ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ ତିକ୍ତତା ମଧ୍ୟରେ କ୍ରୀଡ଼ା ଜଗତ ପାଇଁ ଏକ ବଡ଼ ଖବର ଆସିଛି। ଭାରତ ସରକାର ପାକିସ୍ତାନୀ ଖେଳାଳିଙ୍କୁ ଭାରତରେ ଖେଳିବା ପାଇଁ ଅନୁମତି ଦେଇଛନ୍ତି, କିନ୍ତୁ ଏହା କେବଳ ନିର୍ଦ୍ଦିଷ୍ଟ କିଛି ଟୁର୍ଣ୍ଣାମେଣ୍ଟ ପାଇଁ ଲାଗୁ ହେବ। ପାକିସ୍ତାନ ଖେଳାଳି ଓ ଅଫିସିଆଲ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଭିସା ପ୍ରଦାନରେ କୌଣସି ଅସୁବିଧା ହେବନି।
ଭାରତ ସରକାରଙ୍କ ସ୍ପଷ୍ଟୀକରଣ
ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ,ଯଦି ଭାରତ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟ ଯେପରିକି ବିଶ୍ଵକପ୍ କିମ୍ବା ଏସିଆ କପ୍ ଆୟୋଜନ କରେ ତେବେ ପାକିସ୍ତାନୀ ଖେଳାଳିଙ୍କୁ ଭାରତ ଆସିବାକୁ ଅନୁମତି ମିଳିବ। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସ୍ଵତନ୍ତ୍ର ଭାବେ କୌଣସି ସିରିଜ୍ କିମ୍ବା ମ୍ୟାଚ୍ ଖେଳାଯିବ ନାହିଁ। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବି ପରିସ୍ଥିତିରେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ।
କାହିଁକି ଏହି ନିଷ୍ପତ୍ତି ?
ନିକଟରେ ଚାମ୍ପିଅନ୍ସ ଟ୍ରଫି ଏବଂ T20 ବିଶ୍ୱକପ୍ ୨୦୨୬ କୁ ନେଇ ବେଶ୍ ବିବାଦ ଦେଖାଦେଇଥିଲା। ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ହେବାକୁ ଥିବାବେଳେ ଭାରତ ସେଠାକୁ ଯିବାକୁ ମନା କରିଦେଇଥିଲା ଏବଂ ନିଜର ମ୍ୟାଚ୍ ଗୁଡ଼ିକ ୟୁଏଇ (UAE) ରେ ଖେଳିଥିଲା। ସେହିପରି ଭାରତରେ ଆୟୋଜିତ T20 ବିଶ୍ୱକପ୍ ପାଇଁ ପାକିସ୍ତାନ ଦଳ ଭାରତ ଆସିନଥିଲା ଏବଂ ସେମାନେ ନିଜ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲେ। ଏହି ସମସ୍ୟାର ସମାଧାନ ଏବଂ ଭବିଷ୍ୟତରେ ଭାରତରେ ହେବାକୁ ଥିବା ବଡ଼ ଧରଣର ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ସରକାର ଏହି ନୀତି ପ୍ରଣୟନ କରିଛନ୍ତି।
ସୌଜନ୍ୟ Prameya News7

