Belonging Book : ‘ବିଲଙ୍ଗିଙ୍ଗ୍’କୁ ନେଇ ତେଜିଲା ରାଜନୀତି, ବିଜେପି କହିଲା ଗାନ୍ଧୀ ପରିବାରକୁ କ୍ଲିନଚିଟ୍ ପାଇଁ ସୋନିଆଙ୍କ ବହି

ନୂଆଦିଲ୍ଲୀ, ୧୨/୧ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍’ ପ୍ରକାଶ ପାଇବା ପରଠାରୁ ଜାତୀୟ ରାଜନୀତି ସରଗରମ ହୋଇଉଠିଛି । ଦୀର୍ଘଦିନର ନୀରବତା ପରେ ସୋନିଆ ତାଙ୍କ ବ୍ୟକ୍ତିଗତ ଏବଂ ରାଜନୈତିକ ଜୀବନ ସହ ଦେଶର କେତେକ ଐତିହାସିକ ଘଟଣା, ରାଜନୀତି ବାବଦରେ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ପୁସ୍ତକଟି ମଙ୍ଗଳବାର ବଜାରକୁ ଆସିବା ପରଠାରୁ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ତୀବ୍ର ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି । ବିଜେପି ସୋନିଆଙ୍କ ପୁସ୍ତକରେ ଥିବା କେତେକ ଲେଖା ଉପରେ ଆପତ୍ତି ଉଠାଇବା ସହ ଜରୁରିକାଳୀନ ପରିସ୍ଥିତି, ବୋଫର୍ସ ଦୁର୍ନୀତି, ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ତଥ୍ୟକୁ ଏଡ଼ାଇ ଦିଆଯାଇଥିବା ଏବଂ ଗାନ୍ଧୀ ପରିବାରକୁ କ୍ଲିନ୍ଚିଟ୍ ଦେବା ଉଦ୍ଦେଶ୍ୟରେ ଏହି ପୁସ୍ତକ ବଜାରକୁ ଅଣାଯାଇଥିବା ବିଜେପି କହିଛି ।
ବିଜେପି ନେତା ହରଭିନ୍ଦର ସିଂ ଫୁଲ୍କା କହିଛନ୍ତି, ସୋନିଆଙ୍କ ପୁସ୍ତକର ବିବରଣୀ ସରକାରୀ ତଥ୍ୟର ସମ୍ପୂର୍ଣ୍ଣ ବିରୋଧାଭାସ କରେ । ଏହି ପୁସ୍ତକ ମାଧ୍ୟମରେ ସୋନିଆ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ କଂଗ୍ରେସ ନେତୃତ୍ୱଙ୍କୁ ଶିଖ୍ ବିରୋଧୀ ଗଣହତ୍ୟା ଦୋଷରୁ ମୁକ୍ତ କରିବାକୁ ଉଦ୍ୟମ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଅଭିଯୋଗ କରିଛନ୍ତି, ସୋନିଆ ବାବ୍ରି ମସ୍ଜିଦ୍ ଏବଂ ବାଟ୍ଲା ହାଉସ୍ ଭଳି ଘଟଣାରେ ଦୁଃଖ ପ୍ରକାଶ କରିବା କ୍ଷେତ୍ରରେ ବାଛି ବାଛି ପ୍ରତିକ୍ରିୟା ଦେଇଛନ୍ତି । କିନ୍ତୁ ଗୋଧ୍ରା ଏବଂ ପହଲଗାମ ଭଳି ଘଟଣାରେ ତାହା କରିନାହାନ୍ତି । ତିବ୍ବତ ଏବଂ ଧାରା ୩୭୦, ୩୫-ଏ ଆଦି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭୁଲ୍ ବୋଲି ସୋନିଆ ତାଙ୍କ ପୁସ୍ତକରେ ସ୍ଥାନିତ କରିବାର ଥିଲା ବୋଲି ଗିରିରାଜ କହିଛନ୍ତି ।
ସୌଜନ୍ୟ ସମ୍ବାଦ




