ବିଡିଓଙ୍କ ପରିଚୟ ଦେଇ ଅଧ୍ୟକ୍ଷଙ୍କଠାରୁ ୨୦ ହଜାର ଲୁଟ୍

ଖୁଣ୍ଟା:ମୟୂରଭଞ୍ଜ ଜିଲା ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋଲାର ପ୍ୟାନେଲ୍ ସ୍ଥାପନ କରାଯିବା ନେଇ ଟଙ୍କା ପଠାଯିବ ବୋଲି କହି ବିଦ୍ୟାଳୟର ଅଧ୍ୟକ୍ଷ ନନ୍ଦ କିଶୋର ପଟ୍ଟନାୟକଙ୍କଠାରୁ ୨୦ ହଜାର ଟଙ୍କା ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଖୁଣ୍ଟା ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ,ଜଣେ ଠକ ନିଜକୁ ଜନୈକ ବିଡିଓଙ୍କ ପରିଚୟ ଦେଇ ଫୋନ୍ ଯୋଗେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିଥିଲା। ବିଦ୍ୟାଳୟରେ ସୋଲାର ପ୍ୟାନେଲ୍ ସ୍ଥାପନ ପାଇଁ ୪୦ ହଜାର ଟଙ୍କା ପଠାଯିବ ବୋଲି କହି ସେଥିପାଇଁ ବ୍ୟାଙ୍କ ଜମାଖାତା ସମ୍ପର୍କିତ ବିବରଣୀ ମାଗିଥିଲା। ବିଭିନ୍ନ କଥା କହି ଠକ ଜଣକ ଅଧ୍ୟକ୍ଷଙ୍କ ବିଶ୍ୱାସ ଜିତିଥିବା ବେଳେ ସେ ଠକେଇର ଶିକାର ହେବାକୁ ଯାଉଥିବା ଜାଣିପାରିନଥିଲେ।ଠକର କଥା ଅନୁଯାୟୀ, ଶ୍ରୀ ପଟ୍ଟନାୟକ ମୋବାଇଲରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୟୋନୋ ଆପ୍ ଜରିଆରେ ତଥ୍ୟ ପ୍ରଦାନ କରିବା ପରେ ତାଙ୍କ ଜମାଖାତାରୁ ୨୦ ହଜାର ଟଙ୍କା କଟିଯାଇଥିଲା।
ସୌଜନ୍ୟ ସମାଜ




