ରାଜ୍ୟ

ବନ୍ୟାବେଳେ ସାହା ହେଲା ସଙ୍ଗାତ ଗାଁ: ଡଙ୍ଗାରେ ପହଞ୍ଚାଇଲେ ଚୁଡ଼ା, ଚାଉଳ ଓ କମ୍ବଳ, ହାତରେ ରାନ୍ଧି ଖୁଆଇଲା ୧୫୦ ପରିବାରକୁ

ନବରଙ୍ଗପୁର ୦୨/୦୧ (ରାମକିରଣ ପଟ୍ଟନାୟକ) : ଭୟଙ୍କର ବନ୍ୟାବେଳେ ବି ସଙ୍ଗ ଛାଡ଼ିନି ସଙ୍ଗାତ(ମିତ) ଗାଁ । ବିପଦ ସମୟରେ ପାଖରେ ଠିଆ ହୋଇଛନ୍ତି ଗାଁର ପ୍ରତିଟି ମଣିଷ । ନିଜେ ବନ୍ୟା ଘେରରୁ ସାମାନ୍ୟ ମୁକୁଳିବା ପରେ ପହଞ୍ଚିଛନ୍ତି ମିତ ଗାଁ ଭାବେ ପରିଚିତ କୋଷାଗୁମୁଡ଼ା ବ୍ଲକ ଚିର୍ମା ପଞ୍ଚାୟତର ଦୁଗ୍‌ଲାହାଣ୍ଡିରେ । ପାରୁପର୍ଯ୍ୟନ୍ତ ଅଜାଡ଼ି ଦେଇଛନ୍ତି ସବୁପ୍ରକାର ସାହାଯ୍ୟ । ଡାଲି, ଚାଉଳ, ଚୁଡ଼ା, କମ୍ବଳରୁ ଆରମ୍ଭ କରି ପାଣି ବୋତଲ ପର୍ଯ୍ୟନ୍ତ ସବୁକିଛି ପହଞ୍ଚାଇଛନ୍ତି ସେମାନଙ୍କ ପାଖରେ । ଏଭଳି ନିଆରା ବନ୍ଧୁତାର ପ୍ରମାଣ ଦେଇଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଆଙ୍କୁଲାବାସୀ । ସେମାନଙ୍କର ଏ ପ୍ରକାର ବନ୍ଧୁତା ଦେଖି ଖୋଦ୍ ପ୍ରଶାସନିକ ଅଧିକାରୀ ବି ତାଜୁବ୍ ହୋଇଛନ୍ତି ।

କଥାରେ ଅଛି ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଏହାକୁ କାମରେ କରି ଦେଖାଇଛନ୍ତି ଆଙ୍କୁଲାବାସୀ । ନିଜେ ବନ୍ୟାଦ୍ୱାରା ପ୍ରଭାବିତ ହୋଇଛନ୍ତି । ପାଣି ଘେରରୁ ସାମାନ୍ୟ ମୁକୁଳିବା ପରେ ଜାଣିବାକୁ ପାଇଥିଲେ ଯେ, ସେମାନଙ୍କ ମିତ ଗାଁକୁ ଛାରଖାର୍ କରିଦେଇଛି ପ୍ରଳୟଙ୍କରୀ ବନ୍ୟା । ଏହାକୁ ନେଇ ସେମାନଙ୍କ ନିଦ ହଜି ଯାଇଥିଲା । ସୋମବାର ଏକ ଦେଶୀ ଡଙ୍ଗାରେ ପ୍ରଥମେ ଗାଁକୁ ଆଗୁଆ ପହଞ୍ଚାଇଥିଲେ କିଛି ଖାଦ୍ୟ ସମଗ୍ରୀ । ମଙ୍ଗଳବାର ପାଣି ଟିକିଏ କମିବା ପରେ ଆଙ୍କୁଲା ଗାଁର ୬୦ ଜଣ ମହିଳା ଓ ପୁରୁଷ ୨ଟି ଭ୍ୟାନ୍‌ରେ ପହଞ୍ଚିଥିଲେ ଦୁଗ୍‌ଲାହାଣ୍ଡିରେ । ଗାଡ଼ିରେ ରହିଥିଲା ଚାଉଳ, ଡାଲି, ପରିବା, ଚୁଡ଼ା, କଦଳୀ, ବିସ୍କୁଟ୍, ମିକ୍ସର, ପାଣି ବୋତଲ ଓ କମ୍ବଳ ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ।

ଦୁଗ୍‌ଲାହାଣ୍ଡିରେ ପହଞ୍ଚିବା ପରେ ବନ୍ଧୁତାର ପରିଭାଷା ଭୁଲି ନ ଥିଲେ ବନ୍ୟା ବିପନ୍ନ ଗ୍ରାମବାସୀ । ମିତଗାଁ ଆଙ୍କୁଲାର ସମସ୍ତ ମହିଳା ଓ ପୁରୁଷଙ୍କ ଗୋଡ଼ ଧୋଇ ଦେଇଥିଲେ । ମଥାରେ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ । ବଡ଼ମାନଙ୍କ ପାଦ ଛୁଇଁ ଛୋଟମାନେ ଜୁହାର ହୋଇଥିଲେ । କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ । ତା’ପରେ ଆରମ୍ଭ ହୋଇଯାଇଥିଲା ରନ୍ଧାବଢ଼ା । ଦୁଗ୍‌ଲାହାଣ୍ଡିର ୧୫୦ ପରିବାରର ଶତାଧିକ ଲୋକଙ୍କ ପାଇଁ ନିଜ ହାତରେ ରୋଷେଇ କରି ପରସିଥିଲେ ଆଙ୍କୁଲାବାସୀ । ସମସ୍ତଙ୍କୁ ଖୁଆଇ ବିଳମ୍ବିତ ରାତିରେ ଫେରିଥିଲେ ନିଜ ଗାଁକୁ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button