ଦେଶ ବିଦେଶ

ଭାରତକୁ ନାଲି ଆଖି ଦେଖାଇଲା ଆତଙ୍କବାଦୀ ହାଫିଜ୍‌ର ପୁଅ

ଇସଲାମାବାଦ୍‌ : ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ୍‌ ସଇଦର ପୁଅ ହାଫିଜ୍‌ ତଲ୍‌ହା ଭାରତକୁ ନାଲି ଆଖି ଦେଖାଇବାକୁ ଦୁଃସାହସ କରିଛି। ପାକିସ୍ତାନର ଶେଖ୍‌ପୁରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ନେଇ ତଲ୍‌ହା କହିଛି ଭାରତକୁ ମୁସ୍‌ଲିମ ଶାସକ ୫୦୦ ବର୍ଷ ଧରି ଶାସନ କରିଥିଲେ। ତେଣୁ ଦିଲ୍ଲୀର ପ୍ରକୃତ ଶାସକ କିଏ ତାହା ସମସ୍ତେ ବୁଝିିଯିବା ଉଚିତ୍‌। କେବଳ ଦିଲ୍ଲୀ ନୁହେଁ ଭାରତବର୍ଷର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ମୁସଲିମ୍‌ ଶାସକମାନେ ଦୀର୍ଘବର୍ଷ ଧରି ନିଜ କବ୍‌ଜାରେ ରଖିଥିଲେ। ଭାରତ ବିରୋଧରେ ଜେହାଦ୍‌ କରିବାକୁ ସେ ଶପଥ ନେଇଛି। ସେ ଏବଂ ତା’ର ସଂଗଠନ ଯେ ପର୍ଯ୍ୟନ୍ତ ସକ୍ରିୟ ଥିବ ଜେହାଦ୍‌ ଜାରି ରହିବ ବୋଲି ସେ ଚେତାବନୀ ଦେଇଛି। ପାକିସ୍ତାନ ସେନାମୁଖ୍ୟ ଅସୀମ୍‌ ମୁନିରଙ୍କୁ ପ୍ରଶଂସା କରି ତଲ୍‌ହା କହିଛି ପାକିସ୍ତାନବାସୀଙ୍କ ମଧ୍ୟରେ ଆତ୍ମବିଶ୍ବାସ, ଜେହାଦ୍‌ଙ୍କୁ ନେଇ ମନୋବଳ ବୃଦ୍ଧି ପାଇଁ ମୁନିରଙ୍କ ଉଦ୍ୟମ ପ୍ରଶଂସନୀୟ। ମୁସଲିମ୍‌ ଶାସକମାନେ ଭାରତକୁ ୫୦୦ ବର୍ଷ ଧରି ଶାସନ କରିଥିଲେ। ଏ ସମ୍ପର୍କରେ ଇତିହାସରେ ତଥ୍ୟ ଲିପିବଦ୍ଧ ହୋଇ ରହିଛି।
ତଲ୍‌ହା ପାକିସ୍ତାନ ସେନାମୁଖ୍ୟଙ୍କୁ ପ୍ରଶଂସା କରିଥିବା ବେଳେ ଲସ୍କର-ଇ-ତୋଇବା ଓ ପାକିସ୍ତାନ ସେନା ମଧ୍ୟରେ ଗୁପ୍ତ ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ସ୍ପଷ୍ଟ ହୋଇଥିବା ରାଜନୈତିକ ବିଶ୍ଲେଷକମାନେ କହିଛନ୍ତି। ସୂଚନାଥାଉ କି ଲସ୍କର-ଇ-ତୋଇବାକୁ ଜାତିସଂଘ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ଏହି ସଂଗଠନ ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଛି। ସେହିପରି ତଲ୍‌ହା ସଇଦକୁ ଭାରତ ଓ ଆମେରିକା ଆତଙ୍କବାଦୀ ତାଲିକାରେ ରଖିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button