J&K Special Police: କିସ୍ତୱାଡ଼ ଜଙ୍ଗଲରୁ ନିଖୋଜ ଦୁଇ SPOଙ୍କ ମୃତଦେହ ଠାବ; ଅପହରଣ ପରେ ହତ୍ୟା, ଶରୀରରେ ରହିଛି ଅନେକ ଗୁଳି ଚିହ୍ନ

ଶ୍ରୀନଗର, ୧୨/୧୧: ଜମ୍ମୁ-କାଶ୍ମୀର କିସ୍ତୱାଡ଼ ଜଙ୍ଗଲରୁ ନିଖୋଜ ଦୁଇ ଏସପିଓଙ୍କ ମୃତଦେହ ଠାବ । ଦୁଇ ଜଣ ସ୍ବତନ୍ତ୍ର ପୁଲିସ ଅଫିସରଙ୍କ ମୃତଦେହ ଦଛାନ ଅଞ୍ଚଳରୁ ମିଳିଛି । ଦୁଇ ଅଧିକାରୀଙ୍କ ଶରୀରରେ ରହିଛି ଅନେକ ଗୁଳି ଚିହ୍ନ। ନିଖୋଜ ହୋଇଥିବା ସ୍ଥାନର ୨ କିଲୋମିଟର ଦୂରରୁ ଦୁଇ ଜଣଙ୍କ ମୃତଦେହ ଠାବ ହୋଇଛି । ଦୁଇ SPO ଯବାନ ହେଲେ ବାବି ଚାନ୍ଦ ଏବଂ ରଶପାଲ କୁମାର । ବାବି ଚାନ୍ଦଙ୍କ ବୟସ ୫୭ । ରଶପାଲଙ୍କ ବୟସ ୪୫ ବର୍ଷ। ଅପହରଣ ଏବଂ ହତ୍ୟାରେ ସଂପୃକ୍ତ ଆତଙ୍କୀଙ୍କୁ ଖୋଜିବା ପାଇଁ ଚାଲିଛି ବଡ଼ ଧରଣର ସର୍ଚ୍ଚ ଅପରେସନ୍ ।
ବୁଧବାର ଅପରାହ୍ଣରେ ଦଛାନ ଅଞ୍ଚଳର ଉଚ୍ଚ ପାହାଡ ଏବଂ ଜଙ୍ଗଲ ଅଞ୍ଚଳରେ ସେନା ପୋଷ୍ଟକୁ ଯିବା ବେଳେ ଦୁଇ ଜଣଙ୍କୁ ଅପହଣ କରିନେଇଥିଲେ ଆତଙ୍କୀ । ଖବର ମିଳିବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଡ୍ରୋନ୍, ସ୍ନିପର ଡଗ୍ ସହାୟତାରେ ଚାଲିଥିଲା ଅପରେସନ୍ । ବହୁ ଖୋଜାଖୋଜି ପରେ ଦୁଇ ଜଣଙ୍କ ମୃତଦେହ ମିଳିଛି । ଅତି ନିକଟରୁ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି ।
ଅନ୍ୟପଟେ ଜାମ୍ମୁକାଶ୍ମୀରର କୁଲଗାମରେ ସୁରକ୍ଷାବାହିନୀ ଉପରେ ଗୁଳିମାଡ଼ ଘଟଣାରେ ପୂରା ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଛି । ଏହି ଘଟଣାରେ ୩ଜଣ CRPF ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଅନନ୍ତନାଗର ଜିଲ୍ଲା ହସପିଟାଲ୍ ରେ ଭର୍ତ୍ତି କରାଯାଇଛି । ଜଣେ ଯବାନଙ୍କ ପେଟରେ ଗୁଳି ବାଜିଥିବା ବେଳେ ଅନ୍ୟ ୨ଜଣ ସାମାନ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ସୁରକ୍ଷାବାହିନୀ ପୂରା ଇଲାକାକୁ ଘେରାବନ୍ଦୀ କରିଛି । ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ଆତଙ୍କୀଙ୍କ ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଯାଞ୍ଚ ଟିମ୍ ଘଟଣାସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଚେକ୍ କରୁଛି । କୁଲଗାମ ଜିଲ୍ଲା ଅଖରାନ ନିକଟରେ ହୋଇଥିଲା ହମଲା । ଏଠାରେ ଚେକ୍ ପୋଷ୍ଟରେ ଡ୍ୟୁଟିରେ ଥିବା ଯବାନଙ୍କ ଉପରେ ଅତର୍କିତ ଫାୟାରିଂ କରିଥିଲେ ୨ଜଣ ଆତଙ୍କବାଦୀ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଆତଙ୍କୀ ହମଲା ପଛରେ ଲସ୍କର କମାଣ୍ଡରଙ୍କ ହାତ ଥିବା ସନ୍ଦେହ କରାଯାଉଛି ।…
ସୌଜନ୍ୟ ସମ୍ବାଦ




