ବେଙ୍ଗାଲୁରୁ : ଭାରତୀୟ କ୍ରିକେଟଷ୍ଟାର ବିରାଟ କୋହଲୀଙ୍କ ସହ ସମ୍ପର୍କିତ ବେଙ୍ଗାଲୁରୁର ଚର୍ଚ୍ଚିତ ରେଷ୍ଟୁରାଣ୍ଟ ‘ୱାନ ଏଇଟ୍ କମ୍ୟୁନେ’ ଏବେ ପୁରାପୁରି ବନ୍ଦ ହୋଇଯାଇଛି। ବକେୟା ଭଡ଼ା, ମେଣ୍ଟେନାନ୍ସ ଚାର୍ଜ ଓ ଅନ୍ୟ ପୈଠ ନ ହୋଇ ପାରିବାରୁ କୋର୍ଟଙ୍କ ଆଦେଶରେ ଏହି ଆଉଟଲେଟ୍ ରେ ତାଲା ପକାଇ ଦିଆଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ଫ୍ୟାନସ୍ ଓ ରେଷ୍ଟୁରାଣ୍ଟ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରିପୋର୍ଟ ଅନୁସାରେ ଏହି ସଂସ୍ଥା ସଞ୍ଚାଳନ କରୁଥିବା କମ୍ପାନୀ ଗତ କିଛିମାସ ହେଲା ଦୋକାନ ଭଡା ଦେଇ ପାରୁନଥିଲା।
କାହିଁକି ବନ୍ଦ ହେଲା ରେଷ୍ଟୁରାଣ୍ଟ ?
କୁହାଯାଉଛି ଏହି ରେଷ୍ଟୁରାଣ୍ଟ ଉପରେ ଘର ମାଲିକଙ୍କର ଗତ ୬ ମାସର ଭଡ଼ା ବାକି ରହିଛି। ଏହାଛଡା ମେଣ୍ଟେନାନ୍ସ ବାବଦ ଦେୟ ଓ ରେଭିନ୍ୟୁ ସେୟାର ପଇସା ଜମା କରାଯାଉନଥିଲା। ଏହି ସଂସ୍ଥା ଉପରେ ମୋଟ ବକେୟା ରାଶି ୨ କୋଟି ଟଙ୍କାରୁ ଅଧିକ ହୋଇଯାଇଥିଲା। ଏଣୁ ବିଲ୍ଡିଂ ମାଲିକ କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। ଯେଉଁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୈଠ ନ ହୋଇଛି ସେ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ବନ୍ଦ ରଖିବାକୁ କୋର୍ଟ ଆଦେଶ ଦେଇଛନ୍ତି।
ପୂର୍ବରୁ ସମ୍ପର୍କ ତୁଟାଇସାରିଥିଲେ ବିରାଟ କୋହଲୀ
ଏହି ପୁରା ମାମଲାରେ ଖାସ କଥା ହେଉଛି ଏହି ରେଷ୍ଟୁରାଣ୍ଟ ସହିତ ବିରାଟ କୋହଲୀଙ୍କ କୌଣସି ସିଧା ସମ୍ପର୍କ ନଥିଲା। ରିପୋର୍ଟ ଅନୁସାରେ ସେ ପୂର୍ବରୁ ରେଷ୍ଟୁରାଣ୍ଟ ସହିତ ତାଙ୍କ ପାର୍ଟନରସିପ୍ ସମାପ୍ତ କରିସାରିଥିଲେ। କେବଳ ଏତିକି ନୁହେଁ ବିରୋଟ କୋହଲୀ ତାଙ୍କ ବ୍ରାଣ୍ଡ ‘ୱାନ ଏଇଟ୍’ର ନାମ ମଧ୍ୟ ଏହି ଆଉଟଲେଟରୁ ହଟାଇ ନେଇଥିଲେ। କୁହାଯଉଛି ବିବାଦ ଓ ଲଗାତର ଅଭିଯୋଗ ହେବା ଯୋଗୁ ବିରାଟ ସମୟ ପୂର୍ବରୁ ନିଜକୁ ସଂସ୍ଥାରୁ ପୃଥକ କରିନେଇଥିଲେ।
ପୂର୍ବରୁ ମଧ୍ୟ ଥିଲା ବିବାଦରେ
ଏହି ରେଷ୍ଟୁରାଣ୍ଟ ପୂର୍ବରୁ ମଧ୍ୟ ବିବାଦୀୟ ଥିଲା। ସ୍ଥାନୀୟ ପ୍ରଶାସନ ଓ ନଗର ନିଗମ ପକ୍ଷରୁ ଫାୟର ସେଫ୍ଟି ଅନ୍ୟ ନିୟମକୁ ନେଇ ରେଷ୍ଟୁରାଣ୍ଟକୁ ନୋଟିସ୍ ଜାରି କରିଥିଲେ। ସୂତ୍ରଙ୍କ ଅନୁସାରେ ନିୟମ ଉଲ୍ଲଂଘନ ଓ ଖରାପ ହେଉଥିବା ଛବିର ପ୍ରଭାବ ବ୍ୟବସାୟ ଉପରେ ପଡିଥିଲା। ଧିରେ ଧିରେ ଗ୍ରାହକଙ୍କ ସଂଖ୍ୟା ହ୍ରାସ ହେବାରେ ଲାଗିଥିଲା ଓ ରେଷ୍ଟୁରାଣ୍ଟର କ୍ଷତି ବଢିବଢି ଚାଲିବାକୁ ଲାଗିଥିଲା।
ୱାନ ଏଇଟ୍ କମ୍ୟୁନେ କଣ?
ଏହା ଏକ ପ୍ରିମିୟମ ରେଷ୍ଟୁରାଣ୍ଟ ଓ ବାର ବ୍ରାଣ୍ଡ ଏବଂ ଏହାକୁ ବିରାଟ କୋହଲି ଆରମ୍ଭ କରିଥିଲେ ବୋଲି କୁହାଯାଏ। ଏହାର ଆଉଟଲେଟ୍ ଦିଲ୍ଲୀ, ଗୁରୁଗ୍ରାମ, ପୁଣେ, କୋଲକାତା, ନୋଏଡା, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଭଳି ସହରମାନଙ୍କରେ ରହିଛି। ଏହି ବ୍ରାଣ୍ଡ ବିଳାଶମୟ ପରିବେଶ, ଅତ୍ୟାଧୁନିକ ଇଣ୍ଟେରିୟର ଓ ପ୍ରିମିୟମ ଡାଇନିଂ ଅନୁଭବ ଲାଗି ଜଣାଯାଏ। ଏବେ ସମସ୍ତଙ୍କ ନଜର ଏହି କଥା ଉପରେ ଯେ ବେଙ୍ଗାଲୁରୁ ଆଉଟଲେଟ୍ ଆରମ୍ଭ ହେବ କି ନାହିଁ? ହେଲେ ଯେଉଁ ପର୍ଯ୍ୟନ୍ତ ବକେୟା ରାଶି ଜମା ନ ହୋଇଛି ଏହା ଦ୍ୱିତୀୟ ବାର ଖୋଲିବା ସମ୍ଭାବନା କମ ବୋଲି କୁହାଯାଉଛି।
ସୌଜନ୍ୟ Prameya News7

