
ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଦେଖିବା ପାଇଁ ପ୍ରଶଂସକଙ୍କୁ ଆଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଦ୍ୱିତୀୟ ମ୍ୟାଚ୍ର ସମୟ ସୂଚୀରେ ପରିବର୍ତ୍ତନ କରାଯାଇଛି, ଯାହାଫଳରେ ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ବହୁତ ଶୀଘ୍ର ଆରମ୍ଭ ହେବ।
ଶନିବାର ଖେଳାଯିବ ଦ୍ୱିତୀୟ ଟି-୨୦
ଟିମ୍ ଇଣ୍ଡିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ହୋଇପାରି ନଥିଲା। ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ରାତି ୧୦ଟାରେ ଆରମ୍ଭ ହୋଇଥିବାରୁ ପ୍ରଶଂସକମାନେ ବିଳମ୍ବିତ ରାତି ଯାଏଁ ମ୍ୟାଚ୍ ଦେଖିଥିଲେ। କିନ୍ତୁ ଆସନ୍ତା ଶନିବାର (୪ ଜୁଲାଇ) ମ୍ୟାନଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ର ଟାଇମିଂ ବଦଳିଛି।
କେତେବେଳେ ଆରମ୍ଭ ହେବ ମ୍ୟାଚ୍ ?
ଭାରତୀୟ ସମୟ ଅନୁସାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ର ଟସ୍ ସନ୍ଧ୍ୟା ୬ ଟା ୩୦ ମିନିଟ୍ରେ ପଡ଼ିବ। ଏହାର ଠିକ୍ ୩୦ ମିନିଟ୍ ପରେ ଅର୍ଥାତ୍ ସନ୍ଧ୍ୟା ୭ଟାରେ ଖେଳ ଆରମ୍ଭ ହେବ। ଫଳରେ କ୍ରିକେଟ ପ୍ରେମୀମାନେ ବିନା କୌଣସି ଅସୁବିଧାରେ ପ୍ରାଇମ୍ ଟାଇମରେ ଏହି ରୋମାଞ୍ଚକର ମ୍ୟାଚର ମଜା ନେଇପାରିବେ।
କେଉଁଠି ଦେଖିବେ ଲାଇଭ୍ ମ୍ୟାଚ୍ ?
ଏହି ହାଇଭୋଲ୍ଟେଜ୍ ସିରିଜର ସିଧାପ୍ରସାରଣ ଟିଭିରେ ସୋନି ସ୍ପୋର୍ଟସ (Sony Sports) ଚ୍ୟାନେଲଗୁଡ଼ିକରେ ଉପଲବ୍ଧ ହେବ। ଏହା ସହିତ ମୋବାଇଲ୍ ୟୁଜର୍ସଙ୍କ ପାଇଁ ଏକ ନୁହେଁ ବରଂ ଦୁଇ ଦୁଇଟି ଆପ୍ରେ ଲାଇଭ୍ ଷ୍ଟ୍ରିମିଂର ସୁବିଧା ରହିଛି। ଆପଣ ସୋନି ଲିଭ୍ (Sony LIV) ଏବଂ ଜିଓହଟଷ୍ଟାର୍ (JioHotstar) ଆପ୍ ମାଧ୍ୟମରେ ମ୍ୟାଚର ସିଧାପ୍ରସାରଣ ଦେଖିପାରିବେ।
ସୌଜନ୍ୟ Prameya News7




