ଜାତୀୟ

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି ହେବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି । ପ୍ରଥମେ ଏହି ଘଟଣା ପାଇଁ ପାଇଲଟ୍‌ ମାରିଜୁଆନା ନିଶାରେ ଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ, ବ୍ଲାକ୍‌ ବକ୍ସର ପ୍ରାଥମିକ ତଥ୍ୟରୁ ବିମାନରେ ବଡ଼ଧରଣର ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିଛି ।

୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା କଣ୍ଟ୍ରୋଲ୍ ସର୍ଫେସ୍
ଏୟାରବସ୍‌ର ଡିଜିଟାଲ୍ ଫ୍ଲାଇଟ୍ ଡାଟା ରେକର୍ଡର୍ ଅର୍ଥାତ୍ ବ୍ଲାକ୍‌ ବକ୍ସର ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ବିମାନର ଏଲିଭେଟର୍ ଏବଂ ଏଲରନ୍ ସମେତ ସମସ୍ତ କଣ୍ଟ୍ରୋଲ୍ ସର୍ଫେସ୍ ୪ ସେକେଣ୍ଡ ପାଇଁ ଏକକାଳୀନ କାମ କରିବା ବନ୍ଦ କରିଦେଇଥିଲା। ଏହି ହାଇଡ୍ରୋଲିକ୍ ଫେଲ୍‌ୟୋର୍ କାରଣରୁ ସ୍ପଏଲର୍ ମଧ୍ୟ କାମ କରି ନଥିଲା। ଫଳରେ, A-320 NEO ବିମାନର କଣ୍ଟ୍ରୋଲ୍ ବିନା ପାଇଲଟ୍‌ଙ୍କ କମାଣ୍ଡରେ ନିଜେ-ନିଜେ ହଲିବାକୁ ଲାଗିଥିଲା, ଯାହାକି ଫ୍ଲାଇଟ୍ ଅପରେସନ୍‌ରେ ଏକ ଅଭୂତପୂର୍ଭ ଘଟଣା। ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଆସିବାକ୍ଷଣି ବିମାନର ଅଟୋ-ପାଇଲଟ୍ ସିଷ୍ଟମ ବନ୍ଦ ହୋଇଯାଇଥିଲା। ଏହି ସମୟରେ କକପିଟ୍‌ରେ ‘ଷ୍ଟାଲ୍’ (Stall) ଅର୍ଥାତ୍ ବିମାନର ଡେଣା ଆବଶ୍ୟକୀୟ ଲିଫ୍ଟ୍ ବା ଉପରମୁହାଁ ଚାପ ସୃଷ୍ଟି କରିବାରେ ଅସମର୍ଥ ହେବା ନେଇ ଚେତାବନୀ ଆସିଥିଲା। ବିମାନ ଉପରୁ ନିୟନ୍ତ୍ରଣ ହଟିଯିବା ଆଶଙ୍କାରେ କୋ-ପାଇଲଟ୍ ବିମାନର ନୋଜ୍ (ଆଗ ଭାଗ) ତଳକୁ ଆଣିବା ପାଇଁ ସାଇଡ୍-ଷ୍ଟିକ୍ ଆଗକୁ ଠେଲିଥିଲେ।

ତେବେ, ହାଇଡ୍ରୋଲିକ୍ ପାୱାର ନଥିବାରୁ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। କିନ୍ତୁ କିଛି ସେକେଣ୍ଡ ପରେ ଯେତେବେଳେ ତିନୋଟି ହାଇଡ୍ରୋଲିକ୍ ସିଷ୍ଟମ ଠିକ୍ ହୋଇଗଲା, ସେତେବେଳେ ବିମାନର ଆଗ ଭାଗ ହଠାତ୍ ଦ୍ରୁତ ଗତିରେ ତଳକୁ ଖସି ଯାଇଥିଲା। ଏହି କାରଣରୁ ଭୟଙ୍କର ଟର୍ବୁଲେନ୍ସ ସୃଷ୍ଟି ହୋଇ ଯାତ୍ରୀ ଏବଂ କ୍ୟାବିନ୍ କ୍ରୁ’ମାନେ ଝଟକାରେ ଆହତ ହୋଇଥିଲେ ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button