ବଡ଼ଦାଣ୍ଡର ଛାତିଥରା ଦୃଶ୍ୟ : ସ୍କୁଟରକୁ ଧକ୍କା ଦେଇ ୨ଶହ ମିଟର ଘୋଷାଡି ନେଲା ବୋଲେରୋ ; ନାବାଳକ ନାତି ମୃତ, ଜେଜେ ଗୁରୁତର

ପୁରୀ ବଳଗଣ୍ଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟରକୁ ଧକ୍କା ଦେଇ ଘୋଷାଡି ନେଲା ବୋଲେରୋ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୁରୀ ୨।୧: ପୁରୀ ବଡ଼ଦାଣ୍ଡର ଦେଖିବାକୁ ମିଳିଛି ଛାତିଥରା ଦୃଶ୍ୟ । ଜଳଖିଆ ଆଣିବା ପାଇଁ ସ୍କୁଟିରେ ଯାଉଥିବା ବେଳେ ଘଟିଲା ସିରିଜ୍ ଦୁର୍ଘଟଣା । ପ୍ରଥମେ ସାଇକେଲ୍ ଓ ପରେ ସ୍କୁଟି ଉପରେ ଚଢିଗଲା ବୋଲେରୋ । ଦୁଇ ଶହ ମିଟର ପର୍ଯ୍ୟନ୍ତ ସ୍କୁଟିକୁ ଘୋଷାଡି ନେଲା ବୋଲେରୋ ଗାଡ଼ି । ଫଳରେ ନାବାଳକ ନାତିର ମୃତ୍ୟୁ ଘଟିଥିବା ବେଳେ ଜେଜେ ଗୁରୁତର ହୋଇ ପୁରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ ନାବଳକ ଜଣକ କୁମୁଟି ସାହିର ନିରଞ୍ଜନ ଦେ ଙ୍କ ପୁଅ ଶ୍ରେୟାନ୍ସ ଦେ ବୋଲି ଜଣାପଡିଛି । ସେହିପରି ଗୁରୁତର ଜେଜେ ହେଉଛନ୍ତି ନୀଳକଣ୍ଠ ଦେ ଏବଂ ଅନ୍ୟ‌ ଜଣେ ନାବାଳକ ରାଜା ସାହୁ ଗୁରୁତର ହୋଇଛନ୍ତି । ଏଭଳି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି ।

ସୂଚନାଯୋଗ୍ୟ ଯେ, ନୀଳକଣ୍ଠ ଦେ ତାଙ୍କ ନାତି ଓ ଅନ୍ୟ ଜଣେ ସମ୍ପର୍କୀୟ ନାବାଳକଙ୍କୁ ସ୍କୁଟିରେ ନେଇ ଜଳଖିଆ ଆଣିବା ପାଇଁ ଯାଉଥିଲେ । ବଳଗଣ୍ଡି ଛକରେ ଏକ ବୋଲେରୋ ଗାଡ଼ି ସିରିଜ୍ ଦୁର୍ଘଟଣା ଘଟାଇଥିଲା । ପ୍ରଥମେ ଏକ ସାଇକେ୍‌କୁ ଧକ୍କା ଦେବା ପରେ ସ୍କୁଟିକୁ ଧକ୍କା ଦେଇଥିଲା ବୋଲେରୋ । ତେବେ ସମସ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଶ୍ରେୟାନ୍ସକୁ ମୃତ ଘୋଷଣା କରିଥିଲେ ଡାକ୍ତର । ନାବାଳକଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

​​​​​​​

ସେହିପରି ଦୁର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭରକୁ କୁମ୍ଭାରପଡ଼ା ଥାନା ପୋଲିସ ଅଟକ ରଖିଛି । ନିଶା ସେବନ କରି ଡ୍ରାଇଭର ଜଣକ ଗାଡ଼ି ଚଳାଉଥିଲା ବୋଲି ଅଭିଯୋଗ ହୋଇଛି । ନୂଆବର୍ଷ ପାଇଁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଥିବା ବେଳେ ପୁରୀ ବଳଗଣ୍ଡି ଛକକୁ ବୋଲେରୋ ଗାଡ଼ି କିଭଳି ଆସିଲା ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

ସେପଟେ ଏହି ଦୁଃଖଦ ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏହାସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ସୌଜନ୍ୟ Prameya News7

Exit mobile version