ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କାର୍ଯ୍ୟକାରୀ କରି କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶାନାମା ତୁରନ୍ତ ପ୍ରକାଶ କରିବା ଦାବିରେ ଆଜି ଓଡ଼ିଶା କିନଷ୍ଠ ଶିକ୍ଷକ ସଂଘ(୨୦୨୩) ପକ୍ଷରୁ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମିଟିଂରେ ଯୋଜନାଭିତ୍ତିକ ପ୍ରଥାର ଉଚ୍ଛେଦ ସହିତ ଏବେ କାର୍ଯ୍ୟରତ ଥିବା ୧୩୫୦୦ କନିଷ୍ଠ ଶିକ୍ଷକମାନଙ୍କୁ ଖୁବ୍ଶୀଘ୍ର ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ ଏହା କାର୍ଯ୍ୟକାରୀ ନ ହେବାରୁ ଗତ ଡିସେମ୍ବର ୧୦ ତାରିଖ ଦିନ ସଂଘ ପକ୍ଷରୁ ଆନ୍ଦୋଳନର ଡାକରା ଦେଇଥିଲା।
ଫଳସ୍ବରୂପ ଗଣଶିକ୍ଷା ମନ୍ତ୍ରୀଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପସ୍ଥିତିରେ ଏକ କମିଟି ସଂଘ ସହ ଅଲୋଚନା କଲେ। ଗତ ଡିସେମ୍ବର ଶେଷସୁଦ୍ଧା ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ତଥାପି ସରକାର ବିଳମ୍ବ କରିଚାଲିଛନ୍ତି।
ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ୫ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମୃତ୍ୟୁବରଣ କଲେଣି। ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ଆର୍ଥିକ ସହାୟତା ପ୍ରଦାନ କରିନାହାନ୍ତି। କନିଷ୍ଠ ଶିକ୍ଷକ (ଯୋଜନାଭିଭିକ)ହିସାବରେ ନିୟମିତ ଶିକ୍ଷକମାନଙ୍କ ପରି ସବୁ କାମ କରୁଥିଲେ ମଧ୍ୟ ସରକାରୀ ସୁବିଧା ସୁଯୋଗ ମିଳୁନାହିଁ। ଯେ ପର୍ଯ୍ୟନ୍ତ ସରକାର ଲିଖିତ ପ୍ରତିଶ୍ରୁତି ନଦେଇଛନ୍ତି, ପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନେ ବିଦ୍ୟାଳୟକୁ ଫେରିବେ ନାହିଁ। ଜନଗଣନା ହେଉ ଅବା ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ରେ କନିଷ୍ଠ ଶିକ୍ଷକ (ଯୋଜନାଭିତ୍ତକ) ମାନେ ଅସହଯୋଗ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ସୌଜନ୍ୟ ସମ୍ବାଦ
