ଅନ୍ତର୍ଗତ ଜାମପାଲି ପଞ୍ଚାୟତ ସର୍ଲା ଗ୍ରାମର ଗୁନମ ଜୟକ୍ରିଷ୍ଣା(୩୦)ଙ୍କ ସ୍ତ୍ରୀ ଗୁନମ ସାଇ ବିନ୍ଦୁ(୨୫) ଏବଂ ଦେଢ଼ବର୍ଷର ଶିଶୁକନ୍ୟା ଗୁନମ ଆର୍ଶିକା। ତେବେ ଜୟକ୍ରିଷ୍ଣା ଏହି ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନେପାଳ ସେନା ତାଙ୍କୁ ଜୀବନ୍ତ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ସର୍ଲା ଗ୍ରାମର ଗୁନମ ୱିରା ଭେଙ୍କଟ ରାଓଙ୍କ ପୁଅ ଜୟକ୍ରିଷ୍ଣା ଗତ ୨-୩ ବର୍ଷ ଧରି ନେପାଳର ଏକ ହାଇଡ଼୍ରୋ ପାୱାର ପ୍ଲାଣ୍ଟରେ କାମ କରୁଥିଲେ। ତାଙ୍କ ସ୍ତ୍ରୀ ଗୁନମ ସାଇ ବିନ୍ଦୁ(୨୫) ଓ ଦେଢ଼ ବର୍ଷର ଝିଅ ଗୁନମ୍ ଆର୍ଶିକା ମଧ୍ୟ ତାଙ୍କ ସହ ସେଠାରେ ରହୁଥିଲେ।
ଗତକାଲି ପାୱାର ପ୍ଲାଣ୍ଟ ଅଞ୍ଚଳରେ ହଠାତ୍ ପ୍ରବଳ ବର୍ଷା ହେବା ସହ ପାହାଡ଼ି ବନ୍ୟା ମାଡ଼ି ଆସିଥିଲା। ବନ୍ୟାର ପ୍ରଖର ସ୍ରୋତରେ ଜୟକ୍ରିଷ୍ଣାଙ୍କ ସ୍ତ୍ରୀ ଓ ଶିଶୁ କନ୍ୟା ଭାସିଯାଇଥିବା ଜଣାଯାଇଛି। ଏହି ସମୟରେ ଜୟକ୍ରିଷ୍ଣାଙ୍କ ସମେତ ଅନ୍ୟ ୨-୩ ଜଣ କର୍ମଚାରୀ ନିକଟସ୍ଥ ଏକ ଟାୱାର ଉପରକୁ ଚଢ଼ି ଜୀବନ ରକ୍ଷା କରିଥିଲେ। ତେବେ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଖବର ମିଳି ନାହିଁ।
ଘଟଣା ସମ୍ପର୍କରେ ଖବର ପାଇ ଜୟକ୍ରିଷ୍ଣାଙ୍କ ବଡ଼ଭାଇ ଗୁନମ୍ ଦିନେଶ ଚୌଧୁରୀ ବାଙ୍ଗାଲୋରରୁ ନିଜ ଗ୍ରାମ ସର୍ଲାକୁ ଫେରି ପିତାଙ୍କୁ ଜଣାଇଥିଲେ। ପରେ ଜୟକ୍ରିଷ୍ଣାଙ୍କ ଶାଶୂ କାମାୱାର ଲକ୍ଷ୍ମୀଙ୍କୁ ମଧ୍ୟ ଏହି ଦୁଃଖଦ ଖବର ଦିଆଯାଇଥିଲା। ଝିଅ ଓ ନାତୁଣୀ ନିଖୋଜ ଥିବା ଖବରରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।
ସମ୍ପର୍କୀୟ ଶାଳକ ରାଜେଶ ରେଡ୍ଡୀଙ୍କ ସୂଚନା ଅନୁଯାୟୀ, ନେପାଳ ସେନା ବାହିନୀ ଜୟକ୍ରିଷ୍ଣାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜ ହେପାଜତରେ ରଖିଛି। ଆସନ୍ତାକାଲି ତାଙ୍କୁ ବିମାନ ଯୋଗେ ଗାଁକୁ ପଠାଇବା ପାଇଁ ବ୍ୟବସ୍ଥା ଚାଲିଛି। ଏପଟେ ପରିବାର ଓ ଗ୍ରାମବାସୀ ଜୟକ୍ରିଷ୍ଣାଙ୍କ ଫେରିବାକୁ ଅପେକ୍ଷା କରିବା ସହ ତାଙ୍କ ସ୍ତ୍ରୀ ଓ ଶିଶୁ କନ୍ୟାଙ୍କ ଜୀବିତ ଥିବା ଖବର ପାଇବା ନେଇ ଆଶା ବାନ୍ଧିଛନ୍ତି।
ସୌଜନ୍ୟ ସମାଜ




